
ବିଆଇଟିଏସ୍ ପିଲାନୀର ବୈଜ୍ଞାନିକମାନେ ବିକଶିତ କଲେ ସୌର ପ୍ରଯୁକ୍ତି, ଏବେ ଉପକୂଳବର୍ତ୍ତୀ ଗାଁ ଓ ଦ୍ୱୀପପୁଞ୍ଜ ପାଇଁ ଖୋଲିବ ନୂଆ ସମ୍ଭାବନା
ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)। ସମୁଦ୍ରର ଲୁଣିଆ ପାଣିକୁ ପାନୀୟ ଉପଯୋଗୀ ମଧୁର ଜଳରେ ପରିଣତ କରିବା ସହିତ ପ୍ରବଳ ଗରମରୁ ଆଶ୍ୱସ୍ତି ଦେବା ପାଇଁ ଥଣ୍ଡା ପବନ ମଧ୍ୟ ଯୋଗାଇ ପାରିବ ଏକ ନୂତନ ପ୍ରଯୁକ୍ତି। ଭାରତୀୟ ବୈଜ୍ଞାନିକମାନେ ଏପରି ଏକ ପ୍ରଯୁକ୍ତି ବିକଶିତ କରିଛନ୍ତି, ଯାହା ଗୋଟିଏ ବ୍ୟବସ୍ଥା ମାଧ୍ୟମରେ ପାନୀୟ ଜଳ ଏବଂ ଶୀତଳୀକରଣର ଦୁଇଟି ଆବଶ୍ୟକତା ପୂରଣ କରିବାର କ୍ଷମତା ରଖିଛି। ଭାରତର ବିସ୍ତୃତ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ଦୁର୍ଗମ ଗ୍ରାମ ଏବଂ ଦ୍ୱୀପପୁଞ୍ଜରେ ପାନୀୟ ଜଳ ସଙ୍କଟର ମୁକାବିଲା କରିବା ସହ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ପ୍ରଦାନ ଦିଗରେ ଏହି ଗବେଷଣା ନୂଆ ସମ୍ଭାବନା ସୃଷ୍ଟି କରିଛି।
ବାସ୍ତବରେ, ସୌର ଶକ୍ତିରେ ପରିଚାଳିତ ଏହି ବ୍ୟବସ୍ଥାର ପରୀକ୍ଷାଗାର ପରୀକ୍ଷଣରେ ଘଣ୍ଟା ପ୍ରତି ୧୨.୪ ଲିଟର ପର୍ଯ୍ୟନ୍ତ ମଧୁର ଜଳ ଉତ୍ପାଦନ ଏବଂ ୬.୫୭ କିଲୋୱାଟ୍ ପର୍ଯ୍ୟନ୍ତ ଶୀତଳୀକରଣ କ୍ଷମତା ପ୍ରଦର୍ଶିତ ହୋଇଛି। ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ (ବିଆଇଟିଏସ୍), ପିଲାନୀର ହାଇଦ୍ରାବାଦ କ୍ୟାମ୍ପସର ଗବେଷକମାନଙ୍କ ଏହି ନୂତନ ଉଦ୍ଭାବନକୁ ଭାରତୀୟ ପେଟେଣ୍ଟ ମିଳିଛି।
ଗୋଟିଏ ବ୍ୟବସ୍ଥା, ଦୁଇଟି ସମସ୍ୟାର ସମାଧାନ
ସାଧାରଣତଃ ସମୁଦ୍ର ଜଳକୁ ପାନୀୟ ଉପଯୋଗୀ କରିବା ପାଇଁ ଲବଣମୁକ୍ତକରଣ କେନ୍ଦ୍ର ଏବଂ ପରିବେଶକୁ ଥଣ୍ଡା ରଖିବା ପାଇଁ ଏୟାର କଣ୍ଡିସନର୍ କିମ୍ବା ଅନ୍ୟ ଶୀତଳୀକରଣ ଉପକରଣର ଆବଶ୍ୟକତା ପଡ଼ିଥାଏ। ଏହି ଦୁଇଟି ବ୍ୟବସ୍ଥା ପାଇଁ ପୃଥକ୍ ଭାବେ ଶକ୍ତି ଖର୍ଚ୍ଚ ହୋଇଥାଏ। ବିଆଇଟିଏସ୍ର ବୈଜ୍ଞାନିକମାନେ ଏହି ଦୁଇଟି ପ୍ରକ୍ରିୟାକୁ ଏକୀକୃତ କରି ଏପରି ଏକ ବ୍ୟବସ୍ଥା ବିକଶିତ କରିଛନ୍ତି, ଯେଉଁଥିରେ ସମୁଦ୍ର ଜଳର ବିଶୋଧନ ଏବଂ ବାୟୁର ଶୀତଳୀକରଣ ଏକାସାଙ୍ଗରେ ହୋଇପାରିବ।
ଏହି ଗବେଷଣାର ନେତୃତ୍ୱ ନେଇଥିବା ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସନ୍ଦୀପ ଏସ୍. ଦେଶମୁଖ କହିଛନ୍ତି, “ଆମର ଉଦ୍ଦେଶ୍ୟ ଏପରି ଏକ ପ୍ରଯୁକ୍ତି ବିକଶିତ କରିବା ଥିଲା, ଯାହା ସମୁଦ୍ର ଜଳରୁ ମଧୁର ଜଳ ପ୍ରସ୍ତୁତ କରିବା ସହିତ ଶୀତଳୀକରଣର ଆବଶ୍ୟକତା ମଧ୍ୟ ପୂରଣ କରିପାରିବ। ସାଧାରଣତଃ ଏହି ଦୁଇଟି କାର୍ଯ୍ୟ ପାଇଁ ଅଲଗା ଅଲଗା ବ୍ୟବସ୍ଥାର ଆବଶ୍ୟକତା ରହିଥାଏ। ଆମେ ଉଭୟ ପ୍ରକ୍ରିୟାକୁ ଏକୀକୃତ କରି ଶକ୍ତିର ଉନ୍ନତ ବ୍ୟବହାର ପାଇଁ ସମ୍ଭାବନା ସୃଷ୍ଟି କରିଛୁ। ସୌର ଶକ୍ତିରେ ଏହାର ପରିଚାଳନା ଉପକୂଳବର୍ତ୍ତୀ ଏବଂ ଦୁର୍ଗମ ଅଞ୍ଚଳ ପାଇଁ ଉପଯୋଗୀ ହୋଇପାରିବ, ଯେଉଁଠାରେ ପାନୀୟ ଜଳ ଓ ବିଦ୍ୟୁତ୍ ଉପଲବ୍ଧତା ଏକ ବଡ଼ ଆହ୍ୱାନ ହୋଇ ରହିଛି।”
ଏହି ପ୍ରଯୁକ୍ତିରେ କିପରି ଲୁଣିଆ ପାଣି ମଧୁର ହୁଏ
ସେ କହିଛନ୍ତି, ଏହି ପ୍ରଯୁକ୍ତିରେ ପ୍ରଥମେ ପରିବେଶର ବାୟୁକୁ ଗରମ କରି ଆର୍ଦ୍ରୀକରଣ ୟୁନିଟ୍ ମଧ୍ୟରେ ପ୍ରବାହିତ କରାଯାଏ। ଏହି ସମୟରେ ବାୟୁ ସମୁଦ୍ର ଜଳ କିମ୍ବା ଲୁଣିଆ ପାଣିରୁ ଆର୍ଦ୍ରତା ଗ୍ରହଣ କରେ। ଏହାପରେ ଆର୍ଦ୍ର ବାୟୁକୁ ଥଣ୍ଡା କରାଯାଏ। ଫଳରେ ଏଥିରେ ଥିବା ଜଳୀୟ ବାଷ୍ପ ଘନୀଭୂତ ହୋଇ ଜଳବିନ୍ଦୁରେ ପରିଣତ ହୁଏ। ଏହି ଜଳବିନ୍ଦୁଗୁଡ଼ିକୁ ସଂଗ୍ରହ କରି ମଧୁର ଜଳ ପ୍ରାପ୍ତ କରାଯାଏ। ସେହି ପ୍ରକ୍ରିୟାରେ ବାହାରୁଥିବା ଥଣ୍ଡା ଓ ଆର୍ଦ୍ରତାମୁକ୍ତ ବାୟୁକୁ ଶୀତଳୀକରଣ ପାଇଁ ବ୍ୟବହାର କରାଯାଇପାରିବ।
ପାଞ୍ଚଟି ପରିଚାଳନା ବିକଳ୍ପ, ଆବଶ୍ୟକତା ଅନୁଯାୟୀ ଉତ୍ପାଦନ
ଏହି ବ୍ୟବସ୍ଥାର ବିଶେଷତ୍ୱ ହେଉଛି ଏହାର ବିଭିନ୍ନ ପରିଚାଳନା ପ୍ରଣାଳୀ। ଏହା ମାଧ୍ୟମରେ ପାଣିପାଗ, ପରିବେଶର ଆର୍ଦ୍ରତା ଏବଂ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଜଳ ଉତ୍ପାଦନ ଓ ଶୀତଳୀକରଣ ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇପାରିବ। ପାନୀୟ ଜଳର ଚାହିଦା ଅଧିକ ଥିଲେ ବହୁ-ପର୍ଯ୍ୟାୟ ପରିଚାଳନା ମାଧ୍ୟମରେ ଉତ୍ପାଦନ ବୃଦ୍ଧି କରିବା ଏବଂ ଗରମ ଓ ଗୁଳୁଗୁଳି ଅଧିକ ଥିଲେ ଶୀତଳୀକରଣକୁ ପ୍ରାଥମିକତା ଦେବାର ବ୍ୟବସ୍ଥା ରହିଛି।
ଗବେଷଣାରେ ସାମିଲ ପ୍ରଫେସର ଶାନ୍ତନୁ ପ୍ରସାଦ ଦତ୍ତା କହିଛନ୍ତି, “ଏହି ଗବେଷଣାର ମୁଖ୍ୟ ବିଶେଷତ୍ୱ ହେଉଛି ଏହା ପାଞ୍ଚଟି ଭିନ୍ନ ପରିଚାଳନା ପ୍ରଣାଳୀରେ କାର୍ଯ୍ୟ କରିପାରିବ। ପାଣିପାଗ, ପରିବେଶର ଆର୍ଦ୍ରତା ଏବଂ ସ୍ଥାନୀୟ ଆବଶ୍ୟକତା ଅନୁସାରେ ମଧୁର ଜଳ ଉତ୍ପାଦନ ଓ ଶୀତଳୀକରଣ ମଧ୍ୟରେ ସନ୍ତୁଳନ ରଖାଯାଇପାରିବ। ପରୀକ୍ଷାଗାର ପରୀକ୍ଷଣରେ ଆମେ ଘଣ୍ଟା ପ୍ରତି ୧୨.୪ ଲିଟର ପର୍ଯ୍ୟନ୍ତ ମଧୁର ଜଳ ଉତ୍ପାଦନ ଏବଂ ୬.୫୭ କିଲୋୱାଟ୍ ପର୍ଯ୍ୟନ୍ତ ଶୀତଳୀକରଣ କ୍ଷମତା ପ୍ରଦର୍ଶନ କରିଛୁ। ଏହି ଫଳାଫଳ ଏକୀକୃତ ପ୍ରଯୁକ୍ତିର ସମ୍ଭାବନାକୁ ସ୍ପଷ୍ଟ କରୁଛି।”
ଲିଟର ପିଛା ଉତ୍ପାଦନ ଖର୍ଚ୍ଚ ମାତ୍ର ୩୦ ପଇସା ହେବାର ଆକଳନ
ବିଭିନ୍ନ ପାଣିପାଗ ଏବଂ ପରିବେଶଗତ ପରିସ୍ଥିତିରେ ଏହି ବ୍ୟବସ୍ଥାର କାର୍ଯ୍ୟଦକ୍ଷତା ପରଖିବା ପାଇଁ ଗବେଷକମାନେ ପରୀକ୍ଷାଗାର ସ୍ତରର ଏକ ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଥିଲେ। ପରୀକ୍ଷଣରେ ଅଧିକ ଆର୍ଦ୍ରତା ଥିବା ପରିସ୍ଥିତିରେ ଦୁଇ ପର୍ଯ୍ୟାୟ ବିଶିଷ୍ଟ ପ୍ରଣାଳୀ ମାଧ୍ୟମରେ ଘଣ୍ଟା ପ୍ରତି ୧୨.୪ ଲିଟର ପର୍ଯ୍ୟନ୍ତ ମଧୁର ଜଳ ଉତ୍ପାଦନ ରେକର୍ଡ କରାଯାଇଛି। ବିଭିନ୍ନ ପରିଚାଳନା ସ୍ଥିତିରେ ସର୍ବାଧିକ ୬.୫୭ କିଲୋୱାଟ୍ ଶୀତଳୀକରଣ କ୍ଷମତା ପ୍ରଦର୍ଶିତ ହୋଇଛି। ଏହି ବ୍ୟବସ୍ଥାରୁ ବାହାରୁଥିବା ବାୟୁର ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମ୍ ରେକର୍ଡ କରାଯାଇଛି।
ଭାରତୀୟ ଜଳବାୟୁ ପରିସ୍ଥିତିକୁ ଧ୍ୟାନରେ ରଖି ଏହି ପ୍ରୋଟୋଟାଇପ୍କୁ ଦୈନିକ ପ୍ରାୟ ୨୦୦ ଲିଟର ମଧୁର ଜଳ ଉତ୍ପାଦନ ଲକ୍ଷ୍ୟରେ ବିକଶିତ କରାଯାଇଛି। ଗବେଷକମାନଙ୍କ ଆର୍ଥିକ ଆକଳନ ଅନୁଯାୟୀ, ମଧୁର ଜଳ ଉତ୍ପାଦନର ସର୍ବନିମ୍ନ ଆନୁମାନିକ ଖର୍ଚ୍ଚ ଲିଟର ପିଛା ୩୦ ପଇସା ରହିଛି। ଏହା ପରୀକ୍ଷାଗାର ଭିତ୍ତିକ ଆକଳନ ହୋଇଥିବା ବେଳେ ବାଣିଜ୍ୟିକ ସ୍ତରରେ ଏହାର ବ୍ୟବହାର କରାଗଲେ ଉତ୍ପାଦନ ଖର୍ଚ୍ଚ ଆହୁରି କମ୍ ହୋଇପାରିବ ବୋଲି କୁହାଯାଉଛି।
ଏହି ଗବେଷଣାରେ ଯୋଗଦାନ ଦେଇଥିବା ଗବେଷକ କେ. ସାଇ ସନ୍ଦୀପଙ୍କ ପ୍ରସ୍ତାବ ଅନୁଯାୟୀ, “ଏହି ବ୍ୟବସ୍ଥାର ବିକାଶ କ୍ଷେତ୍ରରେ ଆମର ପ୍ରୟାସ ଏହାର କାର୍ଯ୍ୟଦକ୍ଷତାକୁ ବାସ୍ତବ ପରିସ୍ଥିତି ଅନୁଯାୟୀ ପରଖିବା ଉପରେ କେନ୍ଦ୍ରିତ ଥିଲା। ଏଥିରେ ବାୟୁକୁ ଆର୍ଦ୍ରୀକରଣ ଓ ଘନୀଭବନ ପ୍ରକ୍ରିୟା ଦେଇ ପ୍ରବାହିତ କରି ଜଳ ପ୍ରାପ୍ତ କରାଯାଏ। ଏହି ସମୟରେ ବାହାରୁଥିବା ଥଣ୍ଡା ଓ ଆର୍ଦ୍ରତାମୁକ୍ତ ବାୟୁକୁ ଶୀତଳୀକରଣ ପାଇଁ ବ୍ୟବହାର କରାଯାଇପାରିବ। ଆଗାମୀ ଦିନରେ ଆଞ୍ଚଳିକ ପରୀକ୍ଷଣ ଏବଂ ବୈଷୟିକ ଉନ୍ନତି ମାଧ୍ୟମରେ ଏହାକୁ ଉପକୂଳବର୍ତ୍ତୀ ଗ୍ରାମ ଓ ଦ୍ୱୀପାଞ୍ଚଳର ଆବଶ୍ୟକତା ଅନୁଯାୟୀ ବିକଶିତ କରିବାର ସମ୍ଭାବନା ରହିଛି।”
ଉପକୂଳବର୍ତ୍ତୀ ଗ୍ରାମ ଓ ଦ୍ୱୀପପୁଞ୍ଜ ପାଇଁ ଖୋଲିବ ନୂଆ ସମ୍ଭାବନା
ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଗୁଜରାଟରୁ ଆରମ୍ଭ କରି ମହାରାଷ୍ଟ୍ର, ଗୋଆ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବିସ୍ତୃତ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନେକ ଗାଁ ଓ ବସତି ରହିଛି, ଯେଉଁଠାରେ ମଧୁର ଜଳର ଉପଲବ୍ଧତା ଏକ ବଡ଼ ଆହ୍ୱାନ ହୋଇ ରହିଛି। ଲକ୍ଷଦ୍ୱୀପ ଏବଂ ଆଣ୍ଡାମାନ-ନିକୋବର ଭଳି ଦ୍ୱୀପାଞ୍ଚଳରେ ସୀମିତ ପ୍ରାକୃତିକ ଜଳ ଉତ୍ସ ଯୋଗୁଁ ଜଳ ଯୋଗାଣ ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ିଥାଏ। ଏଭଳି ଅଞ୍ଚଳରେ ସୌର ଶକ୍ତି ଆଧାରିତ ଏହି ବ୍ୟବସ୍ଥା ସ୍ଥାନୀୟ ସ୍ତରରେ ପାନୀୟ ଜଳ ଓ ଶୀତଳୀକରଣ ସୁବିଧା ଯୋଗାଇବାର ଏକ ବିକଳ୍ପ ହୋଇପାରିବ।
ଦେଶରେ ଚେନ୍ନାଇର ମିଞ୍ଜୁର ଏବଂ ନେମେଲିଠାରେ ବଡ଼ ବଡ଼ ଲବଣମୁକ୍ତକରଣ କେନ୍ଦ୍ର କାର୍ଯ୍ୟ କରୁଛି। ଲକ୍ଷଦ୍ୱୀପର କାଭାରତ୍ତୀ, ଅଗତ୍ତୀ ଏବଂ ମିନିକୟ ଦ୍ୱୀପରେ ମଧ୍ୟ ସମୁଦ୍ର ଜଳକୁ ପାନୀୟ ଜଳରେ ପରିଣତ କରିବାର ବ୍ୟବସ୍ଥା ରହିଛି। ବିଆଇଟିଏସ୍ର ଏହି ଗବେଷଣା ଏହି ପ୍ରୟାସଗୁଡ଼ିକରେ ଏକ ନୂଆ ଦିଗ ଯୋଡ଼ିଛି। କାରଣ ଏଥିରେ ଜଳ ଉତ୍ପାଦନ ସହିତ ଶୀତଳୀକରଣ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯାଇଛି।
ଅନ୍ତର୍ଜାତୀୟ ଗବେଷଣା ସହ ଯୋଡ଼ିହେଲା ଭାରତର ଉପଲବ୍ଧି
ସମୁଦ୍ର ଜଳର ଲବଣମୁକ୍ତକରଣ ଏବଂ ଶୀତଳୀକରଣକୁ ଏକୀକୃତ କରିବା ଉପରେ ବିଶ୍ୱର ଅନେକ ଦେଶରେ ଗବେଷଣା ଜାରି ରହିଛି। ୨୦୨୦ରେ 'ଏନର୍ଜି କନଭର୍ସନ୍ ଆଣ୍ଡ ମ୍ୟାନେଜମେଣ୍ଟ', ୨୦୨୩ରେ 'ଆପ୍ଲାଏଡ୍ ଥର୍ମାଲ୍ ଇଞ୍ଜିନିୟରିଂ' ଏବଂ ୨୦୨୪ରେ 'ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ରେଫ୍ରିଜରେସନ୍'ରେ ଏଭଳି ପ୍ରଯୁକ୍ତି ସମ୍ପର୍କିତ ଗବେଷଣା ପ୍ରକାଶିତ ହୋଇଛି। ଭାରତୀୟ ଜଳବାୟୁ ପରିସ୍ଥିତି ଅନୁଯାୟୀ ଏକୀକୃତ ବ୍ୟବସ୍ଥା ବିକଶିତ କରିବା ଏବଂ ଏଥିପାଇଁ ପେଟେଣ୍ଟ ହାସଲ କରିବା ଦିଗରେ ବିଆଇଟିଏସ୍ର ଗବେଷକମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ।
ଏହି ଗବେଷଣାର ନିଷ୍କର୍ଷ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବୈଜ୍ଞାନିକ ପତ୍ରିକା 'ଆପ୍ଲାଏଡ୍ ଥର୍ମାଲ୍ ଇଞ୍ଜିନିୟରିଂ'ରେ ପ୍ରକାଶିତ ହୋଇଛି। ବର୍ତ୍ତମାନ ଗବେଷକ ଦଳ ବିଭିନ୍ନ ଜଳବାୟୁ ପରିସ୍ଥିତିରେ ଏହାର ପରୀକ୍ଷଣ ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକର ସହଯୋଗରେ ଏହାର ଅଧିକ ବିକାଶ ପାଇଁ ସମ୍ଭାବନା ଖୋଜୁଛନ୍ତି। ତେବେ ପରୀକ୍ଷାଗାରରୁ ବାହାରି ବୃହତ୍ ସ୍ତରରେ ଏହାର ସଫଳ ପ୍ରଦର୍ଶନ ହିଁ ଏହି ପ୍ରଯୁକ୍ତିର ବ୍ୟବହାରିକ ପ୍ରୟୋଗ ଦିଗରେ ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା