
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)। ବିକାଶଶୀଳ ଦେଶଗୁଡ଼ିକ ପାଇଁ ଗବେଷଣା ଓ ସୂଚନା ବ୍ୟବସ୍ଥା (ଆର୍ଆଇଏସ୍) ଅଧୀନରେ କାର୍ଯ୍ୟ କରୁଥିବା ଆସିଆନ୍–ଭାରତ କେନ୍ଦ୍ର (ଏଆଇସି) ପକ୍ଷରୁ ଆସିଆନ୍–ଭାରତ ବିକାଶ ଓ ସହଯୋଗ ରିପୋର୍ଟ (ଏଆଇଡିସିଆର୍)ର ତୃତୀୟ ସଂସ୍କରଣ ଉନ୍ମୋଚନ କରାଯାଇଛି। ବିଦେଶ ମନ୍ତ୍ରଣାଳୟର ସଚିବ (ପୂର୍ବ) ତଥା ରାଷ୍ଟ୍ରଦୂତ ରୁଦ୍ରେନ୍ଦ୍ର ଟଣ୍ଡନ ଶୁକ୍ରବାର ଇଣ୍ଡିଆ ହାବିଟାଟ୍ ସେଣ୍ଟରଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ କୂଟନୈତିକ ଓ ନୀତିଗତ ଆଲୋଚନା କାର୍ଯ୍ୟକ୍ରମରେ ଏହି ରିପୋର୍ଟ ଉନ୍ମୋଚନ କରିଥିଲେ।
‘ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ମାର୍ଗ ଅନ୍ୱେଷଣ ଏବଂ ଭାଗିଦାରୀକୁ ସୁଦୃଢ଼ କରିବା’ ଶୀର୍ଷକ ଏହି ରିପୋର୍ଟରେ ଭାରତ ଓ ଆସିଆନ୍ ଦେଶଗୁଡ଼ିକ ମଧ୍ୟରେ ଆର୍ଥିକ, ରଣନୈତିକ ଏବଂ ବିକାଶମୂଳକ ସହଯୋଗକୁ ନୂଆ ଦିଗ ଦେବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି। ୨୩ତମ ଆସିଆନ୍–ଭାରତ ଶିଖର ସମ୍ମିଳନୀ ପୂର୍ବରୁ ଏହି ରିପୋର୍ଟର ଉନ୍ମୋଚନକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
ରିପୋର୍ଟ ଉନ୍ମୋଚନ ଅବସରରେ ରାଷ୍ଟ୍ରଦୂତ ରୁଦ୍ରେନ୍ଦ୍ର ଟଣ୍ଡନ ଆର୍ଆଇଏସ୍ ଏବଂ ଆସିଆନ୍–ଭାରତ କେନ୍ଦ୍ରର ପ୍ରୟାସକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ବର୍ତ୍ତମାନର ବୈଶ୍ୱିକ ପରିସ୍ଥିତିରେ ଏହି ରିପୋର୍ଟ ବେଶ୍ ପ୍ରାସଙ୍ଗିକ ଏବଂ ଭାରତ–ଆସିଆନ୍ ଭାଗିଦାରୀକୁ ଆଗକୁ ବଢ଼ାଇବା ପାଇଁ ଏଥିରେ ଉପଯୋଗୀ ନୀତିଗତ ପରାମର୍ଶ ଦିଆଯାଇଛି। ଭାରତର ‘ଆକ୍ଟ ଇଷ୍ଟ’ ନୀତିରେ ଆସିଆନ୍ର କେନ୍ଦ୍ରୀୟ ଭୂମିକାକୁ ରେଖାଙ୍କିତ କରିବା ସହ ଏକ ଶକ୍ତିଶାଳୀ, ଏକୀକୃତ ଏବଂ ସମୃଦ୍ଧ ଆସିଆନ୍ ପ୍ରତି ଭାରତର ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ।
ଟଣ୍ଡନ ସାମୁଦ୍ରିକ ସୁରକ୍ଷା, ବିପର୍ଯ୍ୟୟ ସହାୟତା, ଦୂରସଞ୍ଚାର, ଶକ୍ତି ସଂଯୋଗ ଏବଂ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିକୁ ସହଯୋଗର ପ୍ରମୁଖ ଉଦୀୟମାନ କ୍ଷେତ୍ର ଭାବେ ଅଭିହିତ କରିଥିଲେ। ସେ କହିଥିଲେ ଯେ, ଭାରତର ସ୍ୱଦେଶୀ ୪ଜି ପ୍ରଯୁକ୍ତି, ବିଦ୍ୟୁତ୍ ଗ୍ରିଡ୍ର ଏକୀକରଣ ଏବଂ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି କ୍ଷେତ୍ରରେ ଥିବା ଅଭିଜ୍ଞତା ଆସିଆନ୍ ଦେଶଗୁଡ଼ିକର ଆର୍ଥିକ ଏକୀକରଣ ଓ ଆଞ୍ଚଳିକ ମୂଲ୍ୟ ଶୃଙ୍ଖଳାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା