
କେନ୍ଦ୍ରାପଡ଼ା, 17 ନଭେମ୍ବର (ହି.ସ.) - କେନ୍ଦ୍ରାପଡ଼ା ଜିଲ୍ଳା ପୂର୍ବତନ ସୈନିକ ସଙ୍ଘର ପ୍ରାକ୍ତନ ସଭାପତି ଅଭୟ ପ୍ରସାଦ ପାଣି(୬୩)ଙ୍କର ପରଲୋକ ହୋଇଛି। ସଦର ବ୍ଲକ ଅନ୍ତର୍ଗତ ବଗଡ଼ା ଗ୍ରାମରେ ଜନ୍ମିତ ସ୍ଵର୍ଗତ ପାଣି ଭାରତୀୟ ସେନା ବାହିନୀରୁ ଅବସର ନେବା ପରେ ବିଭିନ୍ନ ସାମାଜିକ ସଂଗଠନ ସହିତ ଜଡ଼ିତ ଥିଲେ। ପୂର୍ବତନ ସୈନିକ ସଙ୍ଘର କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଭାବେ ଦୀର୍ଘଦିନ କାର୍ୟ୍ୟକରି ସଂଗଠନକୁ ସକ୍ରିୟ ରଖିବା ସହ ବହୁ ଉନ୍ନୟନମୂଳକ କାର୍ୟ୍ୟରେ ସେ ସଂପୃକ୍ତ ଥିଲେ। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଗତ କିଛି ଦିନ ଧରି ବୃକକ୍ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିବା ବେଳେ କଟକର ଏକ ଘରୋଇ ଡାକ୍ତରଖାନାରେ ସୋମବାର ପୂର୍ବାହ୍ନରେ ତାଙ୍କର ପରଲୋକ ଘଟିଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକମାତ୍ର ଜାମାତା ଶକ୍ତି ପ୍ରସାଦ ଦାଶ ମୁଖା ଗ୍ନୀ ଦେଇଥିଲେ। ପୂର୍ବତନ ସୈନିକ ସଙ୍ଘର କେନ୍ଦ୍ରାପଡ଼ା, କଟକ ତଥା ପୁରୀ ଜିଲ୍ଲାର କର୍ମକର୍ତ୍ତା ମାନେ ପହଞ୍ଚି ମର ଶରୀରରେ ପୁଷ୍ପମାଲ୍ୟ ଓ ଜାତୀୟ ପତାକା ଅର୍ପଣ କରି ଶେଷ ଦର୍ଶନ କରିଥିଲେ।କେନ୍ଦ୍ରାପଡ଼ାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
---------------
---------------
ହିନ୍ଦୁସ୍ଥାନ ସମାଚାର / ରବି