ଖୋକା ଭାଇଙ୍କ ସ୍ମୃତିରେ ‘ଅକ୍ଷୟ ସଙ୍ଗୀତ ସମାରୋହ’ ଆୟୋଜିତ
Akhyaya Sangeetta Samaroh in Phulbani
ଖୋକା ଭାଇଙ୍କ ସ୍ମୃତିରେ ‘ଅକ୍ଷୟ ସଙ୍ଗୀତ ସମାରୋହ’ ଆୟୋଜିତ


କନ୍ଧମାଳର, ୧୮ ନଭେମ୍ବର (ହି.ସ.) ଓଡ଼ିଆ ସଙ୍ଗୀତ ଜଗତର ଅମର ପ୍ରତିଭା, ବିଶିଷ୍ଟ ଗାୟକ, ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ସ୍ୱର୍ଗତ ଅକ୍ଷୟ ମହାନ୍ତି (ଖୋକା ଭାଇ)ଙ୍କ ପୁଣ୍ୟ ସ୍ମୃତି ଦିବସ ଅବସରରେ କୋମଳଗାନ୍ଧାର ସଙ୍ଗୀତ ଓ ସଂସ୍କୃତି ପ୍ରତିଷ୍ଠାନ, ଫୁଲବାଣୀର କଳାକାରମାନଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ‘ଅକ୍ଷୟ ସଙ୍ଗୀତ ସମାରୋହ’ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମଙ୍ଗଳବାର ସଂନ୍ଧ୍ଯାରେ ଅନୁଷ୍ଠିତ ଏହି ସମାରୋହରେ କଳାକାରମାନେ ଖୋକା ଭାଇଙ୍କ ଅମର ସଙ୍ଗୀତ ସୃଷ୍ଟିକୁ ସ୍ମରଣ କରିବା ସହ ତାଙ୍କର କାଳଜୟୀ ଗୀତଗୁଡ଼ିକୁ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କର ସଙ୍ଗୀତ ସାଧନା, ଅନନ୍ୟ ଗାୟନ ଶୈଳୀ ଓ ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ଅବଦାନକୁ ନେଇ ସ୍ମୃତିଚାରଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସଭାପତି ଶ୍ରୀ ଗୋପିନାଥ ରାଉତ, ସମ୍ପାଦକ ଶ୍ରୀ ଅସିତ କୁମାର ନନ୍ଦ, ସହ ସମ୍ପାଦକ ଶ୍ରୀ ରମାକାନ୍ତ ମାଝୀ, ସାଂସ୍କୃତିକ ସମ୍ପାଦକ ଶ୍ରୀ ରଞ୍ଜିତ ମୁଖି, ସମାଜସେବା ସମ୍ପାଦକ ଶ୍ରୀ ମନୋଜ ନାୟକ ଓ କୋଷାଧ୍ୟକ୍ଷ ଶ୍ରୀ ସୁଶୀଲ କୁମାର ଶତପଥୀ ଉପସ୍ଥିତ ରହି ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଆୟୋଜନରେ ଅତିଥି ଭାବେ କୁଇ ସମାଜ ର ସକ୍ରିୟ ସଦସ୍ୟ ଇଂ ଅବନୀ କୁମାର କହଁର ଏବଂ ଡାକ୍ତର ସମୀର କୁମାର ଷଢଙ୍ଗୀ ଯୋଗ ଦେଇଥିଲେ ଓ ବିଦ୍ୟୁଲତା ବେହେତା ବିଶେଷ ସହଯୋଗ ପ୍ରଦାନ କରିଥିଲେ।

ବକ୍ତାମାନେ ମତବ୍ୟକ୍ତ କରିଥିଲେ ଯେ, ଖୋକା ଭାଇଙ୍କ ଗୀତ କେବଳ ସଙ୍ଗୀତ ନୁହେଁ, ଏହା ଓଡ଼ିଆ ଜାତିର ଭାବାବେଗ, ପରମ୍ପରା ଓ ସାଂସ୍କୃତିକ ଚେତନାର ଏକ ଅମୂଲ୍ୟ ସମ୍ପଦ। ତାଙ୍କର ସୃଷ୍ଟି ଓ ସ୍ମୃତି ଓଡ଼ିଆ ସଙ୍ଗୀତ ଜଗତରେ ଚିରଦିନ ଅମର ହୋଇ ରହିବ। ଶେଷରେ ମହାନ ସଙ୍ଗୀତ ସାଧକଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande