ମହଙ୍ଗା ଭତା ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲା ବିଜେପି
ଭୁବନେଶ୍ୱର ,୧୮ ନଭେମ୍ବର (ହି.ସ.) - ଦରଦାମ ବୃଦ୍ଧି ଅର୍ଥନୀତିର ଏକ ନିଚ୍ଛକ ବାସ୍ତବତା । ସମ୍ପ୍ରତି ଭୂ-ରାଜନୈତିକ ଅସ୍ଥିରତା, ମଧ୍ୟପ୍ରାଚ୍ୟ ତଥା ପଶ୍ଚିମ ଏସିଆରେ ଯୁଦ୍ଧର ବାତାବରଣ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଭିନ୍ନ ନିଷ୍ପତି ସମଗ୍ର ବିଶ୍ୱରେ ଦରଦାମ ଉପରେ ପ୍ରଚଣ୍ଡ ପ୍ରଭାବ ପକାଇଛି
ମହଙ୍ଗା ଭତା ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲା ବିଜେପି


ଭୁବନେଶ୍ୱର ,୧୮ ନଭେମ୍ବର (ହି.ସ.) - ଦରଦାମ ବୃଦ୍ଧି ଅର୍ଥନୀତିର ଏକ ନିଚ୍ଛକ ବାସ୍ତବତା । ସମ୍ପ୍ରତି ଭୂ-ରାଜନୈତିକ ଅସ୍ଥିରତା, ମଧ୍ୟପ୍ରାଚ୍ୟ ତଥା ପଶ୍ଚିମ ଏସିଆରେ ଯୁଦ୍ଧର ବାତାବରଣ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଭିନ୍ନ ନିଷ୍ପତି ସମଗ୍ର ବିଶ୍ୱରେ ଦରଦାମ ଉପରେ ପ୍ରଚଣ୍ଡ ପ୍ରଭାବ ପକାଇଛି । ମୁଖ୍ୟତଃ ତୈଳ ତଥା ତୈଳଜାତ ଦ୍ରବ୍ୟର ପରିବହନ ଓ ଯୋଗାଣ କ୍ଷେତ୍ରରେ ବିଭ୍ରାଟ ଦରଦାମ ବୃଦ୍ଧି ସହ ଖାଉଟିଙ୍କ ଉପରେ ସିଧାସଳଖ ଚାପ ପକାଇଛି ବୋଲି ଏକ ପ୍ରେସ୍ ବିବୃତି ଜରିଆରେ ବିଜେପି ରାଜ୍ୟ ମୁଖପାତ୍ର ଡଃ ତପନ ଚାନ୍ଦ କହିଛନ୍ତି ।

ଖୁଚୁରା ମୂଲ୍ୟ ସୂଚକାଙ୍କ ଆରବିଆଇର ନିର୍ଦ୍ଧାରିତ ୬ ପ୍ରତିଶତ ସୀମାକୁ ଅତିକ୍ରମ କରିଥିବା ପରିପ୍ରେକ୍ଷୀରେ ଓଡ଼ିଶାର ମୋହନ ମାଝୀ ସରକାରଙ୍କ ପକ୍ଷରୁ ମହଙ୍ଗା ଭତାରେ ୩ ପ୍ରତିଶତ ବୃଦ୍ଧି ନିଷ୍ପତି ସବୁ ମହଲରେ ସ୍ୱାଗତଯୋଗ୍ୟ ହୋଇଛି । ଏହି ବୃଦ୍ଧି ଫଳରେ ମହଙ୍ଗା ଭତା ୬୦ ପ୍ରତିଶତରୁ ବୃଦ୍ଧି ପାଇ ୬୩ ପ୍ରତିଶତରେ ପହଁଚିଛି । ଏହା ସରକାରୀ କର୍ମଚାରୀ ମହଲରେ ଖୁସି ଓ ଆନନ୍ଦର ଲହରୀ ସୃଷ୍ଟି କରିଛି ବୋଲି ଡଃ ତପନ ଚାନ୍ଦ କହିଛନ୍ତି ।

ବର୍ତମାନ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ସହିତ ପୂର୍ବତନ କର୍ମଚାରୀ ତଥା ପେନ୍ସନ୍ଭୋଗୀମାନଙ୍କ ପାଇଁ ମଧ୍ୟ ଟିଆଇ ରେ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ଏହା ୬୩ ପ୍ରତିଶତରେ ପହଁଚିଛି । ଏହି ୩ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ବର୍ଦ୍ଧିତ ମହଙ୍ଗା ଭତା ଚଳିତ ନଭେମ୍ବର ମାସର ଦରମା ସହିତ ନଗଦ ଆକାରରେ ପ୍ରଦାନ କରାଯିବ । ଏହି ମହଙ୍ଗା ଭତା ବୃଦ୍ଧି ଦ୍ୱାରା ରାଜ୍ୟର ପ୍ରାୟ ସାଢ଼େ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀ ଉପକୃତ ହେବେ । ଏହି ପ୍ରଶଂସନୀୟ ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଡଃ ତପନ ଚାନ୍ଦ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande