
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)- ନିଷାଦ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଉତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ଡକ୍ଟର ସଞ୍ଜୟ ନିଷାଦ ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ବାସଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ନିଷାଦ ସମାଜ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ, ଦଳୀୟ ପଦାଧିକାରୀଙ୍କ ସମ୍ପର୍କିତ ବିଷୟ ଏବଂ ଆଗାମୀ ଉତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଡକ୍ଟର ସଞ୍ଜୟ ନିଷାଦ ସମାଜର ବିଭିନ୍ନ ଦାବି ସମ୍ପର୍କିତ ଏକ ପତ୍ର ମଧ୍ୟ ଗୃହମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।
ଏହି ସାକ୍ଷାତ ସମୟରେ ୨୦୨୭ ବିଧାନସଭା ନିର୍ବାଚନରେ ନିଷାଦ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ମେଂଟ ଭାବେ ମିଳିତ ନିର୍ବାଚନ ଲଢ଼ିବା, ବିଜୟ ପାଇଁ ରଣନୀତି ଏବଂ ରାଜନୈତିକ ସମୀକରଣ ଉପରେ ସକାରାତ୍ମକ ଆଲୋଚନା ହୋଇଥିଲା। ଗଣମାଧ୍ୟମ ସହ କଥା ହୋଇ ଡକ୍ଟର ସଞ୍ଜୟ ନିଷାଦ କହିଥିଲେ ଯେ, ଅମିତ ଶାହଙ୍କ ଆଶୀର୍ବାଦ ଏବଂ ମାର୍ଗଦର୍ଶନ ସର୍ବଦା ନିଷାଦ ପାର୍ଟି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ତାଙ୍କ ସହ ହୋଇଥିବା ସାକ୍ଷାତରେ ସମାଜର ସ୍ୱାର୍ଥ ଏବଂ ସଂଗଠନ ସହ ଜଡ଼ିତ ବିଷୟଗୁଡ଼ିକ ଉପରେ ସାର୍ଥକ ଆଲୋଚନା ହୋଇଥିବା ସେ କହିଥିଲେ।
ଡକ୍ଟର ସଞ୍ଜୟ ନିଷାଦ ଆଶା ପ୍ରକାଶ କରି କହିଥିଲେ ଯେ, ୨୦୨୭ରେ ଉତରପ୍ରଦେଶରେ ଏନ୍ଡିଏ ସରକାର ବିପୁଳ ଅଧିକାଂଶ ସହ ଗଠନ ହେବ। ସେ କହିଥିଲେ ଯେ, ଦୁଇଜଣ ନେତାଙ୍କ ମଧ୍ୟରେ ସାକ୍ଷାତ ହେଲେ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା ହେବା ସ୍ୱାଭାବିକ। ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ହୋଇଥିବା ଆଲୋଚନା ମଧ୍ୟ ଏହି ରାଜନୈତିକ ପ୍ରକ୍ରିୟାର ଏକ ଅଂଶ।
ସେ ଆହୁରି କହିଥିଲେ ଯେ, ନିଷାଦ ସମାଜର ସ୍ୱାର୍ଥର ସୁରକ୍ଷା ଏବଂ ସମାଜ ସହ ଜଡ଼ିତ ସମସ୍ୟାଗୁଡ଼ିକର ସମାଧାନ ଦଳର ପ୍ରାଥମିକତା। ବିଜେପି ସହ ସମନ୍ୱୟ ଓ ସହଯୋଗ ମାଧ୍ୟମରେ ଆଗାମୀ ନିର୍ବାଚନରେ ଏନ୍ଡିଏର ବିଜୟ ସୁନିଶ୍ଚିତ କରିବା ଦିଗରେ ସକାରାତ୍ମକ ପ୍ରୟାସ କରାଯାଉଛି। ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ନିଷାଦ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ପୂର୍ବତନ ସାଂସଦ ପ୍ରବୀଣ ନିଷାଦ ଏବଂ ବିଧାୟକ ସରବନ ନିଷାଦ ମଧ୍ୟ ଉପସ୍ଥିତ ଥିଲେ।
---------------------
--------
ହିନ୍ଦୁସ୍ଥାନ ସମାଚାର / ଗଗନ