
ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ୧୫,୬୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଦେବେ ଭେଟି
- ମାଙ୍ଗାଲୁରୁରେ ଦେଶର ସର୍ବବୃହତ୍ ଭୂତଳ ଏଲ୍ପିଜି ସଂରକ୍ଷଣ କେନ୍ଦ୍ରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ କରିବେ ସମର୍ପଣ
- ଗୁଜରାଟର ବନାସକାଣ୍ଠାସ୍ଥିତ ଅମ୍ବାଜୀ ମନ୍ଦିରରେ କରିବେ ଦର୍ଶନ ଓ ପୂଜାର୍ଚ୍ଚନା
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ କର୍ଣ୍ଣାଟକ ଓ ଗୁଜରାଟର ଦୁଇଦିନିଆ ଗସ୍ତରେ ରହିବେ। ଏହି ଗସ୍ତ ଅବସରରେ ସେ ଆଜି ସକାଳ ପ୍ରାୟ ୧୦ଟା ୪୫ ମିନିଟ୍ରେ ବେଙ୍ଗାଲୁରୁସ୍ଥିତ ପ୍ରଶାନ୍ତି କୁଟୀରମ୍ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ।
ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ତାଭାରେକେରେରୁ ଆଇଆଇଏମ୍ ବେଙ୍ଗାଲୁରୁ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଏଥିରେ ଯାତ୍ରା କରିବେ। ଅପରାହ୍ନ ପ୍ରାୟ ୧ଟା ୧୫ ମିନିଟ୍ରେ ସେ ବେଙ୍ଗାଲୁରୁରେ ୧୫,୬୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ। ଏହି ଅବସରରେ ସେ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।
ଏହାପରେ ପ୍ରଧାନମନ୍ତ୍ରୀ ମହୀଶୂର ଗସ୍ତ କରିବେ। ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ୍ରେ ସେ କସ୍ମୋସ୍-ମହୀଶୂର ତାରାମଣ୍ଡଳର ଉଦ୍ଘାଟନ କରିବେ। ଏହି ଅବସରରେ ସେ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।
ନଭେମ୍ବର ୧୪ ତାରିଖରେ ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଗୁଜରାଟର ବନାସକାଣ୍ଠାସ୍ଥିତ ଅମ୍ବାଜୀ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ଅମ୍ବାଜୀ ମନ୍ଦିର ୫୧ଟି ପୂଜନୀୟ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ। ଏନେଇ ଏକ ସରକାରୀ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା