

ଭୁବନେଶ୍ୱର,୧୩ ନଭେମ୍ବର (ହି.ସ.)- ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ କଂଗ୍ରେସ ବୟକଟ୍ କରିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଆସନ୍ତା ୧୬ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ଓରିଏେଂଟସନ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବେ। ତେବେ ଏଥିରେ କଂଗ୍ରେସ ଯୋଗ ଦେବନି ବୋଲି ପିସିସି ସଭାପତି କହିବା ସହ ବିଜେଡି ମଧ୍ୟ ବୟକଟ୍ କରୁ ବୋଲି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ସାମ୍ବିଧାନିକ ପଦ,ସେଥିପ୍ରତି ଯଥେଷ୍ଟ ସମ୍ମାନ ରହିଛି। ମାତ୍ର ଏ ସରକାରରେ ବିଧାୟକମାନଙ୍କର ସମ୍ମାନ ନାହିଁ ତେଣୁ ବୟକଟ ଦରକାର।ବିରୋଧୀ ବିଧାୟକ ଭଲଭାବେ ତାଲିମପ୍ରାପ୍ତ, ବିଜେପି ବିଧାୟକଙ୍କୁ ଟ୍ରେନିଂ ଦରକାର ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ କଂଗ୍ରେସର ବୟକଟ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ସେମାନେ ପ୍ରଶିକ୍ଷଣ ନେଇଛନ୍ତି ବିଧାନସଭା ଗଲେ ଗଣ୍ଡଗୋଳ କରିବୁ। କାହାକୁ କୁହାଇ ଦେବୁନି କି ତର୍କ ବିତର୍କକୁ ଆସିବୁ ନାହିଁ। ସେମାନଙ୍କୁ ପ୍ରଶିକ୍ଷଣ, ଜ୍ଞାନ କି ପଢ଼ିବାର ଦରକାର ନାହିଁ ।୨୫ବର୍ଷ ଶାସନ କରିବାର ବିଫଳତା ରାଜ୍ୟବାସୀ ଜାଣିଛନ୍ତି। ଫାଇଲିନ, ହୁଡୁହୁଡୁ, ଫନି ମୃତ୍ୟୁର ଜବାବ କିଏ ଦେଲେ ? ଆଜି ପର୍ଯ୍ୟନ୍ତ କହୁଥିଲେ ଜିରୋ କାଜୁଆଲିଟିରେ ଚଳେଇଲୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା