
ଶେରଗଡ଼ ବ୍ଲକରେ ସରକାରୀ ସହାୟତା ବଣ୍ଟନରେ ପାତରଅନ୍ତର ଅଭିଯୋଗ, ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି
ଗଞ୍ଜାମ, ୧୮ ନଭେମ୍ବର (ହି.ସ.) : ବାତ୍ୟା ଅର୍ଣ୍ଣବର ପ୍ରଭାବ ଦୂର ହୋଇନଥିବା ବେଳେ ଗଞ୍ଜାମ ଜିଲ୍ଲାକୁ ଆଉ ଏକ ବାତ୍ୟା ‘ଆକଭାନ୍’ର ଆଶଙ୍କା ଘାରିଛି। ଅନ୍ୟପକ୍ଷରେ, ଶେରଗଡ଼ ବ୍ଲକର ପିତଳ ଗ୍ରାମର ଅନେକ ଲୋକ ଏଯାଏଁ ବାତ୍ୟାଜନିତ ସରକାରୀ ରିଲିଫ୍ ସହାୟତା ପାଇନଥିବା ଅଭିଯୋଗ ହୋଇଛି। ରିଲିଫ୍ ବଣ୍ଟନରେ ପାତରଅନ୍ତର କରାଯାଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଅଭିଯୋଗ ଅନୁଯାୟୀ, ବାତ୍ୟା ଅର୍ଣ୍ଣବର ପ୍ରାୟ ୨୦ ଦିନ ପରେ କେତେକ ପରିବାରକୁ ରିଲିଫ୍ ସାମଗ୍ରୀ ଦିଆଯାଇଥିଲା। ସେମାନଙ୍କୁ ୫୦ କେଜି ଚାଉଳ ସହ ମାତ୍ର ୨୫୦ ଗ୍ରାମ ଚୁଡ଼ା ଦିଆଯାଇଥିବା ବେଳେ ଗୁଡ଼ କିମ୍ବା ଚିନି ପ୍ରଦାନ କରାଯାଇନଥିଲା। ଅନ୍ୟପକ୍ଷରେ, ଅନେକ ପ୍ରଭାବିତ ପରିବାର ଏବେ ବି ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି।
ରିଲିଫ୍ ବଣ୍ଟନରେ ଏଭଳି ଅସମାନତାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣାରେ ଗଞ୍ଜାମ ଜିଲ୍ଲାପାଳ ହସ୍ତକ୍ଷେପ କରି ତଦନ୍ତ କରିବା ସହ ବାତ୍ୟାରେ ପ୍ରଭାବିତ ସମସ୍ତ ଯୋଗ୍ୟ ପରିବାରଙ୍କୁ ବିନା ପାତରଅନ୍ତରରେ ନିର୍ଦ୍ଧାରିତ ରିଲିଫ୍ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି। ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ