
ଘଟଗାଁ , ୧୩ ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପଣ୍ଡାପଡ଼ାଠାରେ ଆରାଧ୍ୟା ଦେବୀ ମା’ ଦକ୍ଷିଣ କାଳୀଙ୍କ ୭୨ତମ ପୂଜା ଉତ୍ସବ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହର ସହ ପାଳିତ ହେଉଛି। ମା’ଙ୍କ ଏହି ପବିତ୍ର ପୂଜା ଉତ୍ସବକୁ ନେଇ ପଣ୍ଡାପଡ଼ା ସମେତ ଆଖପାଖ ଅଂଚଳରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ନିମନ୍ତେ ଦୂରଦୂରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିବାରୁ ଅଂଚଳରେ ଚଳଚଂଚଳତା ବୃଦ୍ଧି ପାଇଛି।
ପୂଜା ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜିତ ହୋଇଛି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ। ମିନାବଜାରର ରଙ୍ଗିନ ଆଲୋକମାଳା, ବିଭିନ୍ନ ସାମଗ୍ରୀର ଦୋକାନ, ଆକର୍ଷଣୀୟ ଦୋଳି ଏବଂ ଯାତ୍ରା ଅପେରା ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ସାଜିଛି। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଉତ୍ସବର ଆନନ୍ଦ ଉପଭୋଗ କରୁଥିବା ବେଳେ ସନ୍ଧ୍ୟା ହେଲେ ମିନାବଜାର ଓ ଯାତ୍ରା ପଡ଼ିଆରେ ଲୋକଙ୍କ ଭିଡ଼ ଜମୁଛି।
ଏହି ପବିତ୍ର ଉତ୍ସବ ଅବସରରେ ଘସିପୁରା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଡ. ଶମ୍ଭୁନାଥ ରାଉତ ଘଟଗାଁ ବ୍ଲକର ନୂତନ ଓ ପୁରାତନ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ପଣ୍ଡାପଡ଼ାରେ ପହଂଚି ମା’ ଦକ୍ଷିଣ କାଳୀଙ୍କ ଦର୍ଶନ କରିଥିଲେ। ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ସେ ଉପସ୍ଥିତ ଭକ୍ତ ଓ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ଭାବବିନିମୟ ମଧ୍ୟ କରିଥିଲେ।
ଡ. ରାଉତଙ୍କ ଏହି ଦର୍ଶନ ସମୟରେ ରାଜେନ୍ଦ୍ର ପଟ୍ଟନାୟକ, ଗୋଲଖ ବଳ, ମକରଧ୍ୱଜ ବେହେରାଙ୍କ ସମେତ ପଣ୍ଡାପଡ଼ା ମଣ୍ଡଳ ବିଜେପିର କାର୍ଯ୍ୟକର୍ତା ବିଷ୍ଣୁନନ୍ଦ ବେହେରା, କୀର୍ତନ ମହାନ୍ତ, ସୁବାସ ନାଏକ, ବାବୁଲା ପାଲଟାସିଂ, ସଞ୍ଜୟ ବେହେରା, ଗଣନାଥ ରଣା, ଯଦୁମଣି ପାତ୍ର, ହୃଷୀକେଶ ମହାକୁଡ଼, ରୋହିତ ବାରିକ, ଅରୁଣ ପାତ୍ର, ମୁନା ନାଏକ ଓ ଗୁଲୁ ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହି ମା’ଙ୍କ ଦର୍ଶନ କରିଥିଲେ।
ମା’ ଦକ୍ଷିଣ କାଳୀଙ୍କ ଏହି ୭୨ତମ ପୂଜା ଉତ୍ସବ କେବଳ ଧାର୍ମିକ ଆସ୍ଥାର ପ୍ରତୀକ ହୋଇ ରହିନାହିଁ, ବରଂ ଏହା ଅଂଚଳବାସୀଙ୍କ ମଧ୍ୟରେ ସାମାଜିକ ଏକତା, ଭାଇଚାରା ଓ ପାରମ୍ପରିକ ସଂସ୍କୃତିର ଏକ ସୁନ୍ଦର ନିଦର୍ଶନ ସୃଷ୍ଟି କରିଛି। ମା’ଙ୍କ ଆଶୀର୍ବାଦ ଲାଭ ସହ ଉତ୍ସବର ଆନନ୍ଦ ଉପଭୋଗ କରିବା ପାଇଁ ପଣ୍ଡାପଡ଼ା ଅଂଚଳରେ ଭକ୍ତି ଓ ଉତ୍ସାହର ମାହୋଲ ଲାଗି ରହିଛି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ