ଡେବ୍ରିଗଡ଼ ବିସ୍ଥାପିତଙ୍କୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ନଭେମ୍ବର ଶେଷ ସୁଦ୍ଧା ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ
ଡେବ୍ରିଗଡ଼ ବିସ୍ଥାପିତଙ୍କୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ନଭେମ୍ବର ଶେଷ ସୁଦ୍ଧା ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ
ଡେବ୍ରିଗଡ଼ ବିସ୍ଥାପିତଙ୍କୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ନଭେମ୍ବର ଶେଷ ସୁଦ୍ଧା ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ


ସମ୍ବଲପୁର, ୧୩, ନଭେମ୍ବର (ହି.ସ) ଜନସାଧାରଣଙ୍କୁ ତ୍ୱରିତ, ସ୍ୱଚ୍ଛ ଓ ଆଇନସମ୍ମତ ରାଜସ୍ୱ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ଓଡ଼ିଶା ରାଜସ୍ୱ ପରିଷଦର ସଦସ୍ୟ ସତ୍ୟବ୍ରତ ସାହୁ। ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ ମଣ୍ଡଳ କାର୍ଯ୍ୟାଳୟରେ ରାଜସ୍ୱ ପ୍ରଶାସନର ବିଭିନ୍ନ କାର୍ଯ୍ୟଧାରା ଓ ସମସ୍ୟା ସମ୍ପର୍କରେ ସେ ସମୀକ୍ଷା କରିଥିଲେ। ବୈଠକରେ ରାଜସ୍ୱ ମାମଲା ଗୁଡ଼ିକର ତ୍ୱରିତ ଓ ସମୟୋଚିତ ଫଇସଲା, ଆଇନଗତ ବ୍ୟବସ୍ଥାର ଅନୁପାଳନ ଏବଂ ଜନସାଧାରଣଙ୍କୁ ସେମାନଙ୍କ ରାଜସ୍ୱ ଅଧିକାର ସହଜରେ ଉପଲବ୍ଧ କରାଇବା ଉପରେ ଶ୍ରୀ ସାହୁ ଗୁରୁତ୍ୱ ଦେଇଥିଲେ। ସମସ୍ତ ରାଜସ୍ୱ କାର୍ଯ୍ୟ ପ୍ରଚଳିତ ଆଇନ, ନିୟମ ଓ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଡେବ୍ରିଗଡ଼ ଅଭୟାରଣ୍ୟରୁ ବିସ୍ଥାପିତ ହୋଇ ପୁନଃ ଥଇଥାନ ହୋଇଥିବା ଲୋକଙ୍କ ବସତିକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ ପାଇଁ ଚଳିତ ନଭେମ୍ବର ମାସ ଶେଷ ସୁଦ୍ଧା ରାଜସ୍ୱ ପରିଷଦକୁ ପ୍ରସ୍ତାବ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବେବନ୍ଦୋବସ୍ତ ଜମିଗୁଡ଼ିକୁ ଡିସେମ୍ବର ମାସ ସୁଦ୍ଧା ବନ୍ଦୋବସ୍ତ କରିବା, ଅଧିଗ୍ରହଣ ହୋଇଥିବା ଜମିର ଖଜଣା ଛାଡ଼ ପ୍ରକ୍ରିୟା ତିନି ମାସ ମଧ୍ୟରେ ଶେଷ କରିବା ଏବଂ ଜମି ପଟ୍ଟାର ଖାନା-୨ ସଂଶୋଧନ କାର୍ଯ୍ୟ ଡିସେମ୍ବର ମଧ୍ୟରେ ସମାପ୍ତ କରିବାକୁ କହିଥିଲେ। ଏଥିସହ ପୁରୁଣା ରିଭିଜନ ମାମଲାଗୁଡ଼ିକର ତ୍ୱରିତ ଫଇସଲା, ଅବ୍ୟବହୃତ ସରକାରୀ ଜମିର ପୁନରୁଦ୍ଧାର ଏବଂ ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲମୁକ୍ତ କରିବା ଭଳି କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଉତ୍ତରାଞ୍ଚଳ ରାଜସ୍ୱ ମଣ୍ଡଳର ଆୟୁକ୍ତ ତଥା ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ଉତ୍ତରାଞ୍ଚଳ ରାଜସ୍ୱ ମଣ୍ଡଳ ଅଧୀନରେ ଥିବା ଅନୁଗୋଳ, ବଲାଙ୍ଗୀର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଜନସାଧାରଣଙ୍କ ନ୍ୟାୟିକ ଅଧିକାରର ସୁରକ୍ଷା, ରାଜସ୍ୱ ପ୍ରଶାସନରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ସହ ସମୟବଦ୍ଧ ଜନସେବା ପ୍ରଦାନ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande