
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)- ଦେଶରେ ପଳାତକ ଘୋଷିତ ବିବାଦୀୟ ଇସ୍ଲାମିକ୍ ଧର୍ମପ୍ରଚାରକ ଜାକିର ନାଇକଙ୍କ ଇସ୍ଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଆଇଆରଏଫ୍) ଉପରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଅନୁଯାୟୀ ଲାଗୁ ହୋଇଥିବା ପ୍ରତିବନ୍ଧକକୁ କେନ୍ଦ୍ର ସରକାର ଆଉ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ବର୍ତମାନର ପ୍ରତିବନ୍ଧକ ଅବଧି ୧୪ ନଭେମ୍ବର ୨୦୨୬ରେ ଶେଷ ହେବାକୁ ଥିଲା। ଏନେଇ ଶୁକ୍ରବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହା ଅନୁଯାୟୀ ଆଇଆରଏଫ୍କୁ ବେଆଇନ ସଂଗଠନ ଘୋଷଣା କରାଯାଇଛି।
ଗୃହ ମନ୍ତ୍ରଣାଳୟ ଏକ୍ସରେ ପୋଷ୍ଟ କରି କହିଛି ଯେ, ଆତଙ୍କବାଦ ଏବଂ ରାଷ୍ଟ୍ରବିରୋଧୀ କାର୍ଯ୍ୟକଳାପ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ଏହି ନିଷ୍ପତି ନିଆଯାଇଛି। ଜାକିର ନାଇକଙ୍କ ନେତୃତ୍ୱାଧୀନ ଏହି ସଂଗଠନ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବା ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ସମେତ ଭାରତ ବିରୋଧୀ କାର୍ଯ୍ୟକଳାପରେ ସାମିଲ ରହିଛି।
ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ର ସରକାର ଏହା ପୂର୍ବରୁ ୧୭ ନଭେମ୍ବର ୨୦୧୬ ଏବଂ ୧୫ ନଭେମ୍ବର ୨୦୨୧ରେ ଆଇଆରଏଫ୍କୁ ବେଆଇନ ସଂଗଠନ ଘୋଷଣା କରିଥିଲେ। ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଅନୁଯାୟୀ ଗଠିତ ନ୍ୟାୟାଧିକରଣ ମଧ୍ୟ ଏହି ପ୍ରତିବନ୍ଧକଗୁଡ଼ିକୁ ସମର୍ଥନ କରିଥିଲେ। ବର୍ତମାନର ପ୍ରତିବନ୍ଧକ ଅବଧି ୧୪ ନଭେମ୍ବର ୨୦୨୬ରେ ଶେଷ ହେବାକୁ ଥିଲା।
ଗୃହ ମନ୍ତ୍ରଣାଳୟ ବିଜ୍ଞପ୍ତିରେ କହିଛି ଯେ, ସରକାରଙ୍କ ମତରେ ଆଇଆରଏଫ୍ ଏବଂ ଏହାର ସଦସ୍ୟମାନେ, ବିଶେଷକରି ସଂଗଠନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ଜାକିର ଅବ୍ଦୁଲ କରିମ ନାଇକ୍, ଧାର୍ମିକ ଆଧାରରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ଓ ଘୃଣାଭାବ ବଢ଼ାଇବାକୁ ପ୍ରୋତ୍ସାହିତ କରିଆସୁଛନ୍ତି। ଜାକିର ନାଇକଙ୍କ ଭାଷଣ ଓ ବକ୍ତବ୍ୟ ମାଧ୍ୟମରେ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ଓ ଘୃଣାଭାବ ବଢ଼ାଯାଇଛି। ଏହି ଭାଷଣ ମାଧ୍ୟମରେ ଭାରତ ଓ ବିଦେଶରେ ଏକ ନିର୍ଦ୍ଦିଷ୍ଟ ଧର୍ମର ଯୁବକମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରେରିତ କରାଯାଇଛି।
ବିଜ୍ଞପ୍ତିରେ କୁହାଯାଇଛି ଯେ, ସଂଗଠନର କାର୍ଯ୍ୟକଳାପ ଉପରେ ରୋକ୍ ଲଗାଯାଇ ନ ଥିଲେ ଏହା ନିଜର ଫେରାର କର୍ମୀମାନଙ୍କୁ ପୁଣିଥରେ ସଂଗଠିତ କରିପାରେ, ସାମ୍ପ୍ରଦାୟିକ ଶତ୍ରୁତା ସୃଷ୍ଟି କରିପାରେ ଏବଂ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେଇପାରେ। ସରକାର ୟୁଏପିଏର ଧାରା ୩ର ଉପଧାରା (୧) ଏବଂ (୩) ଅନୁଯାୟୀ ଆଇଆରଏଫ୍କୁ ବେଆଇନ ସଂଗଠନ ଘୋଷଣା କରିବା ସହ ପ୍ରତିବନ୍ଧକର ଅବଧି ୫ ବର୍ଷ ଧାର୍ଯ୍ୟ କରିଛନ୍ତି।
--------------
ହିନ୍ଦୁସ୍ଥାନ ସମାଚାର / ଗଗନ