
ଝାରସୁଗୁଡ଼ା, ୧୩ ନଭେମ୍ବର (ହି.ସ.)- ଆଜି କିର୍ମିରା ଠାରେ ପଞ୍ଚାୟତ ସମିତିର ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ମୌଳିକ ଭିତ୍ତିଭୂମିର ବିକାଶ ଏବଂ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ବୈଠକରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଯେପରି ତୃଣମୂଳ ସ୍ତରରେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ଏବଂ ଏହାର ସଫଳ ରୂପାୟନ ହୋଇପାରିବ, ସେ ନେଇ ବିଧାୟକ ତ୍ରିପାଠୀ ସମୀକ୍ଷା କରିଥିଲେ। ଚାଲିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ସହ ଗୁଣବତ୍ତା ବଜାୟ ରଖିବାକୁ ସେ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ। ଅଞ୍ଚଳର ସାମଗ୍ରିକ ବିକାଶକୁ ଅଧିକ ଗତିଶୀଳ ଓ ସୁଦୃଢ଼ କରିବା ସହ ସାଧାରଣ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ଦିଗରେ ସମସ୍ତେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ।
ଉକ୍ତ ପଞ୍ଚାୟତ ସମିତି ସଭାରେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁ, ଉପାଧ୍ୟକ୍ଷା ସାବିତ୍ରୀ ମାଝୀ, କିର୍ମିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିନାଶ ଲାକ୍ରା ଏବଂ ତହସିଲଦାର ସଞ୍ଜୀବ କୁଲୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନମୂଳକ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ଏଥିସହ ବୈଠକରେ ବିଜୟ ଶର୍ମା ଏବଂ ଉଦ୍ଧବ ସିଂ ନାଏକଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ