
ଘଟଗାଁ , ୧୭ ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ପୁଟୁଳିଆ ପାତ୍ର ସାହିର ଜଣେ ବିବାହିତା ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ କପୁଣ୍ଡି ପାତ୍ର ସାହିର ଶିବଶଙ୍କର ପାତ୍ରଙ୍କ ଝିଅ ସସ୍ମିତା ପାତ୍ର (୨୬) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସସ୍ମିତା ପ୍ରାୟ ୭ ବର୍ଷ ପୂର୍ବେ ପୁଟୁଳିଆ ପାତ୍ର ସାହିର ହରେକୃଷ୍ଣ ପାତ୍ରଙ୍କୁ ବିବାହ କରିଥିଲେ। ତେବେ କୌଣସି କାରଣରୁ ସେ ନିଜ ବାପଘର କପୁଣ୍ଡିରେ ରହୁଥିଲେ। ଗତକାଲି ରାତିରେ ଘର ବାହାରେ ଏକ ଚେୟାରରେ ବସିଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଗାଡ଼ି ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପାଟଣା ଥାନା ଏଏସ୍ଆଇ ଧନେଶ୍ୱର ପାତ୍ର ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ମୃତଦେହ ଜବତ କରିଥିଲେ। ଏନେଇ ପାଟଣା ଥାନାରେ କେସ୍ ନମ୍ବର ୫୯/୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ