ଭବାନୀପାଟଣା ଠାରେ ଜିଲ୍ଳା ଉନ୍ନୟନ ସମନ୍ବୟ ଏବଂ ପର୍ଯ୍ୟାଲୋଚନା ସମିତି (ଦିସା) ବୈଠକ
ଭବାନୀପାଟଣା, ୧୩ ନଭେମ୍ବର (ହି.ସ.)- ଆଜି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗ୍ସିପ୍ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା ଏବଂ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ
ଭବାନୀପାଟଣା ଠାରେ ଜିଲ୍ଳା ଉନ୍ନୟନ ସମନ୍ନୟ ଏବଂ ପର୍ଯ୍ୟାଲୋଚନା ସମିତି (ଦିସା) ବୈଠକ ଅନୁଷ୍ଠିତ


ଭବାନୀପାଟଣା, ୧୩ ନଭେମ୍ବର (ହି.ସ.)- ଆଜି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗ୍ସିପ୍ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା ଏବଂ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତି ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ପ୍ରାୟୋଜିତ ବିଭିନ୍ନ ଯୋଜନା, ଜିଲ୍ଲାର ବିକାଶମୂଳକ ପ୍ରକଳ୍ପ, ଚାଲୁଥିବା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ, ଲୋକକଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ଓ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକର ଅଗ୍ରଗତି ଉପରେ ବିଭାଗଭିତ୍ତିକ ସମୀକ୍ଷା କରାଯାଇଥିଲା।

ବୈଠକରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ, ଡି ଏଫ୍ ଓ ଦକ୍ଷିଣ ଆର୍ କଲାଈଭାନନ୍, ଉପ ଜିଲ୍ଲାପାଳ ଭବାନୀପାଟଣା ଆଶିନି ଏ ଏଲ ଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଉପସ୍ଥିତ ଅତିଥି, ବ୍ଲକ ଅଧ୍ୟକ୍ଷ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଜନାଭିତ୍ତିକ କାର୍ଯ୍ୟର ଅଗ୍ରଗତି, ଲକ୍ଷ୍ୟ ହାସଲ, ଚ୍ୟାଲେଞ୍ଜ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।

ସମୀକ୍ଷା ସମୟରେ ଜିଲ୍ଲାର କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ପ୍ରାଣୀ ସମ୍ପଦ, ସମାଜ କଲ୍ୟାଣ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଅବକାରୀ, ଭିବି ଜି ରାମଜି, ଜୀବିକା ମିଶନ, ଖଣି, ଗ୍ରାମ୍ୟ ରାସ୍ତା, ପୂର୍ତ୍ତ ଏବଂ ଅନ୍ୟାନ୍ୟ କେନ୍ଦ୍ର ପ୍ରାୟୋଜିତ ଯୋଜନାର ଅଗ୍ରଗତି ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ଥିବା ସମସ୍ୟାର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପରାମର୍ଶ ମଧ୍ୟ ଦିଆଯାଇଥିଲା।

ନିଜ ଅଭିଭାଷଣରେ ସାଂସଦ ମାଳବିକା ଦେବୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସମୟୋପଯୋଗୀ ଭାବେ ପହଞ୍ଚିବା ସୁନିଶ୍ଚିତ କରିବା ସମସ୍ତ ବିଭାଗର ପ୍ରାଥମିକ ଦାୟିତ୍ୱ। ଏଥିପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ସହ ମିଶନ ମୋଡ୍ ରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ଯୋଜନାର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା, ଦାୟିତ୍ୱବୋଧ ଓ ଗୁଣାତ୍ମକ ମାନ ବଜାୟ ରଖିବା ସହ ନିୟମିତ କ୍ଷେତ୍ର ପରିଦର୍ଶନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ସାଂସଦ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ନୂଆ ଆତ୍ମା ଗଠନ ପ୍ରକ୍ରିୟା ଉପରେ ବିଶେଷ କାର୍ଯ୍ୟ ହେଉନାହିଁ ଏବଂ ଯୋଜନାର ବିଶେଷ ଅଗ୍ରଗତି ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ। ସି ଏଚ ସି ମାନଙ୍କରେ ସ୍ବାସ୍ଥ୍ୟ ସେବାକୁ ଠିକ୍ କରିବା, ମରାମତି କାର୍ଯ୍ୟକୁ ଶୀଘ୍ର ଶେଷ କରିବା, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ସି ଡି ଏମ ଓ ଙ୍କୁ କହିଥିଲେ। ବିଶେଷ କରି ପର୍ଲା ସି ଏଚ ସି ରେ ବିଦ୍ୟୁତ କାର୍ଯ୍ୟ, ଥୁଆମୂଳ ରାମପୁର ସି ଏଚ ସି ରେ ମେଡିକାଲ ଅଧିକାରୀ ପୋଷ୍ଟିଙ୍ଗ, ଏସ ଡି ଏଚ ଧର୍ମଗଡ ର ଓ ଟି ଵିଭାଗର ମରାମତି ଉପରେ ଶୀଘ୍ର ପଦକ୍ଷେପ ନେବାକୁ କହିଥିଲେ। ଜିଲ୍ଲାରେ ଅଧାରୁ ପାଠ ଛାଡିଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି ଶିକ୍ଷା ଅଧିକାରୀଙ୍କ ଠାରୁ ଉତ୍ତର ପଚାରିଥିଲେ। ନିକଟ ଅତୀତରେ ବେଆଇନ କାର୍ଯ୍ୟ କରି କାରାବରଣ ଭୋଗିଥିବା ଜନୈକ ଠିକାଦାରଙ୍କୁ କିଭଳି ବିଭିନ୍ନ ବିଭାଗୀୟ ଟେଣ୍ଡରରେ ସାମିଲ କରାଯାଇ କାର୍ଯ୍ୟକୁ ସମୟ ସୀମା ମଧ୍ୟରେ ଶେଷ କରାଯାଉ ନାହିଁ ବୋଲି ଜିଲ୍ଲା ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ। ଅଭିଯୋଗ ପାଇଥିବା ସ୍ବାସ୍ଥ୍ୟ କେନ୍ଦ୍ର, ବିଦ୍ୟାଳୟ ଅତି ନିକଟରେ ଥିବା ମଦ ଭାଟିକୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖଣି ବିଭାଗ ଟ୍ରାକ୍ଟର, ହାଇୱା ଦ୍ଵାରା ଚୋରା ଚାଲାଣ ହେଉଥିବା ବାଲି ଏବଂ ଅନ୍ୟାନ୍ୟ ଖଣି ସମ୍ପଦ ରୋକିବାକୁ ଗମ୍ଭୀରତାର ସହ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ତୋଦୟ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ତାଙ୍କର ଗୃହ ନିର୍ମାଣର ଆବଶ୍ୟକ ବାଲି ଯୋଗାଣରେ ହଇରାଣ ନ କରିବାକୁ ଖଣି ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଲୋକସଭା ସାଂସଦ ମାଳବିକା ଦେବୀ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ କଳାହାଣ୍ଡି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ତୃତୀୟ ପୁରସ୍କାର ଲାଭ ସହ ୧ କୋଟି ଅର୍ଥ ରାଶି ପୁରସ୍କାର ଲାଭ କରିଥିବାରୁ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଥିଲେ।

ବୈଠକର ସୂଚନା ଅନୁସାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଅନୁମୋଦିତ ୬୦୬ ପଦବୀରୁ ୨୪୦ ନିଯୁକ୍ତି ଏବଂ ୩୬୬ ପଦବୀ ଖାଲି ପଡିଛି। ନର୍ସିଂ ଅଧିକାରୀ ୧୧୭ ପଦବୀ, ଫାର୍ମାସୀ ଅଧିକାରୀ ୧୬ ପଦବୀ, ଲାବ୍ରାଟୋରି ଟେକ୍ନୀ ସିଆନ ୬୯ ପଦବୀ ଖାଲି ପଡିଛି।୧୦୮ ଆମ୍ବୁଲାନ୍ସ ୩୪ଟି, ଜନନୀ ଏକ୍ସପ୍ରେସ ୧୭ଟି, ଏମ ଏଚ ୟୁ ୩୬ଟି, ବାଇକ ଆମ୍ବୁଲାନ୍ସ ୪, ବୋଟ ଆମ୍ବୁଲାନ୍ସ ୧ ଟିର ବ୍ୟବସ୍ଥା ରହିଛି। ୨୦୨୬-୨୭ ରେ ୩୮୭୫ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି ।୨୦୨୬ ଖରିଫ ଋତୁର ୧୦୩୭୪୫ ଜଣ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଜିଲ୍ଲାରେ ଅଧାରୁ ପାଠ ଛାଡିଥିବା ୧୪୨୭୦ ଜଣ କିଶୋର କିଶୋରୀଙ୍କ ପୁଣି ଥରେ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯାଇଛି।୫.୧୦.୨୦୨୬ ପର୍ଯ୍ୟନ୍ତ ୨୭୬ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ଗ୍ରାମ ମାନଙ୍କରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯାଇଛି।୨୯.୭.୨୦୨୬ ସୁଦ୍ଧା ୧୨୫୩ ଗ୍ରାମର ୨,୦୩,୪୬୫ ପରିବାରଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି।

ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିୟମିତ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟର ଗୁଣାତ୍ମକ ମାନ ସୁନିଶ୍ଚିତ କରିବା, ହିତାଧିକାରୀଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବା ଏବଂ ସମସ୍ତ ଯୋଜନାର ନିର୍ଦ୍ଧାରିତ ଲକ୍ଷ୍ୟ ସମୟ ମଧ୍ୟରେ ପୂରଣ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉପ ନିର୍ଦ୍ଦେଶକ, ଯୋଜନା ଏବଂ ସମନ୍ନୟ ଶ୍ରୀକାନ୍ତ ଦଳେଇ ଏଯେଣ୍ଡା ଅନୁଯାୟୀ ସଭା କାର୍ଯ୍ୟ ସମ୍ପନ୍ନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande