
ଝାରସୁଗୁଡ଼ା, ୧୩ ନଭେମ୍ବର (ହି.ସ.)- ବ୍ରଜରାଜନଗର ପୌରପରିଷଦ ଆନୁକୂଲ୍ୟରେ ଆଜି 'ମଧୁବାବୁ ପେନ୍ସନ୍ ଯୋଜନା' ଏବଂ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା' ଅନ୍ତର୍ଗତ ନୂତନ ଭତ୍ତା ତଥା ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସମ୍ମାନିତ ଅତିଥି ଭାବେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଯୋଗଦେଇ ମୋଟ ୧,୩୧୦ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ଏବଂ ୧୪ ଜଣ ହିତାଧିକାରୀଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ୧,୩୧୦ ଜଣ ନୂତନ ଭତ୍ତା ହିତାଧିକାରୀଙ୍କ ମଧ୍ୟରେ ୮୪୪ ଜଣ ବାର୍ଦ୍ଧକ୍ୟ ଭତ୍ତା, ୨୨୮ ଜଣ ବିଧବା ଭତ୍ତା, ୮୯ ଜଣ ଭିନ୍ନକ୍ଷମ ଭତ୍ତା ଏବଂ ୬୫ ଜଣ ଅବିବାହିତା ମହିଳା ଭତ୍ତା ହିତାଧିକାରୀ ରହିଛନ୍ତି। ଏହା ସହିତ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ୨୯ ଜଣ ବାର୍ଦ୍ଧକ୍ୟ ଭତ୍ତା ଓ ୨୮ ଜଣ ଭିନ୍ନକ୍ଷମ ଭତ୍ତା ହିତାଧିକାରୀ ଏବଂ ୨୭ ଜଣ ବିବାହ ବିଚ୍ଛେଦିତା ମହିଳାଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ତତ୍ସହିତ ୧୪ ଜଣ ଯୋଗ୍ୟ ପରିବାରକୁ ନୂତନ ପିଏମଏୱାଇ କାର୍ଯ୍ୟାଦେଶ ହସ୍ତାନ୍ତର କରାଯାଇଛି। ଏହି ନୂତନ ଅନ୍ତର୍ଭୁକ୍ତିକରଣ ପରେ ବ୍ରଜରାଜନଗର ପୌରପରିଷଦରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୫,୪୩୦କୁ ବୃଦ୍ଧି ପାଇଛି। ସଭାକୁ ସମ୍ବୋଧିତ କରି ଅତିଥିମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ସବ୍କା ସାଥ୍, ସବ୍କା ବିକାଶ' ମନ୍ତ୍ର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ରାଜ୍ୟ ସରକାର ସମାଜର ପ୍ରତ୍ୟେକ ବର୍ଗର କଲ୍ୟାଣ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ହିଁ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।
ଏହି ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରଜରାଜନଗର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ଵାଇଁ, ଭାରପ୍ରାପ୍ତ ଅଧ୍ୟକ୍ଷ ଗୋପାଳ ସୀତାନୀ ଏବଂ ସାଂସଦଙ୍କ ପ୍ରତିନିଧି ବବଲୁ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ