
ନୂଆପଡା,୧୮ ନଭେମ୍ବର (ହି.ସ.)- ମାନବିକତା ଓ ସାମାଜିକ ସହଯୋଗର ଏକ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ପଞ୍ଚାୟତ ଅନ୍ତର୍ଗତ ବଙ୍କାପୁର ଗ୍ରାମରେ। ଦୀର୍ଘ ୩୦ ବର୍ଷ ଧରି ମାନସିକ ଅସୁସ୍ଥତାରେ ପୀଡ଼ିତ ହୋଇ ଅସହାୟ ଅବସ୍ଥାରେ ଜୀବନ ବିତାଉଥିବା ରୁକ୍ମଣୀ ରଣା ଓରଫ ନକୋକନ୍ଦାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ଆଗେଇ ଆସିଲେ ସ୍ଥାନୀୟ ସରପଞ୍ଚ ଓ କିଛି ସ୍ୱେଚ୍ଛାସେବୀ।
ସୂଚନା ଅନୁସାରେ, ରୁକ୍ମଣୀଙ୍କ ସ୍ୱାମୀ ଓ ପୁଅଝିଅଙ୍କ ମୃତ୍ୟୁ ପରେ ସେ ମାନସିକ ଭାରସାମ୍ୟ ହରାଇଥିଲେ। ଦୀର୍ଘ ପ୍ରାୟ ୩୦ ବର୍ଷ ଧରି ଗାଁ ଗାଁ ବୁଲି ମାଗିଯାଚି ଖାଇ ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଥିଲେ। ଶେଷରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ମୃତ୍ୟୁ ପରେ ଶବ ସତ୍କାର ପାଇଁ ଜାତିଭାଇଙ୍କ ମଧ୍ୟରୁ କେହି ଆଗେଇ ଆସିନଥିଲେ। ସେ ବାହାର ଲୋକଙ୍କ ଘରେ ଖାଇଥିବାରୁ ଜାତି ହରାଇଥିବା ଅଭିଯୋଗ କରି କେହି ଶବ ଉଠାଇବାକୁ ଆସିନଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଖବର ପାଇ ସ୍ଥାନୀୟ ସରପଞ୍ଚ କୁନୁ ଚରଣ ବେହେରା ମାନବିକତାର ପରିଚୟ ଦେଇ ଗ୍ରାମର କିଛି ସ୍ୱେଚ୍ଛାସେବୀଙ୍କୁ ସାଙ୍ଗରେ ନେଇ ଶବ ସତ୍କାର ପାଇଁ ଆଗେଇ ଆସିଥିଲେ। ସମସ୍ତଙ୍କ ସହଯୋଗରେ ମୃତଦେହକୁ ଉଠାଇ ଗ୍ରାମ ଶ୍ମଶାନରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଥିଲା। ମୃତକଙ୍କ ପୁଅ ଟଙ୍କଧର ମୁଖାଗ୍ନି ଦେଇଥିଲେ। ଏହି ମହତ୍ କାର୍ଯ୍ୟରେ ଜୟଦେବ ବେହେରା, ମନୋଜ ବେହେରା, ଦିବ୍ୟ ବେହେରା, ହେମସାଗର ବେହେରା, ରୋହିତ ବେହେରା, ଚନ୍ଦନ ବେହେରା, ବିଷ୍ଣୁ ବେହେରା, ବ୍ୟାସଦେବ ବେହେରା, ପ୍ରଶାନ୍ତ ବେହେରା, ଡ଼ଗ୍ରେ ବେହେରା, ମକରଧ୍ୱଜ ବେହେରା ଓ ଅଜୟ ବେହେରା ପ୍ରମୁଖ ସାମିଲ ହୋଇଥିଲେ। ଜୀବନର ଶେଷ ସମୟରେ ଅସହାୟ ହୋଇପଡ଼ିଥିବା ଜଣେ ମହିଳାଙ୍କ ମୃତ୍ୟୁ ପରେ ଜାତିଗତ କଟକଣା ଯୋଗୁଁ ଯେଉଁଠି ନିଜ ଲୋକେ ମୁହଁ ଫେରାଇ ନେଇଥିଲେ, ସେଠାରେ ସ୍ୱେଚ୍ଛାସେବୀମାନେ ଆଗେଇ ଆସି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ସେମାନଙ୍କ ଏହି ମହତ୍ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ