
Bhubaneswar, 18 ନଭେମ୍ବର (ହି.ସ.)
ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଘୁନାଥପୁର ବ୍ଲକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନଭେମ୍ୱର ୧୩ ତାରିଖରେ ଘଟିଥିବା ଘଟଣାକୁ ନେଇ ପୋଲିସ ଓ ପ୍ରଶାସନିକ କଳର ଅପବ୍ୟବହାର ହୋଇଥିବା ଅଭିଯୋଗ କରି କଡ଼ା ନିନ୍ଦା କରିଛି ବିଜେଡି । ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ, ନଭେମ୍ବର ୧୩ ତାରିଖରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ପରେ ରଘୁନାଥପୁର ବିଡିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ଓ ଅନ୍ୟାନ୍ୟ ନିର୍ବାଚିତ ଜନପ୍ରତିନିଧି ମାନେ ଯୋଗ ଦେଇଥିଲେ । ବ୍ଲକରେ ବିକାଶମୂଳକ କାର୍ଯ୍ୟର ମନ୍ଥର ଗତି ନେଇ ଜନପ୍ରତିନିଧିମାନେ ପ୍ରଶ୍ନ ଉଠାଇଥିଲେ । ବିକାଶମୂଳକ କାର୍ଯ୍ୟରେ ବିଧାୟକ ଅଯଥା ହସ୍ତକ୍ଷେପ କରୁଥିବାରୁ ବିକାଶ ମୂଳକ କାର୍ଯ୍ୟ ହୋଇପାରୁ ନଥିବା ବ୍ଲକ ଅଧିକାରୀମାନେ କହିଥିଲେ । ଏହାପରେ ବିଧାୟକ ଶ୍ରୀ ରାମକାନ୍ତ ଭୋଇ ଉତ୍ତେଜିତ ହୋଇ ଯୁକ୍ତିତର୍କ କରିବା ସହ ବୈଠକ ଛାଡ଼ି ଚାଲିଯାଇଥିଲେ । ଏହାପରେ କାର୍ଯ୍ୟାଳୟ ବାହାରେ କିଛି ଲୋକ ଏକତ୍ରିତ ହୋଇ ବିଧାୟକଙ୍କ ରାଜନୈତିକ ଆଚରଣକୁ ପ୍ରଶ୍ନ କରି ସ୍ଲୋଗାନ ଦେଇଥିଲେ । ବିଜେଡି ଟିକେଟ୍ରେ ନିର୍ବାଚିତ ହେବା ପରେ ରାଜ୍ୟସଭା ନିର୍ବାଚନରେ ତାଙ୍କର କ୍ରସ୍ଭୋଟିଂକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ନଭେମ୍ୱର ୧୪ ତାରିଖରେ ବିଧାୟକ ଶ୍ରୀ ରାମକାନ୍ତ ଭୋଇ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଦେବାଶିଷ ତ୍ରିପାଠୀ ଓ ଅନ୍ୟ ନିର୍ବାଚିତ ଜନପ୍ରତିନିଧିମାନଙ୍କ ବିରୋଧରେ ଏକ ଏତଲା ଦାଏର କରିଥିଲେ । ଉକ୍ତ ଏତଲାରେ ପ୍ରାୟ ୪୦ଟି ଧାରା ଲଗାଯାଇଥିବା କୁହାଯାଉଛି । ଏଥିରେ ହତ୍ୟା ଉଦ୍ୟମ, ଡକାୟତି, ଅସ୍ତ୍ରଶସ୍ତ୍ର ଆଇନ ଏବଂ ଏସ୍ସି/ଏସ୍ଟି (ଅତ୍ୟାଚାର ନିବାରଣ) ଆଇନ ଭଳି ସଙ୍ଗୀନ ଅଭିଯୋଗ ସାମିଲ ରହିଛି । ଏହାପରେ ବ୍ଲକ୍ ଉପାଧ୍ୟକ୍ଷଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା । ପୋଲିସର ଏଭଳି ତତ୍ପରତା ଓ ପକ୍ଷପାତମୂଳକ କାର୍ଯ୍ୟାନୁଷ୍ଠାନକୁ ଡ଼ ସାମନ୍ତସିଂହାର ଘୋର ନିନ୍ଦା କରିଥିଲେ ।
ଶ୍ରୀ ସାରଦା ଜେନା କହିଥିଲେ ଯେ, ବ୍ଲକ୍ ଅଧ୍ୟକ୍ଷା ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧି ଏବଂ ଅନୁସୂଚିତ ଜାତି ବର୍ଗର । ୫ ଦିନ ବିତିଯିବା ପରେ ମଧ୍ୟ ତାଙ୍କ ଅଭିଯୋଗକୁ ଏତଲା ଭାବେ ପଞ୍ଜୀକୃତ କରାଯାଇନାହିଁ । ବ୍ଲକ୍ ଅଧ୍ୟକ୍ଷାଙ୍କ ଏତଲାକୁ ତୁରନ୍ତ ପଞ୍ଜୀକୃତ କରିବା ସହ ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ କରାଯାଉ । ଏଥିସହିତ ବିଡିଓଙ୍କ କାର୍ଯ୍ୟାଳୟ ଭିତରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ, ପୋଲିସ ଡୁ୍ୟଟି ରେକର୍ଡର ସତ୍ୟତା ଯାଞ୍ଚ ଏବଂ ଘଟଣାସ୍ଥଳରେ ଉପସ୍ଥିତ ସମସ୍ତ ପୋଲିସ କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଉ । ଗଣତାନ୍ତ୍ରିକ ଅଧିକାରର ଉଲ୍ଲଙ୍ଘନ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ମର୍ଯ୍ୟାଦା ହାନି ବିରୋଧରେ ବିଜେଡି ନିଜର ସ୍ୱର ଉତ୍ତୋଳନ ଜାରି ରଖିବ ।
ଶ୍ରୀ ସମ୍ୱିତ ରାଉତରାୟ କହିଥିଲେ ଯେ, ଶାସକ ଦଳ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛି । ସରକାର ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିବା ବେଳେ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉନାହିଁ । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ କୌଣସି ଉଲ୍ଲେଖନୀୟ ସଫଳତା ଦେଖାଇବାରେ ସରକାର ବିଫଳ ହୋଇଛନ୍ତି । ବର୍ତ୍ତମାନର ତିର୍ତ୍ତୋଲ ବିଧାୟକ ନିଜ ଅଞ୍ଚଳରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରି ପ୍ରବଳ ପିସି କାରବାରରେ ଲିପ୍ତ ରହୁଛନ୍ତି । ବିଜୁ ଜନତା ଦଳ ସହିତ ସେ ଯେଉଁ ବିଶ୍ୱାସଘାତକତା କରିଛନ୍ତି, ତାହାକୁ ତିର୍ତ୍ତୋଲର ପ୍ରତ୍ୟେକ ଜନସାଧାରଣ ଓ ବିଜୁ ଜନତା ଦଳର କର୍ମୀମାନେ ଦୀର୍ଘଦିନ ହେଲା ବିରୋଧ କରିଆସୁଛନ୍ତି । ବିଧାୟକ ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ପରିବର୍ତ୍ତେ, ଜଣେ ବାବାଙ୍କ କଥାରେ ପରିଚାଳିତ ହୋଇ ନିଜ ସ୍ୱାର୍ଥ ପାଇଁ କାମ କରୁଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା