
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.) - ଅନ୍ୟ ଦେଶମାନଙ୍କ ସହ ଭାରତର ସମ୍ପର୍କ ଏକ ଜାତୀୟ ନୀତି ଆଧାରରେ ପରିଚାଳିତ ହୋଇଥାଏ ଏବଂ ସମସ୍ତେ ଏହାର ଅନୁପାଳନ କରିବା ଉଚିତ ବୋଲି ଶୁକ୍ରବାର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗୁରୁତ୍ୱାରୋପ କରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ଙ୍କୁ ଲାହୋରରେ ହେବାକୁ ଥିବା ପଞ୍ଜାବୀ ସମ୍ମିଳନୀରେ ଯୋଗଦେବା ପାଇଁ ମିଳିଥିବା ନିମନ୍ତ୍ରଣ ସମ୍ପର୍କରେ ସେ ଏହି ବୟାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମାନ୍ ସର୍ବସାଧାରଣରେ ଏହି ସମ୍ମିଳନୀରେ ଯୋଗଦେବାକୁ ନିଜର ଇଚ୍ଛା ପ୍ରକାଶ କରିସାରିଛନ୍ତି। ତେବେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ରାଜନୈତିକ ଅନୁମତିକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ମାନ୍ଙ୍କୁ ଭିସା ସୁବିଧା ଯୋଗାଇଦେବାକୁ ମଧ୍ୟ କହିଛି।
ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଅନ୍ୟ ଦେଶମାନଙ୍କ ସହ ସମ୍ପର୍କ କ୍ଷେତ୍ରରେ ଆମର ଏକ ଜାତୀୟ ନୀତି ରହିଛି ଏବଂ ସମସ୍ତଙ୍କଠାରୁ ଏହାର ପାଳନ ଆଶା କରାଯାଏ। ବିଦେଶ ଗସ୍ତରେ ଯାଉଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ରାଜନୈତିକ ଅନୁମତି ସମ୍ପର୍କରେ ମନ୍ତ୍ରଣାଳୟ ନିଜର ସମଗ୍ର ନୀତି ଅନୁଯାୟୀ ମୂଲ୍ୟାଙ୍କନ କରିଥାଏ ଏବଂ ସେହି ଅନୁସାରେ ନିଷ୍ପତି ନିଆଯାଏ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ପ୍ରତି ଆମର ଆଭିମୁଖ୍ୟ ସ୍ପଷ୍ଟ ରହିବା ଉଚିତ।
ଉଲ୍ଲେଖଯୋଗ୍ୟ, ପଞ୍ଜାବର ମୁଖ୍ୟମନ୍ତ୍ରୀ ମାନ୍ଙ୍କୁ ପାକିସ୍ତାନର ଲାହୋରଠାରେ ନଭେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱ ପଞ୍ଜାବୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।
ପାକିସ୍ତାନର ବିଦେଶ କାର୍ଯ୍ୟାଳୟର ମୁଖପାତ୍ର ସଜ୍ଜାଦ ହାଇଦର ଖାନ୍ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମାନ୍ ଯଦି ଏହି ବୈଠକରେ ଯୋଗଦେବାକୁ ଚାହାନ୍ତି, ତେବେ ତାଙ୍କୁ ଭିସା ପ୍ରଦାନ କରିବା ଲାଗି ପାକିସ୍ତାନ ବିଚାର କରିବାକୁ ପ୍ରସ୍ତୁତ ଅଛି। ଏହି ଗସ୍ତ ପାଇଁ ଭିସା ପ୍ରଦାନ କରିବା ସହ ଭାରତର ଅନୁମତିର କୌଣସି ସମ୍ପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
-------------------
ହିନ୍ଦୁସ୍ଥାନ ସମାଚାର / ଗଗନ