
ଜୟପୁର, ୧୩ ନଭେମ୍ବର (ହି.ସ.) - ରାଜ୍ୟରେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ବୋରିଗୁମ୍ମା ଶ୍ରୀ ଗୌରୀ ଶଙ୍କର ସାମନ୍ତରାୟଙ୍କୁ ଲଗାତାର ତୃତୀୟ ଥର ନିମନ୍ତେ ରାଜ୍ୟ ସ୍ତରୀୟ,'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୫' ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା କମିଶନର ଡକ୍ଟର ନିରୁମଳା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ଗଣିତ ପରି ଏକ ଜଟିଳ ବିଷୟକୁ ଅତି ସରଳ ତଥା ରୋଚକ ଢଙ୍ଗରେ ପିଲାମାନଙ୍କୁ ପଢ଼ାଇବାରେ ଶ୍ରୀ ସାମନ୍ତରାୟଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ଶିକ୍ଷାଦାନକୁ ଅଧିକ ଆନନ୍ଦଦାୟକ କରିବା ପାଇଁ ସେ ଅନେକ ଅଭିନବ ପ୍ରୟାସ କରିଆସୁଛନ୍ତି। ବିଶେଷ କରି ତାଙ୍କ ଦ୍ୱାରା ପ୍ରସ୍ତୁତ 'ଯାଦୁଇ ପିଟାରାଫ ନାମକ ସ୍ୱ-ଶିକ୍ଷଣ ସାମଗ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଉପାଦେୟ ସାବ୍ୟସ୍ତ ହୋଇଛି। ଏହି ସାମଗ୍ରୀ ମାଧ୍ୟମରେ ପିଲାମାନେ ବିଭିନ୍ନ କାର୍ଯ୍ୟକଳାପ ଜରିଆରେ ସହଜରେ ଶିକ୍ଷା ଗ୍ରହଣ କରିପାରୁଛନ୍ତି, ଯାହା ସେମାନଙ୍କର ଶିକ୍ଷଣ ଫଳାଫଳକୁ ଆଶାତୀତ ଭାବେ ବୃଦ୍ଧି କରିପାରିଛି।
କେବଳ ଉତମ ଶ୍ରେଣୀଗୃହ ଶିକ୍ଷାଦାନ ନୁହେଁ, ବରଂ ବିଜ୍ଞାନ କ୍ଷେତ୍ରରେ ପିଲାଙ୍କ ରୁଚି ବଢ଼ାଇବା ପାଇଁ ଶ୍ରୀ ସାମନ୍ତରାୟ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ତାଙ୍କର ଦକ୍ଷ ମାର୍ଗଦର୍ଶନ ଫଳରେ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ରାଜ୍ୟ ତଥା ଜାତୀୟ ସ୍ତରୀୟ ବିଜ୍ଞାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିଛନ୍ତି। ଶ୍ରୀ ସାମନ୍ତରାୟ ଏହି ଗୌରବମୟ ପୁରସ୍କାର କେପିଟାଲ ହାଇ ସୁଲ ଭୁବନେଶ୍ୱର ରେ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି। ତାଙ୍କର ଏହି ନିଷ୍ଠାପର ଉଦ୍ୟମ ଓ ଛାତ୍ରାଭିମୁଖୀ ଶିକ୍ଷାଦାନ ପ୍ରଣାଳୀ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ଏଥିପାଇଁ ଚତୁଃ ପାର୍ଶ୍ୱରୁ ପ୍ରଶାଂସର ସୁଅ ଛୁଟି ଆସିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି