ତ୍ରିଶା ଜଲ୍ଲୀ, ଗାୟତ୍ରୀ ଗୋପୀଚାନ୍ଦ, ଦିବ୍ୟା ଦେଶମୁଖ ଓ ତେଜସ୍ୱିନ ଶଙ୍କରଙ୍କ ସମେତ ୧୭ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଜାତୀୟ କ୍ରୀଡ଼ା ପୁରସ୍କାର-୨୦୨୫ ପ୍ରଦାନ କରିଛନ୍ତି। ବ୍ୟାଡମିଣ୍ଟନ ଖେଳାଳି ତ୍ରିଶା ଜଲ୍ଲୀ ଓ ଗାୟତ୍ରୀ ଗୋପୀଚାନ୍ଦ, ଚେସ୍ ଖେଳାଳି ଦିବ୍ୟା ଦେଶମୁଖ ଓ ବିଦିତ ଗୁଜରାଟୀ ଏବଂ ଡେକାଥଲନ୍ ଆଥଲେଟ୍ ତେଜସ୍ୱିନ ଶଙ୍କରଙ୍କ ସମେତ
राष्ट्रपति भवन में आयोजित कार्यक्रम में खिलाड़ियों को पुरस्कार से नवाजतीं राष्ट्रपति द्रौपदी मुर्मु।


राष्ट्रपति भवन में आयोजित कार्यक्रम में खिलाड़ियों को पुरस्कार से नवाजतीं राष्ट्रपति द्रौपदी मुर्मु।


ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଜାତୀୟ କ୍ରୀଡ଼ା ପୁରସ୍କାର-୨୦୨୫ ପ୍ରଦାନ କରିଛନ୍ତି। ବ୍ୟାଡମିଣ୍ଟନ ଖେଳାଳି ତ୍ରିଶା ଜଲ୍ଲୀ ଓ ଗାୟତ୍ରୀ ଗୋପୀଚାନ୍ଦ, ଚେସ୍ ଖେଳାଳି ଦିବ୍ୟା ଦେଶମୁଖ ଓ ବିଦିତ ଗୁଜରାଟୀ ଏବଂ ଡେକାଥଲନ୍ ଆଥଲେଟ୍ ତେଜସ୍ୱିନ ଶଙ୍କରଙ୍କ ସମେତ ୧୭ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ତେବେ ଏଥର କୌଣସି ଖେଳାଳିଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ମିଳିନାହିଁ। ୨୦୧୪ ପରେ ପ୍ରଥମ ଥର ପାଇଁ କାହାକୁ ଏହି ପୁରସ୍କାର ପ୍ରଦାନ କରାଯାଇନାହିଁ।

ଶୁକ୍ରବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଫୁଟବଲ ଖେଳାଳି ଇସାୟା ଅରୁମନାୟଗମଙ୍କୁ ଅର୍ଜୁନ ପୁରସ୍କାର (ଆଜୀବନ ସାଧନା) ପ୍ରଦାନ କରାଯାଇଥିଲା। ଆଥଲେଟିକ୍ସ କୋଚ୍ ପରବୀର ସିଂହ, ବକ୍ସିଂ କୋଚ୍ ଛୋଟେଲାଲ ଯାଦବ ଏବଂ ଶୁଟିଂ କୋଚ୍ ନେହା ନନ୍ଦକୁମାର ଚୌହାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବକ୍ସିଂ କୋଚ୍ ଧର୍ମେନ୍ଦ୍ର ସିଂହ ଯାଦବ ଏବଂ କୁସ୍ତି କୋଚ୍ ବୀରେନ୍ଦ୍ର କୁମାରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରର ଆଜୀବନ ସାଧନା ବର୍ଗରେ ସମ୍ମାନ ପ୍ରଦାନ କରାଯାଇଥିଲା।

ଅର୍ଜୁନ ପୁରସ୍କାର ପାଇଥିବା ଖେଳାଳିଙ୍କ ମଧ୍ୟରେ ବିଶ୍ୱକପ୍ ବିଜୟିନୀ ଚେସ୍ ଖେଳାଳି ଦିବ୍ୟା ଦେଶମୁଖ, ଚେସ୍ ଅଲିମ୍ପିଆଡ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ବିଦିତ ଗୁଜରାଟୀ, ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତା ତେଜସ୍ୱିନ ଶଙ୍କର ଏବଂ ମହିଳା ବ୍ୟାଡମିଣ୍ଟନ ଯୁଗଳ ଯୋଡ଼ି ତ୍ରିଶା ଜଲ୍ଲୀ ଓ ଗାୟତ୍ରୀ ଗୋପୀଚାନ୍ଦ ସାମିଲ ଅଛନ୍ତି।

ଏହାବ୍ୟତୀତ ଆଥଲେଟିକ୍ସରେ ମହମ୍ମଦ ଅଜମଲ ବରିୟାଥୋଡି ଏବଂ ରେସ୍ ୱାକର ପ୍ରିୟଙ୍କା ଗୋସ୍ୱାମୀ, ବକ୍ସିଂରେ ନରେନ୍ଦ୍ର ବେରୱାଲ, ହକିରେ ତାଲରେମସିଆମି ହର୍ଜୋର୍ଟ ଓ ରାଜକୁମାର ପାଲ, କବାଡ଼ିରେ ସୁରଜିତ ଓ ପୂଜା, ରୋଇଂରେ ଅରବିନ୍ଦ ସିଂହ ଏବଂ ଶୁଟିଂରେ ଅଖିଲ ଶ୍ୟୋରାଣଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ଦିଆଯାଇଛି। ପାରା କ୍ରୀଡ଼ା ବର୍ଗରେ ଏକତା ଭ୍ୟାନ୍ ଓ ରୁଦ୍ରାଂଶ ଖଣ୍ଡେଲୱାଲଙ୍କୁ ଏହି ସମ୍ମାନ ମିଳିଛି। ପାରା ଶୁଟର ଧନୁଷ ଶ୍ରୀକାନ୍ତଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଦିବ୍ୟା ଦେଶମୁଖ ୨୦୨୫ରେ ଫିଡେ ମହିଳା ବିଶ୍ୱକପ୍ ଜିତି ଏହି ଟାଇଟଲ ହାସଲ କରିବାରେ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ଅର୍ଜନ କରିଥିଲେ। ବାକୁଠାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ସେ ଭାରତର ଅଭିଜ୍ଞ ଖେଳାଳି କୋନେରୁ ହମ୍ପିଙ୍କୁ ରାପିଡ୍ ଟାଇବ୍ରେକ୍ରେ ୧.୫-୦.୫ରେ ପରାସ୍ତ କରିଥିଲେ। ସେହିପରି ତେଜସ୍ୱିନ ଶଙ୍କର ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଡେକାଥଲନ୍ରେ କାଂସ୍ୟ ପଦକ ଜିତି ଇତିହାସ ରଚିଥିଲେ। ଏହି ଇଭେଣ୍ଟରେ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ଆଥଲେଟ୍ ହୋଇଥିଲେ। ବିଦିତ ଗୁଜରାଟୀ ୨୦୨୪ ଚେସ୍ ଅଲିମ୍ପିଆଡ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ।

ସମାରୋହରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିଥିବା ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଦିବ୍ୟା ଦେଶମୁଖ, ବିଦିତ ଗୁଜରାଟୀ, ବକ୍ସର ନରେନ୍ଦ୍ର ବେରୱାଲ ଏବଂ ଯୁବ ବଧିର ଶୁଟର ଧନୁଷ ଶ୍ରୀକାନ୍ତ ସାମିଲ ଥିଲେ। ତ୍ରିଶା ଜଲ୍ଲୀ ଓ ଗାୟତ୍ରୀ ଗୋପୀଚାନ୍ଦ ଜାପାନ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବାରୁ ସମାରୋହରେ ଯୋଗଦେଇ ପାରିନଥିଲେ। ୧୯୬୨ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଫୁଟବଲ ଦଳର ସଦସ୍ୟ ଇସାୟା ଅରୁମନାୟଗମଙ୍କୁ କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଅର୍ଜୁନ ପୁରସ୍କାରର ଆଜୀବନ ସାଧନା ବର୍ଗରେ ସମ୍ମାନିତ କରାଯାଇଥିଲା।

ଏହାବ୍ୟତୀତ ରାଷ୍ଟ୍ରପତି ପୁଣେର ଆର୍ମି ପାରାଲିମ୍ପିକ୍ ନୋଡ୍କୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଥିଲେ। ଲେଫ୍ଟନାଣ୍ଟ କର୍ଣ୍ଣେଲ ଦଲଜିତ ସିଂହ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। କ୍ରୀଡ଼ାର ପ୍ରୋତ୍ସାହନ ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ସଂସ୍ଥା ଏବଂ ଅଣସରକାରୀ ସଂଗଠନଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ଏଥିସହିତ ତେନଜିଂ ନର୍ଗେ ଜାତୀୟ ସାହସିକତା ପୁରସ୍କାର-୨୦୨୪ ମଧ୍ୟ ପ୍ରଦାନ କରାଯାଇଥିଲା। ସ୍ଥଳ ସାହସିକତା ବର୍ଗରେ ବତଜିତ କୌର ଓ ସ୍କଲଜାଙ୍ଗ ରିଗଜିନ, ଜଳ ସାହସିକତା ବର୍ଗରେ ରିମୋ ସାହା ଏବଂ ଆଜୀବନ ସାଧନା ବର୍ଗରେ ଶିବ ପ୍ରସାଦ ଚମୋଲିଙ୍କୁ ସମ୍ମାନିତ କରାଯାଇଥିଲା। ସାହସିକ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଅବଦାନକୁ ସ୍ୱୀକୃତି ଦେବା ଏହି ପୁରସ୍କାରର ଉଦ୍ଦେଶ୍ୟ। ଏହା ଧୈର୍ଯ୍ୟ, ବିପଦକୁ ସାମ୍ନା କରିବାର କ୍ଷମତା, ଦଳଗତ ଭାବନା ଏବଂ କଠିନ ପରିସ୍ଥିତିରେ ନିଷ୍ପତ୍ତି ନେବାର ଦକ୍ଷତାକୁ ପ୍ରୋତ୍ସାହିତ କରିଥାଏ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande