
ହାନୋଇରେ ନଭେମ୍ବର ୧୩ରୁ ୧୬ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଅନ୍ତର୍ଜାତୀୟ ମହୋତ୍ସବ, ୪୦ଟି ଦେଶର ପ୍ରତିନିଧିଙ୍କ ଯୋଗଦାନ
ଭୋପାଳ, ୧୩ ନଭେମ୍ବର (ହି.ସ.)- ମଧ୍ୟପ୍ରଦେଶର ସମୃଦ୍ଧ ପାରମ୍ପରିକ ହସ୍ତଶିଳ୍ପ କଳା ‘ବାଗ୍ ପ୍ରିଂଟ୍ ଅନ୍ତର୍ଜାତୀୟ ମଂଚରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି। ଭିଏତନାମର ରାଜଧାନୀ ହାନୋଇରେ ନଭେମ୍ବର ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଗ୍ଲୋବାଲ କ୍ରାଫ୍ଟ ଫେଷ୍ଟିଭାଲରେ ୪୦ରୁ ଅଧିକ ଦେଶର ଶିଳ୍ପୀ, କଳା ବିଶେଷଜ୍ଞ, ଶିଳ୍ପପତି ଏବଂ ପ୍ରତିନିଧିମାନେ ଯୋଗଦେଉଛନ୍ତି।
ଜନସମ୍ପର୍କ ଅଧିକାରୀ ଅଙ୍କୁଶ ମିଶ୍ର ଶୁକ୍ରବାର କହିଛନ୍ତି ଯେ, ମଧ୍ୟପ୍ରଦେଶର ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ମାଷ୍ଟର ଶିଳ୍ପୀ ମହମ୍ମଦ ବିଲାଲ ଖତ୍ରୀ ଏବଂ ଡକ୍ଟର ମହମ୍ମଦ ଆରିଫ ଖତ୍ରୀଙ୍କ ପ୍ରଦର୍ଶନୀରେ ବାଗ୍ ପ୍ରିଂଟର ସମୃଦ୍ଧ ଇତିହାସ, ପାରମ୍ପରିକ ଠପା ମୁଦ୍ରଣ କୌଶଳ ଏବଂ ପ୍ରାକୃତିକ ରଙ୍ଗର ବ୍ୟବହାର ସମ୍ପର୍କରେ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କୁ ଅବଗତ କରାଯାଉଛି। ଶୁଦ୍ଧ ଲୁହାର ପାଉଁଶ, ବିଭିନ୍ନ ଉଦ୍ଭିଦ ଓ ଔଷଧୀୟ ବୃକ୍ଷଲତାରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗ ଏବଂ ଶାଗୁଆନ କାଠରେ ତିଆରି ପାରମ୍ପରିକ ଠପା ଦ୍ୱାରା ପ୍ରସ୍ତୁତ ଏହି କଳାର ସୂକ୍ଷ୍ମ କାରିଗରୀ ବିଦେଶୀ କଳାପ୍ରେମୀଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିଛି।
ଅନ୍ତର୍ଜାତୀୟ କ୍ରେତାଙ୍କ ପସନ୍ଦ ଅନୁଯାୟୀ ସ୍ୱତନ୍ତ୍ର ଉତ୍ପାଦ ପ୍ରସ୍ତୁତ
ସେ କହିଛନ୍ତି ଯେ, ଏହି ମହୋତ୍ସବ ପାଇଁ ସ୍ୱତନ୍ତ୍ର ଗବେଷଣା ଓ ପ୍ରସ୍ତୁତି ସହ ଅନ୍ତର୍ଜାତୀୟ କ୍ରେତା ଏବଂ ଭିଏତନାମର ସ୍ଥାନୀୟ ଲୋକଙ୍କ ରୁଚି ଅନୁଯାୟୀ ଆକର୍ଷଣୀୟ ଉତ୍ପାଦ ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ମଲବେରୀ ସିଲ୍କ, ତସର ସିଲ୍କ ଏବଂ ସୂତା କପଡ଼ାର ଦୁପଟ୍ଟା, ସ୍କାର୍ଫ, ଷ୍ଟୋଲ୍ ସହିତ ବିଭିନ୍ନ କଳାତ୍ମକ ଗୃହସଜ୍ଜା ସାମଗ୍ରୀ ସାମିଲ ରହିଛି। ଏହି ଉତ୍ପାଦଗୁଡ଼ିକର ଡିଜାଇନ୍, ଗୁଣବତା ଏବଂ ପାରମ୍ପରିକ କାରିଗରୀକୁ ସ୍ଥାନୀୟ ନାଗରିକ, କ୍ରେତା ଓ ଫ୍ୟାଶନ୍ ବିଶେଷଜ୍ଞମାନେ ପ୍ରଶଂସା କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ