ଜେଜେମା'ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ଡିବ୍ରୁଗଡ଼ ଜେଲରେ ବନ୍ଦୀ ସାଂସଦ ଅମୃତପାଲ
ଅମୃତସର ଅଦାଲତଙ୍କ ପକ୍ଷରୁ ଅମୃତପାଲ ସିଂହଙ୍କୁ ଗୋଟିଏ ଦିନର ଅନ୍ତରୀଣ ଜାମିନ ମଞ୍ଜୁର ଚଣ୍ଡୀଗଡ଼, ୧୩ ନଭେମ୍ବର (ହି.ସ.)। ଆସାମର ଡିବ୍ରୁଗଡ଼ ଜେଲରେ ବନ୍ଦୀ ଥିବା ପଞ୍ଜାବର ଖଡୁର ସାହିବ ଲୋକସଭା ଆସନର ସାଂସଦ ଅମୃତପାଲ ସିଂହଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜେଜେମା'' ମାତା ଚରଣ କୌରଙ୍କ ଅନ୍ତି
सांसद अमृतपाल सिंह


- ଅମୃତସର ଅଦାଲତଙ୍କ ପକ୍ଷରୁ ଅମୃତପାଲ ସିଂହଙ୍କୁ ଗୋଟିଏ ଦିନର ଅନ୍ତରୀଣ ଜାମିନ ମଞ୍ଜୁର

ଚଣ୍ଡୀଗଡ଼, ୧୩ ନଭେମ୍ବର (ହି.ସ.)। ଆସାମର ଡିବ୍ରୁଗଡ଼ ଜେଲରେ ବନ୍ଦୀ ଥିବା ପଞ୍ଜାବର ଖଡୁର ସାହିବ ଲୋକସଭା ଆସନର ସାଂସଦ ଅମୃତପାଲ ସିଂହଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜେଜେମା' ମାତା ଚରଣ କୌରଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଅମୃତସର ଅଦାଲତ ତାଙ୍କୁ ଗୋଟିଏ ଦିନର ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ଅମୃତପାଲ ସିଂହ ନଭେମ୍ବର ୧୪ ତାରିଖରେ ପଞ୍ଜାବ ଆସିବେ। ତାଙ୍କ ପଞ୍ଜାବ ଗସ୍ତ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବାର ସମ୍ଭାବନା ରହିଛି।

ଅମୃତପାଲ ସିଂହଙ୍କ ଜେଜେମା' ମାତା ଚରଣ କୌରଙ୍କ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ନଭେମ୍ବର ୮ ତାରିଖରେ ଦେହାନ୍ତ ହୋଇଥିଲା। ଏହାପରେ ପରିବାର ପକ୍ଷରୁ ଅମୃତପାଲ ସିଂହଙ୍କୁ ଅନ୍ତିମ ସଂସ୍କାର ଏବଂ ଅନ୍ୟାନ୍ୟ ଧାର୍ମିକ ରୀତିନୀତିରେ ଯୋଗଦେବାକୁ ଅନୁମତି ଦେବା ପାଇଁ ଦାବି କରାଯାଇଥିଲା। ଏନେଇ ଅମୃତପାଲ ସିଂହଙ୍କ ପରିବାର ପକ୍ଷରୁ ଅମୃତସର ଅଦାଲତରେ ଏକ ଆବେଦନ ଦାଖଲ କରାଯାଇ ନଭେମ୍ବର ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାରି ଦିନର ଅନ୍ତରୀଣ ଜାମିନ ଦେବାକୁ ଦାବି କରାଯାଇଥିଲା। ତେବେ ଅଦାଲତ ତାଙ୍କୁ କେବଳ ଗୋଟିଏ ଦିନର ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ଅମୃତପାଲ ସିଂହଙ୍କ ଓକିଲ କର୍ମବୀର ସିଂହ ଏହାର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ତାଙ୍କର ଅନ୍ୟ ସମ୍ପର୍କୀୟମାନଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଛି।

ମାତା ଚରଣ କୌରଙ୍କ ଦେହାନ୍ତ ପରେ ପରିବାର ପକ୍ଷରୁ ତାଙ୍କ ଅନ୍ତିମ ସଂସ୍କାରକୁ ସ୍ଥଗିତ ରଖାଯାଇଥିଲା। ପରିବାରର କହିବା ଅନୁଯାୟୀ, ଯେପର୍ଯ୍ୟନ୍ତ ଅମୃତପାଲ ସିଂହଙ୍କୁ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଅନୁମତି ମିଳିନାହିଁ, ସେପର୍ଯ୍ୟନ୍ତ ଶେଷକୃତ୍ୟ କରାଯିବ ନାହିଁ। ମାନବିକତା ଦୃଷ୍ଟିରୁ ଅମୃତପାଲ ସିଂହଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ପରିବାର ପକ୍ଷରୁ ଅଦାଲତଙ୍କୁ ଅନୁରୋଧ କରାଯାଇଥିଲା, ଯାହାଦ୍ୱାରା ସେ ନିଜ ଜେଜେମା'ଙ୍କୁ ଶେଷ ବିଦାୟ ଦେଇପାରିବେ।

ମାତା ଚରଣ କୌରଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟଧିକ ଖରାପ ହୋଇଥିବା ସମୟରେ ମଧ୍ୟ ଅମୃତପାଲ ସିଂହଙ୍କ ପରିବାର ତାଙ୍କ ସହ କଥା ହେବାର ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଅଦାଲତ ଅମୃତପାଲ ସିଂହଙ୍କୁ ଭିଡିଓ କଲ୍ ମାଧ୍ୟମରେ ନିଜ ଜେଜେମା'ଙ୍କ ସହ ୧୦ ମିନିଟ୍ କଥା ହେବାକୁ ଅନୁମତି ଦେଇଥିଲେ। ତେବେ ତାଙ୍କ ଓକିଲମାନେ ଅଭିଯୋଗ କରିଥିଲେ ଯେ, ପ୍ରଶାସନ ପକ୍ଷରୁ ଠିକ୍ ସମୟରେ ଭିଡିଓ କଲ୍ର ବ୍ୟବସ୍ଥା କରାଯାଇନଥିଲା।

ପ୍ରାୟ ସାଢ଼େ ତିନି ବର୍ଷ ପରେ ପଞ୍ଜାବ ଆସିବେ ଅମୃତପାଲ ସିଂହ

'ୱାରିସ ପଞ୍ଜାବ ଦେ' ସଂଗଠନର ମୁଖ୍ୟ ଅମୃତପାଲ ସିଂହଙ୍କୁ ୨୩ ଏପ୍ରିଲ ୨୦୨୩ରେ ପଞ୍ଜାବର ମୋଗା ଜିଲ୍ଲା ଅନ୍ତର୍ଗତ ରୋଡେ ଗ୍ରାମରୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ଅନୁଯାୟୀ ଆସାମର ଡିବ୍ରୁଗଡ଼ କେନ୍ଦ୍ରୀୟ ଜେଲକୁ ପଠାଯାଇଥିଲା। ଜେଲରେ ରହିଥିବା ସମୟରେ ହିଁ ସେ ୨୦୨୪ ଲୋକସଭା ନିର୍ବାଚନରେ ଖଡୁର ସାହିବ ସଂସଦୀୟ କ୍ଷେତ୍ରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ଏବେ ଗିରଫ ହେବାର ପ୍ରାୟ ତିନି ବର୍ଷ ସାତ ମାସ ପରେ ଅମୃତପାଲ ସିଂହ ନିଜ ଜେଜେମା'ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ପଞ୍ଜାବ ଆସିବେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande