
୮ ଜିଲ୍ଲାର ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ, ୭୪ ଉଦ୍ଧାରକାରୀ ଦଳ ପ୍ରସ୍ତୁତ
ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବାତ୍ୟାର ମୁକାବିଲା ପାଇଁ ‘ଜିରୋ କାଜୁଆଲଟିି’କୁ ମୁଖ୍ୟ ଲକ୍ଷ୍ୟ ରଖି ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୧୭ ନଭେମ୍ବର ସକାଳ ୮ଟା ୩୦ ସୁଦ୍ଧା ବାତ୍ୟା ‘ଅକଭାନ’ ଗୋପାଳପୁରଠାରୁ ପ୍ରାୟ ୭୯୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇ ଘଂଟାପ୍ରତି ୩ କିଲୋମିଟର ବେଗରେ ଉତର-ଉତରପଶ୍ଚିମ ଦିଗରେ ଗତି କରୁଛି। ଏହା ୧୭ ନଭେମ୍ବର ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା ଏବଂ ୧୯ ନଭେମ୍ବର ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ୨୦ ନଭେମ୍ବର ମଧ୍ୟାହ୍ନରେ ଏହା ନେଲୋର ଓ ଟୁନି ମଧ୍ୟରେ ଆନ୍ଧ୍ରପ୍ରଦେଶ-ୟାନମ୍ ଉପକୂଳ ଅତିକ୍ରମ କରିପାରେ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ।
ବାତ୍ୟାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ୧୮-୧୯ ନଭେମ୍ବର ପାଇଁ ଗଞ୍ଜାମ, ଗଜପତି, ପୁରୀ ଓ ପାର୍ଶ୍ୱବର୍ତୀ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୯-୨୦ ନଭେମ୍ବରରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ ଓ ପୁରୀ; ୨୦-୨୧ ନଭେମ୍ବରରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଏବଂ ୨୧-୨୨ ନଭେମ୍ବରରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଆଦି ୮ଟି ଜିଲ୍ଲାର ୮୭ଟି ସମ୍ବେଦନଶୀଳ ବ୍ଲକ୍ ଏବଂ ୧,୯୦୨ଟି ବିପଦପ୍ରବଣ ସ୍ଥାନ ଚିହ୍ନଟ ହୋଇଛି। ଏହି ଅଞ୍ଚଳରୁ ସମ୍ଭାବ୍ୟ ୨,୦୪,୦୭୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରହିଛି। ଏଥିମଧ୍ୟରୁ ଗଞ୍ଜାମରୁ ୧,୨୧,୫୯୭, ଗଜପତିରୁ ୨୫ ହଜାର, ପୁରୀରୁ ୨୪,୦୭୬, କନ୍ଧମାଳରୁ ୧୦,୨୪୦ ଏବଂ ମାଲକାନଗିରିରୁ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାର ଆକଳନ କରାଯାଇଛି। ୧୭ ନଭେମ୍ବର ସୁଦ୍ଧା କନ୍ଧମାଳ ଜିଲ୍ଲାର ୨୬୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ଏହି ୮ଟି ଜିଲ୍ଲାରେ ମୋଟ ୩,୩୨୯ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ୪ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ହୋଇଥିବା ବେଳେ ସେଠାରେ ୨୭୬ ଜଣଙ୍କୁ ରଖାଯାଇଛି। ଗଞ୍ଜାମରେ ୧,୧୩୯, ପୁରୀରେ ୫୪୯, ଗଜପତିରେ ୫୧୮ ଓ କୋରାପୁଟରେ ୫୧୩ଟି ଆଶ୍ରୟସ୍ଥଳୀ ରହିଛି। ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ପରିମଳ, ଆଲୋକ, ଚିକିତ୍ସା ଓ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ବିପଦପ୍ରବଣ ଜିଲ୍ଲାଗୁଡ଼ିକରେ ୨,୫୭୩ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୯୨ ଜଣଙ୍କୁ ଇତିମଧ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ଓ ଆଶ୍ରୟସ୍ଥଳୀ ପରିଚାଳନା ସମୟରେ ଗର୍ଭବତୀ ମହିଳା, ଶିଶୁ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ଉପକୂଳ, ତଳିଆ, ବନ୍ୟା ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳର ଲୋକଙ୍କୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ରହିଛି।
ଉଦ୍ଧାର କାର୍ଯ୍ୟ ପାଇଁ ୬୦ଟି ଓଡ୍ରାଫ୍ ଓ ୧୪ଟି ଏନଡିଆରଏଫ୍ ଟିମ୍?କୁ ମିଶାଇ ମୋଟ ୭୪ଟି ସ୍ୱତନ୍ତ୍ର ଦଳ ପ୍ରସ୍ତୁତ ରଖାଯାଇଛି। ସେଥିମଧ୍ୟରୁ ୪୨ଟି ଓଡ୍ରାଫ୍ ଓ ୧୧ଟି ଏନଡିଆରଏଫ୍ ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହେବେ। ଅବଶିଷ୍ଟ ୧୮ଟି ଓଡ୍ରାଫ୍ ଓ ୩ଟି ଏନଡିଆରଏଫ୍ ଟିମ୍?କୁ ସଂରକ୍ଷିତ ରଖାଯାଇଛି। ଗଞ୍ଜାମରେ ସର୍ବାଧିକ ୧୫ଟି ଏବଂ ଗଜପତିରେ ୭ଟି ଟିମ୍ ମୁତୟନ ହେବେ। ଏହାବ୍ୟତୀତ ଅନ୍ୟାନ୍ୟ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ମଧ୍ୟ ଉଦ୍ଧାରକାରୀ ଦଳ ନିୟୋଜିତ ହେବେ।
ଜରୁରୀକାଳୀନ ପ୍ରସ୍ତୁତି, ରିଲିଫ୍ କ୍ୟାମ୍ପ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଝଊଜୠ)ରୁ ୬.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରୁ ଗଞ୍ଜାମକୁ ୫ କୋଟି, ଗଜପତିକୁ ୧ କୋଟି ଏବଂ ମାଲକାନଗିରିକୁ ୫୦ ଲକ୍ଷ ଟଙ୍କା ଦିଆଯାଇଛି।
ବାତ୍ୟା ପ୍ରସ୍ତୁତି ସମୀକ୍ଷା ପାଇଁ ୧୬ ନଭେମ୍ବରରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (ଝଋଙଉ)ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ଯୋଗଦେଇଥିଲେ। ଜଳଭଣ୍ଡାର, ନଦୀ ଓ ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବା ସହ ରାସ୍ତା ଓ ପୋଲ ସଫା ରଖିବା, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍, ଟେଲିକମ୍ ଓ ଖାଦ୍ୟ ଯୋଗାଣ ଭଳି ଅତ୍ୟାବଶ୍ୟକ ସେବାକୁ ସଚଳ ରଖିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହ ଭୂସ୍ଖଳନ ପ୍ରବଣ ଅଞ୍ଚଳର ଉପଗ୍ରହ ଚିତ୍ର ଓ ଜିଆଇଏସ୍ ମାନଚିତ୍ର ପ୍ରସ୍ତୁତି, ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ‘ସେଲ୍-ଅନ୍-ହ୍ୱିଲ୍ସ’ ମୋବାଇଲ୍ ଟେଲିକମ୍ ୟୁନିଟ୍ ମୁତୟନ, ବ୍ୟାକଅପ୍ ବିଦ୍ୟୁତ୍ ବ୍ୟବସ୍ଥା ଏବଂ ୨୪ ଘଣ୍ଟିଆ ଟେଲିକମ୍ ସେବା ନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଇଛି। ଗଞ୍ଜାମ ପାଇଁ ୧୦ଟି ଓ ଗଜପତି ପାଇଁ ୭ଟି, ମୋଟ ୧୭ଟି ସାଟେଲାଇଟ୍ ଫୋନ୍ ଯୋଗାଇବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ତଟରକ୍ଷୀ ବାହିନୀର ବିମାନ, ଜାହାଜ, ଉଦ୍ଧାରକାରୀ ବୋଟ୍ ଓ କର୍ମଚାରୀଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ଅନ୍ୟପକ୍ଷରେ, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ରେଳଧାରଣା, ପୋଲ ଓ ଷ୍ଟେସନଗୁଡ଼ିକର ଯାଞ୍ଚ କରିବା ସହ ଆବଶ୍ୟକ ସ୍ଥଳେ ଟ୍ରେନ୍ ଚଳାଚଳ ନିୟନ୍ତ୍ରଣ କିମ୍ବା ବାତିଲ୍ ଏବଂ ଯାତ୍ରୀଙ୍କୁ ସହାୟତା ଯୋଗାଇବା ପାଇଁ ରେଳବାଇ ସହ ସମନ୍ୱୟ ରଖାଯାଉଛି।
ପାଣିପାଗ ବିଭାଗର ପୂର୍ବାନୁମାନକୁ ଆଧାର କରି ୧୮ ନଭେମ୍ବର ସକାଳରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଏବଂ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
୧୭ ନଭେମ୍ବରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଘଊଗଇ)ଙ୍କ ପକ୍ଷରୁ ଆୟୋଜିତ ସମୀକ୍ଷା ବୈଠକରେ ଓଡ଼ିଶାର ସ୍ୱତନ୍ତ୍ର ରିଲିଫ୍ କମିଶନର ଯୋଗଦେଇ ରାଜ୍ୟର ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଓ ବିଭାଗୀୟ ସମନ୍ୱୟ ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ନିୟନ୍ତ୍ରଣ କକ୍ଷ, ବିପଦ ମାନଚିତ୍ର, ସ୍ଥାନାନ୍ତର ମାର୍ଗ, ଆଶ୍ରୟସ୍ଥଳୀ, ଉଦ୍ଧାର ଉପକରଣ ଓ ଅତ୍ୟାବଶ୍ୟକ ସେବା ସମ୍ପର୍କିତ ଜିଲ୍ଲାସ୍ତରୀୟ ବାତ୍ୟା ଓ ବନ୍ୟା ପ୍ରସ୍ତୁତି ଚେକଲିଷ୍ଟ ଦାଖଲ କରିବାକୁ କୁହାଯାଇଛି। ସମସ୍ତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ୨୪ ଘଣ୍ଟିଆ ସତର୍କ ରହିବା ସହ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ନିୟମିତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା