
ଝାରସୁଗୁଡ଼ା, ୧୩ ନଭେମ୍ବର (ହି.ସ.)- କୋଲାବିରା ବ୍ଲକ୍ ପ୍ରଶାସନ ଆନୁକୂଲ୍ୟରେ ଏକ ନୂତନ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ବ୍ଲକର ୨୩୧ ଜଣ ନୂତନ ଓ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି। ଏହି ଅବସରରେ ବିଧାୟକ ତ୍ରିପାଠୀ ନିଜ ଅଭିଭାଷଣରେ କହିଥିଲେ ଯେ, ସମାଜର ଅବହେଳିତ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇଦେବା ପାଇଁ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯେପରି କୌଣସି ଯୋଗ୍ୟ ହିତାଧିକାରୀଙ୍କ ଠାରୁ ବାଦ୍ ନ ପଡ଼େ, ସେଥିପ୍ରତି ପ୍ରଶାସନ ଏବଂ ଜନପ୍ରତିନିଧିମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କୋଲାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିନାଶ ଲାକ୍ରା ଉପସ୍ଥିତ ରହି ସରକାରୀ ପେନସନ ଓ ସାମାଜିକ ସୁରକ୍ଷା ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ରାଜେଶ ଦାସ, ଝିର୍ଲାପାଲୀ ସରପଞ୍ଚ ତିଳୋତ୍ତମା ଛଚ୍ଛାନ, ପରମାଣପୁର ସରପଞ୍ଚ ଏବଂ କୋଲାବିରା ସରପଞ୍ଚଙ୍କ ସମେତ ବ୍ଲକ୍ ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ