


ସମ୍ବଲପୁର, ୧୩, ନଭେମ୍ବର (ହି.ସ.) ଜନ ସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ନେଇ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ମାତ୍ର ଯୋଜନା ଗୁଡ଼ିକର ସୁଫଳ ପ୍ରକୃତ ହିତାଧିକାରୀ ପାଇବା ପରିବର୍ତ୍ତେ ଅନେକ କ୍ଷେତ୍ରରେ ବାଟମାରଣା ହେଉଥିବା ଅଭିଯୋଗ ହେଉଛି । ଏହିପରି ଏକ ଘଟଣାକୁ ନେଇ ଆମ ପ୍ରତିନିଧିଙ୍କ ଏକ ଅନୁସନ୍ଧାନ ମୂଳକ ରିପୋର୍ଟ୍ ପ୍ରଶାସନିକ ବିଧି ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ଡବଲ ଇଂଜିନ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଗରିବ, ଅସହାୟ, ତଥା ନିଃସହାୟ ମହିଳାଙ୍କ ପାଇଁ ଆବାସ ଯୋଜନା କରାଯାଇଛି । ମାତ୍ର ଏବେବି ଅନେକ ପ୍ରକୃତ ହିତାଧିକାରୀଙ୍କ ପାଇଁ ଏହି ଯୋଜନା ସାତସପନ ହୋଇ ରହିଛି । ସୁଚନାନୁଯାୟୀ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଲାଡ ଗ୍ରାମ ଡୁଙ୍ଗାଘାଟ ପଡ଼ାର ଜନୈକା ଅସହାୟ ଅବିବାହିତା ମହିଳାଙ୍କ ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ରହିଛି । ମହିଳା ଜଣଙ୍କର ନିଜସ୍ବ ଘର ନଥିବା ଯୋଗୁଁ ବାଧ୍ୟ ହୋଇ ଅନ୍ୟ ଘରର ବାରଣ୍ଡାରେ ମୁଣ୍ଡ ଗେଞ୍ଜିଥିବା ଦେଖିବାକୁ ମିଳିଛି । ୩୮ ବର୍ଷିୟା ଏହି ମହିଳା ଜଣଙ୍କ ନାମ ବାସନ୍ତୀ ପ୍ରଧାନ । ତାଙ୍କ ପିତାମାତାଙ୍କ ସ୍ୱର୍ଗଵାସ ହୋଇଥିବା ବେଳେ ବଡ଼ ଓ ସାନ ଦୁଇ ବିବାହିତ ଭାଇ ନିଜ ନିଜର ପରିବାର ଧରି ଅନ୍ୟତ୍ର ରହୁଛନ୍ତି । ତେଣୁ ଏକାକୀ ରହି ଯାଇଛନ୍ତି ବାସନ୍ତୀ ।
ସରକାର ଅସହାୟ ମହିଳା ମାନଙ୍କ ଯତ୍ନ ଓ ସହଯୋଗ ପାଇଁ ପ୍ରତିବଦ୍ଧତା ରହିଥିବା ଘୋଷଣା କରୁଥିଲେ ମଧ୍ୟ ବାସନ୍ତୀଙ୍କ କ୍ଷେତ୍ରରେ କୌଣସି ସରକାରୀ ସହାୟତା ଓ ସହଯୋଗ ନମିଳିବା ଭ୍ରୃକୁଞ୍ଚିତ କରାଇଛି । ଏପରିକି ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନରୁ ଉପେକ୍ଷିତ ବାସନ୍ତୀଙ୍କ ସମସ୍ୟା ପ୍ରତି ନିଜ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ପାନୀୟ ଜଳ ଯୋଗାଣ ଓ ପଞ୍ଚାୟତିରାଜଙ୍କ ନଜର ନ ପଡ଼ିବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି । ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାସନ୍ତୀ ବହୁବାର ପ୍ରଶାସନିକ କଳର ବଡ଼ବାବୁ, ପଞ୍ଚାୟତର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବର୍ଷାଧିକ ସମୟ ପରେ ବି କୌଣସି ସୁଫଳ ପାଇ ପାରିନାହାନ୍ତି । ବାସନ୍ତୀଙ୍କ ସମସ୍ୟାରେ ସରକାରଙ୍କ ପ୍ରଶାସନିକ କଳ କୌଣସି ସାହାଯ୍ୟ ସହଯୋଗ କରୁନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ବକ୍ସମା ପଞ୍ଚାୟତ ନିର୍ବାହୀ ଅଧିକାରୀ ରାକେଶ କୁମାର ପଟେଲଙ୍କୁ ପଚାରିବାରେ ଘରକୁ ଘର ସର୍ଭେ କରି ପ୍ରକୃତ ହିତାଧିକାରୀ ଚୟନ ପାଇଁ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ସର୍ଭେ ରେ ଯଦି ବାସନ୍ତୀଙ୍କ ନାମ ରହିଛି ତେବେ ମିଳିଯିବ ବୋଲି କହିଥିଲେ । ଅପରପକ୍ଷେ ବାସନ୍ତୀଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡୁଥିବା ବେଳେ ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଉଚିତ୍ ପଦକ୍ଷେପ ନେଇ ବାସନ୍ତୀଙ୍କୁ ନ୍ଯାୟ ଦେବାପାଇଁ ସାଧାରଣରେ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ