
ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ.): ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଧିବେଶନ ସମୟରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ମୋଟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ।
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର କହିଛନ୍ତି ଯେ, ବିଧାନସଭାର ମୁଖ୍ୟ କୋଠାର ସୁରକ୍ଷା ଦାୟିତ୍ୱ ବିଧାନସଭା ସୁରକ୍ଷା ଦଳ ଉପରେ ନ୍ୟସ୍ତ ରହିବ। ଏହା ବାହାରେ ବିଧାନସଭା କୋଠାଠାରୁ ଆରମ୍ଭ କରି ପରିସରର ଚାରିପାଖ ସୀମା ପ୍ରାଚୀର ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳର ସୁରକ୍ଷା ଦାୟିତ୍ୱ ପୋଲିସ ତୁଲାଇବ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ସେହିପରି ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ। ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯିବା ସହ ଯାନବାହନ ଓ ଲୋକଙ୍କ ଯାତାୟାତକୁ ନିୟନ୍ତ୍ରଣ କରାଯିବ। ସମସ୍ତ ପ୍ରବେଶ ପଥ ଉପରେ ପୋଲିସର କଡ଼ା ନଜର ରହିବ।
ଡିଜିପି କହିଛନ୍ତି ଯେ, ସୁରକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପୋଲିସ ଅଧିକାରୀ ଓ ଯବାନ ଉପଲବ୍ଧ ଅଛନ୍ତି। ବିଧାନସଭା ଅଧିବେଶନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ସଫଳତାର ସହ ପରିଚାଳନା କରିବା ନେଇ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଆଶାବାଦୀ ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ