

ଲକ୍ଷ୍ନୌ, ୧୩ ନଭେମ୍ବର (ହି.ସ.) - ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ବିକଶିତ ଭାରତର ସ୍ୱପ୍ନ କେବଳ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ସୀମିତ ନୁହେଁ। ଆମର ଲକ୍ଷ୍ୟ ହେଉଛି ଏଭଳି ଏକ ରାଷ୍ଟ୍ର ଗଠନ କରିବା, ଯେଉଁଠାରେ ପରିବାରରେ ସଂସ୍କାର, ସମାଜରେ ସଦ୍ଭାବନା, ମହିଳାଙ୍କ ପ୍ରତି ସମ୍ମାନ, ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା ଏବଂ ନାଗରିକଙ୍କ ମନରେ ରାଷ୍ଟ୍ର ପ୍ରତି କର୍ତବ୍ୟବୋଧ ରହିଥିବ। ସେ କହିଛନ୍ତି ଯେ, ଦେଶ କେବଳ ଆଇନ ଦ୍ୱାରା ନୁହେଁ, ବରଂ ଚରିତ୍ର ଦ୍ୱାରା ପରିଚାଳିତ ହୋଇଥାଏ। ଆଇନ ଦ୍ୱାରା ଶୃଙ୍ଖଳା ବଜାୟ ରଖାଯାଇପାରେ, କିନ୍ତୁ ସମାଜରେ ବିଶ୍ୱାସ ଓ ସଦ୍ଭାବନା କେବଳ ଉତମ ସଂସ୍କାର ଦ୍ୱାରା ସୃଷ୍ଟି ହୋଇଥାଏ।
ଶୁକ୍ରବାର ଲକ୍ଷ୍ନୌର ସୁଲତାନପୁର ରୋଡ୍ସ୍ଥିତ ବ୍ରହ୍ମାକୁମାରୀଜ୍ର ରାଜଯୋଗ ପ୍ରଶିକ୍ଷଣ କେନ୍ଦ୍ର ‘ଗୁଲଜାର ଉପବନ’ରେ ନବନିର୍ମିତ ‘ଦିବ୍ୟ ସଂସ୍କୃତି ଭବନ’ର ଉଦ୍ଘାଟନ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ଏହି ମତ ପ୍ରକାଶ କରିଥିଲେ।
ରାଜନାଥ ସିଂହ କହିଥିଲେ ଯେ, ଏହି ଭବନ ସୂର୍ଯ୍ୟଙ୍କ ପରି କେବଳ ଲକ୍ଷ୍ନୌ ନୁହେଁ, ବରଂ ସମଗ୍ର ବିଶ୍ୱରେ ଆଧ୍ୟାତ୍ମିକତାର ଆଲୋକ ପ୍ରସାର କରିବାରେ ସହାୟକ ହେବ। ବ୍ରହ୍ମାକୁମାରୀଜ୍ ଆଧ୍ୟାତ୍ମିକତା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନରେ ପୂର୍ଣ୍ଣତା ଆଡ଼କୁ ଅଗ୍ରସର ହେବାର ସୁଯୋଗ ଦେଇଛି। ଏହି ସଂସ୍ଥା ପ୍ରାୟ ୧୪୦ଟି ଦେଶରେ ପହଂଚି ମାନବତାକୁ ଶାନ୍ତି, ସନ୍ତୁଳନ ଓ ଆତ୍ମସମ୍ମାନର ବାର୍ତା ଦେଉଛି।
ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, ବ୍ରହ୍ମାକୁମାରୀଜ୍ର ଭଉଣୀମାନେ ନିଶାମୁକ୍ତି ଅଭିଯାନ ଚଳାଉଛନ୍ତି। ସଂସ୍ଥାର ସଦସ୍ୟମାନେ ନିଜର ସେବା କାର୍ଯ୍ୟ ମାଧ୍ୟମରେ ରାଷ୍ଟ୍ର ନିର୍ମାଣକୁ ଗତି ଦେଉଛନ୍ତି। ଏଭଳି ପ୍ରୟାସ ଆଧ୍ୟାତ୍ମିକ ଚେତନା, ସେବାଭାବ ଓ ସମର୍ପଣ ଦ୍ୱାରା ହିଁ ସମ୍ଭବ। ଆଧ୍ୟାତ୍ମିକ ବିକାଶ କେବଳ ବ୍ୟକ୍ତିଗତ ମୁକ୍ତିର ମାର୍ଗ ନୁହେଁ, ବରଂ ଜାତୀୟ ଚରିତ୍ର ଗଠନର ମାଧ୍ୟମ ମଧ୍ୟ।
ସେ କହିଥିଲେ ଯେ, ରାଜନୀତି କେବଳ କ୍ଷମତା ହାସଲ କରିବାର ମାଧ୍ୟମ ନୁହେଁ, ବରଂ ସମାଜ ଓ ରାଷ୍ଟ୍ରକୁ ଦିଗ୍ଦର୍ଶନ ଦେବାର ଏକ ପବିତ୍ର ଉପାୟ। ଆଜି ରାଜନୀତିର ନାଁ ଶୁଣିଲେ ଯୁବପିଢ଼ିଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି ହେଉଛି। ଏଭଳି ସ୍ଥିତିରେ ରାଜନୀତିକୁ ଆଧ୍ୟାତ୍ମିକତା ଓ ସେବା ସହ ଯୋଡ଼ିବାର ଆବଶ୍ୟକତା ରହିଛି।
ସେ ଆହୁରି କହିଥିଲେ ଯେ, ବ୍ୟକ୍ତିଗତ ସ୍ୱାର୍ଥ ପୂର୍ବରୁ ସମାଜର ହିତକୁ ଗୁରୁତ୍ୱ ଦେବା ଉଚିତ। ରାଜନୀତିକୁ ଆସୁଥିବା ଲୋକଙ୍କ ମନରେ ଅଧିକାର ପୂର୍ବରୁ ଦାୟିତ୍ୱବୋଧ ରହିବା ଆବଶ୍ୟକ। ଭାରତରେ ରାଜଧର୍ମର ଏକ ସମୃଦ୍ଧ ପରମ୍ପରା ରହିଛି। ରାଜା ପ୍ରଜାଙ୍କ ସୁଖଦୁଃଖରେ ସାମିଲ ହେବା ଉଚିତ। ଆଜି ଯୁବପିଢ଼ିଙ୍କୁ ରାଜନୀତି ସହ ଯୋଡ଼ିବା ପାଇଁ ଏହି ଦୃଷ୍ଟିକୋଣକୁ ପୁନଃ ପ୍ରତିଷ୍ଠା କରିବା ଆବଶ୍ୟକ। ରାଜନୀତିରେ ସେବା, ରାଷ୍ଟ୍ର ନିର୍ମାଣ ଓ ଚରିତ୍ର ଗଠନର ଭାବନା ଦେଖିବାକୁ ମିଳିଲେ ଯୁବପିଢ଼ି ମଧ୍ୟ ଏଥିରେ ଯୋଡ଼ି ହେବେ।
ରାଜନାଥ ସିଂହ କହିଥିଲେ ଯେ, ଲକ୍ଷ୍ନୌ ଆଜି ନିଜର ଏକ ନୂଆ ପରିଚୟ ସୃଷ୍ଟି କରୁଛି। ଶିକ୍ଷା, ସଂସ୍କୃତି, ପ୍ରତିରକ୍ଷା, ସୁରକ୍ଷା, ଶିଳ୍ପ ଓ ବାଣିଜ୍ୟ ସମେତ ପ୍ରତ୍ୟେକ କ୍ଷେତ୍ରରେ ସହର ନିଜର ସ୍ୱତନ୍ତ୍ର ଉପସ୍ଥିତି ଜାହିର କରୁଛି। ବିକାଶର ନୂଆ ସମ୍ଭାବନା ସହ ଲକ୍ଷ୍ନୌ ଦେଶ ସମ୍ମୁଖରେ ଏକ ନୂଆ ଭୂମିକାରେ ଉଭା ହେଉଛି।
ବ୍ରହ୍ମାକୁମାରୀଜ୍ ଲକ୍ଷ୍ନୌର ସବ୍ଜୋନ୍ ପ୍ରଭାରୀ ରାଜଯୋଗିନୀ ବି.କେ. ରାଧା ଦିଦି କହିଥିଲେ ଯେ, ପ୍ରଜାପିତା ବ୍ରହ୍ମାକୁମାରୀଜ୍ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସ୍ଥାପନାର ୯୦ ବର୍ଷ ଏବଂ ଲକ୍ଷ୍ନୌରେ ସଂସ୍ଥାର ଆଧ୍ୟାତ୍ମିକ ସେବାର ୭୨ ବର୍ଷ ପୂର୍ତି ଅବସରରେ ନବଦଶକୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ‘ଦିବ୍ୟ ସଂସ୍କୃତି ଭବନ’ର ଉଦ୍ଘାଟନ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି।
କାର୍ଯ୍ୟକ୍ରମରେ ଉତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ମେୟର ସୁଷମା ଖର୍କୱାଲ, ମହିଳା ଆୟୋଗର ଉପାଧ୍ୟକ୍ଷା ଅପର୍ଣ୍ଣା ଯାଦବ, ବିଧାନ ପରିଷଦ ସଦସ୍ୟ ମୁକେଶ ଶର୍ମା, ବିଧାୟକ ଓ.ପି. ଶ୍ରୀବାସ୍ତବ ଏବଂ ବିଜେପିର ମହାନଗର ସଭାପତି ଆନନ୍ଦ ଦ୍ୱିବେଦୀଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
------------
ହିନ୍ଦୁସ୍ଥାନ ସମାଚାର / ଗଗନ