
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)- ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ପ୍ରଥମ ସଭ୍ୟତାଗତ ଆଲୋଚନା ମଂଚ (ସିଭିଲାଇଜେସନାଲ ଡାଏଲଗ୍ ଫୋରମ୍)ର ଆୟୋଜନ ଭାରତ କରିବାକୁ ଯାଉଛି। ନଭେମ୍ବର ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ପୁରାଣା କିଲ୍ଲା ପରିସରରେ ଏହା ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମଂଚର ଉଦ୍ଘାଟନ କରିବେ। ସମ୍ମିଳନୀରେ ଏସ୍ସିଓର ସମସ୍ତ ୧୦ଟି ସଦସ୍ୟ ଦେଶର ପ୍ରତିନିଧିଙ୍କ ସହ ପର୍ଯ୍ୟବେକ୍ଷକ ଓ ଆଲୋଚନା ସହଯୋଗୀ ଦେଶଗୁଡ଼ିକର ପ୍ରତିନିଧିମାନେ ଯୋଗଦେବାର ସମ୍ଭାବନା ରହିଛି। ଏହି ସଂଳାପରେ ପାକିସ୍ତାନ ସମେତ ସମସ୍ତ ସଦସ୍ୟ ଦେଶକୁ ଆମନ୍ତ୍ରଣ କରାଯାଇଛି।
କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଶୁକ୍ରବାର ଭାରତ ମଣ୍ଡପମ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଆୟୋଜନ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏସ୍ସିଓ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସାଧାରଣ ସାଂସ୍କୃତିକ ଐତିହ୍ୟ, ପ୍ରାଚୀନ ସଭ୍ୟତା, କଳା, ସାହିତ୍ୟ ଓ ଐତିହାସିକ ପରମ୍ପରା ମାଧ୍ୟମରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ସହ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା।
ସେ କହିଛନ୍ତି ଯେ, ଏହି ମଂଚର ପରିକଳ୍ପନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ସେପ୍େଟମ୍ବରରେ ଚୀନ୍ର ତିଆନ୍ଜିନ୍ଠାରେ ଆୟୋଜିତ ଏସ୍ସିଓ ଶିଖର ସମ୍ମିଳନୀ ସମୟରେ ଉପସ୍ଥାପନ କରିଥିଲେ। ଏହି ପ୍ରସ୍ତାବର ଉଦ୍ଦେଶ୍ୟ ଥିଲା ସଦସ୍ୟ ଦେଶଗୁଡ଼ିକୁ ସେମାନଙ୍କର ହଜାର ହଜାର ବର୍ଷର ପ୍ରାଚୀନ ସଭ୍ୟତା, ସାଂସ୍କୃତିକ ଉପଲବ୍ଧି ଓ ଐତିହାସିକ ଐତିହ୍ୟକୁ ଆଦାନପ୍ରଦାନ କରିବା ପାଇଁ ଏକ ଅନ୍ତର୍ଜାତୀୟ ମଂଚ ଯୋଗାଇଦେବା। ପରବର୍ତୀ ସମୟରେ ସଂଗଠନ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲା।
ଶେଖାୱତ କହିଛନ୍ତି ଯେ, ଏହି ସଂଳାପରେ ଯୋଗଦେବା ପାଇଁ ଏପର୍ଯ୍ୟନ୍ତ ୧୫ଟି ଦେଶର ପ୍ରତିନିଧି ଓ ସଂସ୍କୃତି ମନ୍ତ୍ରୀଙ୍କ ପକ୍ଷରୁ ସମ୍ମତି ମିଳିଛି। ଏଥିରେ ଚୀନ୍, ରୁଷ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ, ବେଲାରୁଷ ଓ ଇରାନ ସାମିଲ ଅଛନ୍ତି। ମୋଟ ୨୫ଟି ଦେଶକୁ ନିମନ୍ତ୍ରଣ ପଠାଯାଇଛି। ଏହି ସଂଳାପରେ ପାକିସ୍ତାନର ଅଂଶଗ୍ରହଣ ସମ୍ପର୍କିତ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ସଦସ୍ୟ ଦେଶକୁ ନିମନ୍ତ୍ରଣ ପଠାଯାଇଛି। କିନ୍ତୁ ପାକିସ୍ତାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସମ୍ମତି ମିଳିନାହିଁ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ