
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)- ଭାରତୀୟ ନିବେଶକଙ୍କ ପାଇଁ ଏବେ ବିଦେଶୀ ବଜାରରେ ନିବେଶ କରିବାର ପରିସର ଆହୁରି ବ୍ୟାପକ ହୋଇଛି। ଏପର୍ଯ୍ୟନ୍ତ କେବଳ ଆମେରିକାର ଷ୍ଟକ୍ ବଜାରରେ ନିବେଶ କରିପାରୁଥିବା ଘରୋଇ ନିବେଶକମାନେ ଏବେ ୟୁରୋପର ପ୍ରମୁଖ ବଜାରଗୁଡ଼ିକରେ ମଧ୍ୟ ସହଜରେ ଅର୍ଥ ନିବେଶ କରିପାରିବେ। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ଗିଫ୍ଟ ସିଟିସ୍ଥିତ ସହାୟକ କମ୍ପାନୀ ଏନ୍ଏସ୍ଇଆଇଏକ୍ସ ଗ୍ଲୋବାଲ ଆକ୍ସେସ୍ ଆଇଏଫ୍ଏସ୍ସି ଲିମିଟେଡ୍ (ଏନ୍ଏସ୍ଇଆଇଏକ୍ସଜିଏ) ନିଜର ଅନ୍ତର୍ଜାତୀୟ ନିବେଶ ସେବାର ବ୍ୟାପକ ସମ୍ପ୍ରସାରଣ କରିଛି।
ଏହି ନୂଆ ସମ୍ପ୍ରସାରଣ ଅନୁଯାୟୀ, ପ୍ଲାଟଫର୍ମରେ ୟୁରୋପର ୭ଟି ପ୍ରମୁଖ ଦେଶର ଷ୍ଟକ୍ ବଜାରକୁ ସାମିଲ କରାଯାଇଛି। ଏହି ଦେଶଗୁଡ଼ିକ ହେଉଛି ଫ୍ରାନ୍ସ, ଜର୍ମାନୀ, ଆୟର୍ଲାଣ୍ଡ, ଇଟାଲୀ, ନେଦରଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ ଏବଂ ୟୁନାଇଟେଡ୍ କିଙ୍ଗଡମ୍। କମ୍ପାନୀର ଏହି ଘୋଷଣା ପରେ ଭାରତୀୟ ନିବେଶକଙ୍କ ପାଇଁ ବିଶ୍ୱସ୍ତରରେ ନିବେଶର ନୂଆ ସୁଯୋଗ ସୃଷ୍ଟି ହୋଇଛି।
ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ନିବେଶକମାନେ ୧୧,୫୦୦ରୁ ଅଧିକ ଅନ୍ତର୍ଜାତୀୟ ପ୍ରତିଭୂତିରେ ସିଧାସଳଖ ନିବେଶ କରିବାର ସୁଯୋଗ ପାଇବେ। ଏଥିରେ ୮,୨୦୦ରୁ ଅଧିକ ୟୁସିଆଇଟିଏସ୍ ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍ (ଇଟିଏଫ୍) ସାମିଲ ରହିଛି। ଏହାବ୍ୟତୀତ ନିବେଶକମାନେ ଏହି ୭ଟି ଦେଶର ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ବଡ଼ ୟୁରୋପୀୟ କମ୍ପାନୀଗୁଡ଼ିକର ସେୟାର କିଣାବିକା ମଧ୍ୟ କରିପାରିବେ।
ଏନ୍ଏସ୍ଇଆଇଏକ୍ସଜିଏ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ନିବେଶକଙ୍କ ମଧ୍ୟରେ ବିଶ୍ୱ ବଜାରରେ ନିବେଶ କରିବା ପ୍ରତି ଆଗ୍ରହ ଦ୍ରୁତଗତିରେ ବୃଦ୍ଧି ପାଇଛି। ନିବେଶକମାନେ ଏବେ ନିଜର ନିବେଶକୁ କେବଳ ଘରୋଇ ବଜାରରେ ସୀମିତ ନରଖି ବିଶ୍ୱର ବିଭିନ୍ନ ଅର୍ଥନୀତିରେ ବିସ୍ତାର କରିବାକୁ ଚାହୁଁଛନ୍ତି। ଏହି ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଗିଫ୍ଟ ସିଟିର ଏହି ପ୍ଲାଟଫର୍ମ ୟୁରୋପୀୟ ବଜାରଗୁଡ଼ିକୁ ନିଜ ବ୍ୟବସ୍ଥାରେ ସାମିଲ କରିବାକୁ ନିଷ୍ପତି ନେଇଛି।
ଏହି ପଦକ୍ଷେପର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ୟୁସିଆଇଟିଏସ୍ ଇଟିଏଫ୍ର ଉପଲବ୍ଧତା। ଏଗୁଡ଼ିକ ୟୁରୋପୀୟ ସଂଘର କଠୋର ଓ ସ୍ୱଚ୍ଛ ନିୟାମକ ଢାଂଚା ଅନୁଯାୟୀ ପରିଚାଳିତ ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍। ଏହି ଫଣ୍ଡ୍ ମାଧ୍ୟମରେ ନିବେଶକମାନେ ବିଶ୍ୱର ବିଭିନ୍ନ ସୂଚକାଙ୍କ, କ୍ଷେତ୍ର, ବିଷୟଭିତିକ ନିବେଶ ଓ ସମ୍ପତି ବର୍ଗରେ ଏକାସାଙ୍ଗରେ ନିବେଶ କରିପାରିବେ।
ବିଶେଷଜ୍ଞଙ୍କ ମତରେ, ଭାରତୀୟ ନିବେଶକଙ୍କ ପାଇଁ ୟୁସିଆଇଟିଏସ୍ ଇଟିଏଫ୍ର ଢାଂଚା ଅନେକ ଦୃଷ୍ଟିରୁ ଲାଭଦାୟକ ହୋଇପାରେ। ଆମେରିକାର ବଜାରରେ ତାଲିକାଭୁକ୍ତ ଇଟିଏଫ୍ରେ ନିବେଶ କଲେ ଭାରତୀୟ ନିବେଶକଙ୍କୁ ଲାଭାଂଶ ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଉତ୍ସରେ ଟିକସ (ୱିଥ୍ହୋଲ୍ଡିଂ ଟ୍ୟାକ୍ସ) ଦେବାକୁ ପଡ଼ିଥାଏ। ଏହାବ୍ୟତୀତ ଆମେରିକୀୟ ସମ୍ପତି ଉପରେ ଏଷ୍ଟେଟ୍ ଟ୍ୟାକ୍ସର ବିପଦ ମଧ୍ୟ ରହିଥାଏ।
ଏହାର ବିପରୀତରେ, ଆୟର୍ଲାଣ୍ଡ କିମ୍ବା ଲକ୍ସେମବର୍ଗ ଭଳି ୟୁରୋପୀୟ ଦେଶରେ ପଞ୍ଜୀକୃତ ୟୁସିଆଇଟିଏସ୍ ଇଟିଏଫ୍ରେ ନିବେଶ କଲେ ଟିକସ ହାର ଯଥେଷ୍ଟ କମ୍ ରହିଥାଏ ଏବଂ ଏଷ୍ଟେଟ୍ ଟ୍ୟାକ୍ସର ଆଶଙ୍କା ମଧ୍ୟ ନଥାଏ। ଏହି କାରଣରୁ ବିଶ୍ୱର ଅନେକ ସଂସ୍ଥାଗତ ଓ ବ୍ୟକ୍ତିଗତ ନିବେଶକ ଅନ୍ତର୍ଜାତୀୟ ନିବେଶ ପାଇଁ ଏହି ମାଧ୍ୟମକୁ ଅଧିକ ପସନ୍ଦ କରୁଛନ୍ତି।
ଏହି ପ୍ଲାଟଫର୍ମର ଆଉ ଏକ ବଡ଼ ସୁବିଧା ହେଉଛି, ନିବେଶକମାନଙ୍କୁ ବିଭିନ୍ନ ଦେଶ ପାଇଁ ଅଲଗା ଅଲଗା ଆକାଉଣ୍ଟ ଖୋଲିବାକୁ ପଡ଼ିବ ନାହିଁ। ଗୋଟିଏ ଏକୀକୃତ ଆକାଉଂଟ ମାଧ୍ୟମରେ ନିବେଶକମାନେ ଆମେରିକା ସହିତ ଏହି ୭ଟି ୟୁରୋପୀୟ ବଜାରରେ ମଧ୍ୟ ସହଜରେ କାରବାର କରିପାରିବେ। ଏହି ସମସ୍ତ ପ୍ରକ୍ରିୟା ଭାରତୀୟ ରିଜର୍ଭ ବ୍ୟାଙ୍କର ଲିବରାଲାଇଜଡ୍ ରେମିଟାନ୍ସ ସ୍କିମ୍ (ଏଲ୍ଆର୍ଏସ୍) ଏବଂ ଗିଫ୍ଟ ସିଟିର ନିୟାମକ ନିୟମ ଅନୁଯାୟୀ ସମ୍ପନ୍ନ ହେବ।
ବଜାର ବିଶେଷଜ୍ଞଙ୍କ ମତରେ, ଏହି ପଦକ୍ଷେପ ଘରୋଇ ନିବେଶକଙ୍କୁ ନିଜ ନିବେଶରେ ଭୌଗୋଳିକ ବିବିଧତା ଆଣିବାରେ ବେଶ୍ ସହାୟକ ହେବ। ଭାରତୀୟ ସେୟାର ବଜାରରେ ଅସ୍ଥିରତା କିମ୍ବା ମାନ୍ଦାବସ୍ଥା ଦେଖାଦେଲେ ଆମେରିକା ଓ ୟୁରୋପୀୟ ବଜାରରେ ନିବେଶ ପୋର୍ଟଫୋଲିଓକୁ ସନ୍ତୁଳନ ପ୍ରଦାନ କରିପାରିବ। ଆଗାମୀ ଦିନରେ ଏହି ପ୍ଲାଟଫର୍ମରେ ବିଶ୍ୱର ଆଉ କିଛି ପ୍ରମୁଖ ବଜାରକୁ ମଧ୍ୟ ସାମିଲ କରାଯିବାର ସମ୍ଭାବନା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ