ବ୍ୟକ୍ତି ନିର୍ମାଣ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ସମର୍ପିତ ଥିଲା ଏଚ୍.ଭି. ଶେଷାଦ୍ରିଙ୍କ ଜୀବନ: ପ୍ରଧାନମନ୍ତ୍ରୀ
ବେଙ୍ଗାଲୁରୁରେ ପ୍ରଶାନ୍ତି କୁଟୀରମ୍ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ - ଯୋଗକୁ ମିଳିଛି ବିଶ୍ୱସ୍ତରୀୟ ପରିଚୟ, ପ୍ରତିଯୋଗିତାମୂଳକ କ୍ରୀଡ଼ା ଭାବେ ମଧ୍ୟ ମାନ୍ୟତା - ଆୟୁର୍ବେଦ ଗବେଷଣା ଓ ହର୍ବାଲ୍ ଉତ୍ପାଦର ରପ୍ତାନିକୁ ପ୍ରୋତ୍ସାହନ ବେଙ୍ଗାଲୁରୁ, ୧୩ ନଭେମ୍ବର (ହି
ಎಚ್.ವಿ. ಶೇಷಾದ್ರಿ ಅವರ ಆರು ಕನ್ನಡ ಕೃತಿಗಳ ಇಂಗ್ಲಿಷ್ ಅನುವಾದಗಳನ್ನು ಪ್ರಧಾನಿ ನರೇಂದ್ರ ಮೋದಿ ಬಿಡುಗಡೆ ಮಾಡಿದರು.


- ବେଙ୍ଗାଲୁରୁରେ ପ୍ରଶାନ୍ତି କୁଟୀରମ୍ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

- ଯୋଗକୁ ମିଳିଛି ବିଶ୍ୱସ୍ତରୀୟ ପରିଚୟ, ପ୍ରତିଯୋଗିତାମୂଳକ କ୍ରୀଡ଼ା ଭାବେ ମଧ୍ୟ ମାନ୍ୟତା

- ଆୟୁର୍ବେଦ ଗବେଷଣା ଓ ହର୍ବାଲ୍ ଉତ୍ପାଦର ରପ୍ତାନିକୁ ପ୍ରୋତ୍ସାହନ

ବେଙ୍ଗାଲୁରୁ, ୧୩ ନଭେମ୍ବର (ହି.ସ.)। ଭାରତ ନିଜର ସଂସ୍କୃତି, ପରିଚୟ ଏବଂ ଜ୍ଞାନ-ବିଜ୍ଞାନକୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରୁଛି। ଏହାର ପରିଣାମ ସ୍ୱରୂପ ଆଜି ଭାରତର ପ୍ରୟାସରେ ସମଗ୍ର ବିଶ୍ୱ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି। ଯୋଗ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ଏକ ବିଶ୍ୱସ୍ତରୀୟ ପ୍ରତୀକ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଶୁକ୍ରବାର ବେଙ୍ଗାଲୁରୁର ଜିଗନିସ୍ଥିତ ପ୍ରଶାନ୍ତି କୁଟୀରମ୍ରେ ଆୟୋଜିତ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା, ଚିନ୍ତାନାୟକ ତଥା ଲେଖକ ଏଚ୍.ଭି. ଶେଷାଦ୍ରିଙ୍କ ଜନ୍ମଶତବାର୍ଷିକୀ ବର୍ଷକୁ ସ୍ମରଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ଯେ, ଶେଷାଦ୍ରିଜୀ ବ୍ୟକ୍ତି ନିର୍ମାଣ ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ମହାନ ଲକ୍ଷ୍ୟ ପାଇଁ ନିଜର ସମଗ୍ର ଜୀବନ ସମର୍ପିତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ଦେଶ ପରାଧୀନତାର ଶୃଙ୍ଖଳରେ ବନ୍ଧା ହୋଇଥିଲା, ସେତେବେଳେ ଗୋଟିଏ ପଟେ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀ ଦେଶର ମୁକ୍ତି ପାଇଁ ଲଢ଼େଇ କରୁଥିଲେ। ଅନ୍ୟପଟେ ସ୍ୱାମୀ ବିବେକାନନ୍ଦଙ୍କ ଭଳି ରାଷ୍ଟ୍ରଋଷିମାନେ ଭାରତର ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିବାରେ ଲାଗିଥିଲେ। ସେ ଯୁବପିଢ଼ିଙ୍କୁ ଯୋଗର ମାର୍ଗ ଦେଖାଇ ଦେଶର ଆଧ୍ୟାତ୍ମିକ ଶକ୍ତିକୁ ଏକ ନୂତନ ଦିଗ ଦେଇଥିଲେ।

ଯୋଗକୁ ପ୍ରତିଯୋଗିତାମୂଳକ କ୍ରୀଡ଼ା ଭାବେ ମାନ୍ୟତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଭାରତରେ ଯୋଗାସନକୁ ପ୍ରତିଯୋଗିତାମୂଳକ କ୍ରୀଡ଼ା ଭାବେ ମଧ୍ୟ ମାନ୍ୟତା ମିଳିଛି। ଖେଲୋ ଇଣ୍ଡିଆ ଏବଂ ଜାତୀୟ କ୍ରୀଡ଼ା ଭଳି ଆୟୋଜନରେ ଯୋଗାସନକୁ ସ୍ଥାନ ଦିଆଯାଇଛି। ଏହାଦ୍ୱାରା ଯୋଗ ସହ ଜଡ଼ିତ ଲୋକଙ୍କ ପାଇଁ ପ୍ରତିଯୋଗିତାମୂଳକ କ୍ରୀଡ଼ାରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ନୂତନ ସୁଯୋଗ ସୃଷ୍ଟି ହୋଇଛି। ଯୋଗର ପ୍ରସାର ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ।

ଆୟୁର୍ବେଦ ଗବେଷଣା ଓ ରପ୍ତାନିକୁ ପ୍ରୋତ୍ସାହନ

ଆୟୁର୍ବେଦ କ୍ଷେତ୍ରରେ ହେଉଥିବା ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ଆୟୁର୍ବେଦ ଆଧାରିତ ଗବେଷଣା ଏବଂ ପେଟେଣ୍ଟକୁ ପ୍ରୋତ୍ସାହିତ କରୁଛନ୍ତି। ଏହାର ସକାରାତ୍ମକ ପରିଣାମ ମଧ୍ୟ ସାମ୍ନାକୁ ଆସୁଛି ଏବଂ ଭାରତରୁ ଆୟୁଷ ଓ ହର୍ବାଲ୍ ଉତ୍ପାଦର ରପ୍ତାନି କ୍ରମାଗତ ଭାବେ ବୃଦ୍ଧି ପାଉଛି। ପାରମ୍ପରିକ ଚିକିତ୍ସା ଜ୍ଞାନକୁ ବୈଜ୍ଞାନିକ ଗବେଷଣା ମାଧ୍ୟମରେ ଆଗକୁ ବଢ଼ାଇବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଏଚ୍.ଭି. ଶେଷାଦ୍ରିଙ୍କ ୬ଟି ପୁସ୍ତକର ଇଂରାଜୀ ଅନୁବାଦ ଉନ୍ମୋଚିତ

ସମାରୋହ ଅବସରରେ ପ୍ରଧାନମନ୍ତ୍ରୀ ଏଚ୍.ଭି. ଶେଷାଦ୍ରିଙ୍କ ୬ଟି ପୁସ୍ତକର ଇଂରାଜୀ ଅନୁବାଦ ଉନ୍ମୋଚନ କରିଥିଲେ। ସାହିତ୍ୟ ସଙ୍ଗମ ପ୍ରକାଶନ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକଗୁଡ଼ିକ ମାଧ୍ୟମରେ ଶେଷାଦ୍ରିଙ୍କ ସାହିତ୍ୟିକ ଅବଦାନ, ବିଚାରଧାରା ଏବଂ ଚିନ୍ତନକୁ ଇଂରାଜୀ ଭାଷାଭାଷୀ ପାଠକଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ କରାଯାଇଛି।

ପାଞ୍ଚ ଦଶନ୍ଧି ଧରି ଯୋଗ, ଶିକ୍ଷା ଓ ଗବେଷଣା ପାଇଁ ସମର୍ପିତ ପ୍ରଶାନ୍ତି କୁଟୀରମ୍

୧୯୭୫ ମସିହାରେ ସ୍ଥାପିତ ପ୍ରଶାନ୍ତି କୁଟୀରମ୍ ଗତ ପାଞ୍ଚ ଦଶନ୍ଧି ଧରି ଯୋଗକୁ କେବଳ ଶାରୀରିକ ବ୍ୟାୟାମ ମଧ୍ୟରେ ସୀମିତ ନରଖି ଏହାକୁ ଶିକ୍ଷା, ବୈଜ୍ଞାନିକ ଗବେଷଣା ଏବଂ ସ୍ୱାସ୍ଥ୍ୟସେବା ସହ ଯୋଡ଼ିବାର କାର୍ଯ୍ୟ କରିଆସୁଛି। ଆଧୁନିକ ବିଜ୍ଞାନ ଓ ଭାରତର ଆଧ୍ୟାତ୍ମିକ ଜ୍ଞାନ ପରମ୍ପରା ମଧ୍ୟରେ ସେତୁ ସ୍ଥାପନ କରିବା ଏହି ଅନୁଷ୍ଠାନର ଉଦ୍ଦେଶ୍ୟ।

ପ୍ରଶାନ୍ତି କୁଟୀରମ୍ ହେଉଛି ସ୍ୱାମୀ ବିବେକାନନ୍ଦ ଯୋଗ ଗବେଷଣା ସଂସ୍ଥାନ (ଏସ୍-ଭ୍ୟାସ)ର ଏକ ପ୍ରମୁଖ ଆବାସିକ କେନ୍ଦ୍ର। ଯୋଗ ଶିକ୍ଷା, ବୈଜ୍ଞାନିକ ଗବେଷଣା ଏବଂ ସମନ୍ୱିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଅନୁଷ୍ଠାନ ଦେଶ ଓ ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ୨୦୦୨ ମସିହାରେ ଏସ୍-ଭ୍ୟାସକୁ ଡିମ୍ଡ୍ ଟୁ ବି ୟୁନିଭର୍ସିଟିର ମାନ୍ୟତା ମିଳିଥିଲା।

ପ୍ରାଚୀନ ଯୋଗ ଜ୍ଞାନକୁ ଆଧୁନିକ ଶିକ୍ଷା, ବୈଜ୍ଞାନିକ ଗବେଷଣା ଓ ସ୍ୱାସ୍ଥ୍ୟସେବା ସହ ଯୋଡ଼ି ସମାଜର ବ୍ୟାପକ ହିତ ପାଇଁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande