
ଜୟପୁର, ୧୩ ନଭେମ୍ବର(ହି.ସ.) – କୋରାପୁଟ ଜିଲ୍ଲା ବନ୍ଧୁ ଗାଁ ବ୍ଳକ୍ ଅନ୍ତର୍ଗତ ସୁଣ୍ଢି ସମାଜର ଲୋକମାନଙ୍କୁ ତହସିଲଦାର ଓବିସି ସାର୍ଟିଫିକେଟ ଦେବା ପାଇଁ ମନା କରିବାରୁ ଆଜି ସେହି ସମ୍ପ୍ରଦାୟର ଲୋକମାନେ କୋରାପୁଟ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି। ଯେଉଁମାନଙ୍କ ଜମି ଜମା ରେକର୍ଡ ରେ ଜାତି ସୁଣ୍ଢି ବୋଲି ଉଲ୍ଲେଖ ଅଛି ସେମାନଙ୍କୁ ମଧ୍ୟ ବନ୍ଧୁ ଗାଁ ତହସିଲଦାର ଓବିସି ସାର୍ଟିଫିକେଟ ଦେଉ ନାହାଁନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ତା ୦୯.୧୧.୨୦୨୬ ରିଖ ଦିନ ବନ୍ଧୁ ଗାଁ ବ୍ଳକ୍ ଅଂଚଳରେ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଶିବିରରେ ମଧ୍ୟ ଏହି ଲୋକମାନେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଦେଇଥିଲେ ଏବଂ ତହସିଲଦାର ଙ୍କ ମନମାନୀ ବିରୁଦ୍ଧରେ ଲେଖି ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ସ୍ପଷ୍ଟ ଭାବରେ କହିଥିଲେ ଯେ ସୁଣ୍ଢି ଜାତି ଲେଖାଥିବା ଲୋକଙ୍କୁ ଓବିସି ସାର୍ଟିଫିକେଟ ଦେବା ପାଇଁ କିନ୍ତୁ ତହସିଲଦାର ତଥାପି ଦେଉନାହାଁନ୍ତି। ଜିଲ୍ଲାପାଳ ସମସ୍ତ ତଥ୍ୟ ପାଠ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏ ସମ୍ବନ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବନ୍ଧୁ ଗାଁ ଓ ନାରାୟଣ ପାଟଣା ବ୍ଳକ୍ ରେ ସୁଣ୍ଢି ସମ୍ପ୍ରଦାୟର ଲୋକମାନଙ୍କ ଜମି ପଟ୍ଟା ରେ ଗୋଲାସୁଣ୍ଢି ଓ ଓଡ଼ିଆସୁଣ୍ଢି ଏଭଳି ଜାତି ଲେଖାଯାଇଛି, ଯାହାକି କୌଣସି ଜାତି ଏଭଳି ନାମରେ ନାହିଁ। ଏଣୁ ରାଜସ୍ୱ ପଟ୍ଟାରେ ଏହାର ସଂଶୋଧନ କରି କେବଳ ସୁଣ୍ଢି ଜାତି ଉଲ୍ଲେଖ କରିବା ପାଇଁ ଦାବି ହୋଇଛି। ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଏ ବିଷୟରେ ବୋର୍ଡ଼ ଅଫ୍ ରେଭେନ୍ୟୁକୁ ଲେଖି ଏହାର ସୁଧାର ପାଇଁ ଏବଂ ଅଂଚଳର ଲୋକମାନଙ୍କୁ ଓବିସି ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବନ୍ଧୁ ଗାଁ ବ୍ଳକ୍ ଅଂଚଳର ଲୋକମାନେ ଅଭିଯୋଗ କରିଛନ୍ତି ଯେ ଉପାନ୍ତ ଅଂଚଳର ହୋଇଥିବାରୁ ଆର୍ଆଇ, ତହସିଲଦାରମାନେ ସାଧାରଣ ଲୋକଙ୍କ ଆପତି ଅଭିଯୋଗ ଶୁଣୁନାହାଁନ୍ତି ଏବଂ ଲାଂଚ ନେଇ କାମ କରିବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ସେହି ଅଂଚଳର ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି ଓ ବନ୍ଧୁ ଗାଁ ଅଂଚଳର ସିପିଆଇ ନେତା ଶ୍ରୀ ଧ୍ରୁବ ଚରଣ ସାହୁ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି