
ଭୁବନେଶ୍ବର , 17 ନଭେମ୍ବର (ହି.ସ.)-ଶାସନ ବ୍ୟବସ୍ଥା, ବିପର୍ଯ୍ୟୟ ପରିଚାଳନା, ଆଇନଶୃଙ୍ଖଳା, ଧାନ ସଂଗ୍ରହ, ସାମାଜିକ ସୁରକ୍ଷା ଓ ଓଡ଼ିଶାର ଭୌଗୋଳିକ ସୀମା ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ସରକାରଙ୍କ ବିଫଳତାକୁ ନେଇ ତୀବ୍ର ସମାଲୋଚନା କଲା ବିଜେଡି । ଏହି ସମସ୍ୟାଗୁଡ଼ିକ ଉପରେ ଓଡ଼ିଶା ବିଧାନସଭାରେ ଆଲୋଚନା କରିବା ସହ ରାଜ୍ୟ ସରକାର ନିଜ ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କଲେ ବରିଷ୍ଠ ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ ।
ଆଜି ଶଙ୍ଖ ଭବନରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ପରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ବିପର୍ଯ୍ୟୟ ମୁକାବିଲାରେ ପୂର୍ବ ପ୍ରସ୍ତୁତିର ଅଭାବ, ପ୍ରଶାସନିକ ଅପାରଗତା ଓ ଉଦ୍ଧାର କାର୍ଯ୍ୟରେ ବିଳମ୍ୱ ଯୋଗୁଁ ପ୍ରଭାବିତ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ବିଜ୍ଞାପନ ମାଧ୍ୟମରେ ସରକାର ବଡ଼ ବଡ଼ ଦାବି କରୁଥିଲା ବେଳେ ବାସ୍ତବରେ ଅନେକ କ୍ଷତିଗ୍ରସ୍ତ ପରିବାରଙ୍କ ନିକଟରେ ସହାୟତା ପହଞ୍ଚିପାରୁ ନାହିଁ । ଓଡ଼ିଆ ଅସ୍ମିତାର ନାରା ଦେଉଥିବା ବିଜେପି ସରକାର ରାଜ୍ୟର ସୀମାନ୍ତ ଅଞ୍ଚଳଗୁଡ଼ିକର ସୁରକ୍ଷା କରିବାରେ ବିଫଳ ହୋଇଛନ୍ତି । ଧାନ ସଂଗ୍ରହ ପାଇଁ ଏକ ସ୍ୱଚ୍ଛ ଓ ସୁଦୃଢ଼ ବ୍ୟବସ୍ଥା ଗଠନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଓ ଟୋକନ ବ୍ୟବସ୍ଥାରେ ଜଟିଳତା ଯୋଗୁଁ ଚାଷୀମାନେ ହଇରାଣ ହେଉଛନ୍ତି । ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିବା, ଚାଷୀଙ୍କୁ ଆବଶ୍ୟକ ସମୟ ଦେବା ଏବଂ ବୈଷୟିକ କିମ୍ୱା ପ୍ରଶାସନିକ ତ୍ରୁଟି ଯୋଗୁଁ ଯେପରି କୌଣସି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ । ଏମଏମଡିଆର ସଂଶୋଧନ ଆଇନ ଯୋଗୁଁ ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟ ଓଡ଼ିଶା ରାଜସ୍ୱ ହରାଇବ । ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ଦୃଢ଼ ଆଭିମୁଖ୍ୟ ଗ୍ରହଣ କରନ୍ତୁ ।
ଗୌତମବୁଦ୍ଧ ଦାସ କହିଥିଲେ ଯେ, ବିଜେଡି ସରକାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦେଶବ୍ୟାପୀ ପ୍ରଶଂସା ଓ ସ୍ୱୀକୃତି ହାସଲ କରିଥିଲା । କିନ୍ତୁ ବର୍ତ୍ତମାନର ସରକାର ଜନକଲ୍ୟାଣ ଓ ବିକାଶ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ରାଜନୈତିକ ଶ୍ରେୟ ନେବା ଏବଂ ପୂର୍ବ ସରକାରଙ୍କୁ ଦୋଷ ଦେବାରେ ଅଧିକ ଆଗ୍ରହୀ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ନାରୀ ନିର୍ଯାତନା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥିସହ ବହୁ ମାସ ଧରି ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ବୃଦ୍ଧବୃଦ୍ଧା ଓ ବିଧବା ମହିଳାଙ୍କ ଦୁର୍ଦ୍ଦଶା କହିଲେ ନ ସରେ । ବିବାଦୀୟ ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା କରିବାରେ ବିଜେପି ସରକାର ବିଫଳ ହୋଇଛନ୍ତି । ସରକାର ସୀମା ବିବାଦର ତୁରନ୍ତ ସମାଧାନ କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା