
- ବନ୍ୟା ପରିଚାଳନା , କୋଟିଆ ବିବାଦ , ଦରଦାମ୍ ବୃଦ୍ଧି ଓ ଭତା ସମସ୍ୟାକୁ ପ୍ରସଙ୍ଗ କରିବ ବିଜେଡି
ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ)- ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାବାସୀଙ୍କ ସମସ୍ତ ଆଶା ଓ ଭରସାକୁ ଭାଙ୍ଗି ଦେଇଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ଏ ସରକାର ଲୋକଙ୍କ ବିଶ୍ୱାସ ହରାଇଛି। ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ମଙ୍ଗଳବାର ଦିନ ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରି ଲୋକଙ୍କ ସ୍ୱର ସାଜିବାକୁ ଦଳୀୟ ବିଧାୟକଙ୍କୁ ଆହ୍ୱାନ କରି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ନବୀନ କହିଛନ୍ତି ଏ ସରକାରଙ୍କ ବିଫଳତାର ସବୁଠାରୁ ବଡ଼ ଉଦାହରଣ ହେଉଛି ବିପର୍ଯ୍ୟୟ ପରିଚାଳନା। ନିକଟରେ ଗଞ୍ଜାମରେ ଘଟିଥିବା ମନୁଷ୍ୟକୃତ ବନ୍ୟା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ଛବିକୁ ମଳିନ କରିବା ସହ ଡବଲ୍ ଇଞ୍ଜିନ୍ ସରକାରର ଅପାରଗତାକୁ ପଦାରେ ପକାଇଛି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ଲୋକମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗିଛନ୍ତି। ମୋର ଗଞ୍ଜାମ ଗସ୍ତ ସମୟରେ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଓ ସମ୍ପତିର ବ୍ୟାପକ କ୍ଷୟକ୍ଷତି ଦେଖି ମୁଁ ଅତ୍ୟନ୍ତ ମର୍ମାହତ ହୋଇଥିଲି।
ସେହିପରି ୧୩ ଅଗଷ୍ଟ ୨୦୨୬ ଓଡ଼ିଶା ପାଇଁ ଏକ କଳା ଦିନ ଥିଲା। ବିଜେଡିର ବିରୋଧ ସତ୍ୱେ ସଂସଦରେ ଏମଏମଡିଆର ସଂଶୋଧନ ଆଇନ ପାରିତ କରି ଦିଆଗଲା। ଏହି ଆଇନ ଆମ ନିଜ ଜମି ଓ ଖଣିଜ ସମ୍ପଦ ଉପରେ ଆମର ଅଧିକାରକୁ ଛଡ଼ାଇ ନେଇଛି। ଏହା ଦ୍ୱାରା ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ ଏବଂ ଦୀର୍ଘକାଳୀନ ଭାବେ ଏହି କ୍ଷତି ଲକ୍ଷ ଲକ୍ଷ କୋଟି ଟଙ୍କାରେ ପହଂଚିବ। ଆମେ ଏହି କଳା ଆଇନକୁ ବିରୋଧ କରିଆସିଛୁ ଏବଂ ଆଗକୁ ମଧ୍ୟ ଏହାର ବିରୋଧ ଜାରି ରଖିବୁ।
କୋରାପୁଟ କୋଟିଆ ସମସ୍ୟାର ସମାଧାନ ପାଇଁ ଡବଲ୍ ଇଞ୍ଜିନ୍ ସରକାରଙ୍କର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି। ବିଜେଡି ନେତାମାନେ କୋଟିଆ ଗସ୍ତ କରି ଆନ୍ଧ୍ରପ୍ରଦେଶ ସରକାରଙ୍କ ଦାଦାଗିରି ବିରୋଧରେ ପ୍ରତିବାଦ କରିଛନ୍ତି। ଆମ ଜମି ଏବଂ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଆମେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବୁ।
ଏ ସରକାର କ୍ଷମତାକୁ ଆସିବା ପରଠାରୁ ଚାଷୀମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ମଣ୍ଡିଗୁଡ଼ିକ ଠିକ୍ ସମୟରେ ଖୋଲୁନାହିଁ। ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଭାରତୀୟ ଖାଦ୍ୟ ନିଗମ ଓଡ଼ିଶାର ଚାଷୀଙ୍କ ଚାଉଳ ଉଠାଉ ନାହିଁ।
ସମ୍ପ୍ରତି ଅନୁଷ୍ଠିତ କଲେଜ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରି ଶାସକ ଦଳର ଅର୍ଥବଳ ଓ ବାହୁବଳକୁ ପରାସ୍ତ କରିଛି। ନିର୍ବାଚନ ଫଳାଫଳକୁ ପ୍ରଭାବିତ ଓ ହେରଫେର କରିବା ପାଇଁ ସରକାରଙ୍କ ସକ୍ରିୟ ହସ୍ତକ୍ଷେପ ସବୁଠି ନିନ୍ଦିତ ହୋଇଛି।
ଦରଦାମ୍ ବୃଦ୍ଧି, ଆଇନଶୃଙ୍ଖଳା ପରିସ୍ଥିତି ଓ ସାମାଜିକ ସୁରକ୍ଷା ଭତା ଆଦି ସବୁ କ୍ଷେତ୍ରରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି। ଗତ ଛଅ ମାସ ଧରି ହିତାଧିକାରୀମାନେ ଭତା ପାଇନାହାନ୍ତି। ଏହାର ପରିଣାମସ୍ୱରୂପ କେତେକ ହିତାଧିକାରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ମୁଖ୍ୟ ବିରୋଧୀ ଦଳ ଭାବେ ଏହି ସମସ୍ତ ପ୍ରସଙ୍ଗକୁ ଉଠାଇ ଡବଲ୍ ଇଞ୍ଜିନ୍ ସରକାରର ନୈରାଶ୍ୟଜନକ କାର୍ଯ୍ୟଦକ୍ଷତା ନେଇ ଲୋକଙ୍କ ସ୍ୱର ଆହୁରି ଶାଣିତ କରାଯିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା