
ବଲାଙ୍ଗୀର, ୧୮ ନଭେମ୍ବର(ହି.ସ.) – କୃତ୍ରିମ ବୁଦ୍ଧିମତା ଏବେ ଆଉ କେବଳ ବିଜ୍ଞାନ କି କମ୍ପ୍ୟୁଟର ପିଲାଙ୍କ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ। ଏହି ବାର୍ତା ନେଇ ଆଜି ସରକାରୀ ମହାବିଦ୍ୟାଳୟ, ବଲାଙ୍ଗୀର ପ୍ରେକ୍ଷାଳୟ- ୦୨ରେ କୃତ୍ରିମ ବୁଦ୍ଧିମତା' ସମ୍ପର୍କରେ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. କୌତୁକ ପନ୍ଦର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ, “କୃତ୍ରିମ ବୁଦ୍ଧିମତାକୁ ଡରିବା ନୁହେଁ, ଏହାକୁ ଶିଖି ନିଜ ପାଠ ଓ ଭବିଷ୍ୟତ ପାଇଁ ବ୍ୟବହାର କରିବାକୁ ହେବ। ଯିଏ କୃତ୍ରିମ ବୁଦ୍ଧିମତା ଶିଖିବ, ସେ ହିଁ ଆଗକୁ ଯିବ।” ମଂଚରେ ସହକାରୀ ପ୍ରଫେସର ଡ଼. ଶ୍ରୀକାନ୍ତ କୁମାର ବାରିକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଗ୍ରାମରୁ ବିଶ୍ୱ ଯାଏଁ ଏହାର ପ୍ରୟୋଗ କିପରି ସାମ୍ପ୍ରତିକ କାଳରେ ହେଉଛି ଏବଂ ଆମେ କେତେ ପଛରେ ଅଛୁ ତତ୍ ସମ୍ପର୍କୀୟ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଆକର୍ଷଣ ଜ୍ଞାନୋଦୟ ଏକାଡେମୀ, ବଲାଙ୍ଗୀରର ନିର୍ଦ୍ଦେଶକ ଶ୍ରୀ ନୀଳକଣ୍ଠ ବହିଦାର ଛାତ୍ରଛାତ୍ରୀଙ୍କୁ କୃତ୍ରିମ ବୁଦ୍ଧିମତା କିପରି କାମ କରେ, ଚାଟ୍ ଜିପିଟି, ଜେମିନି ଭଳି ଟୁଲ୍କୁ କିପରି ସଠିକ୍ ଭାବେ ବ୍ୟବହାର କରିବା, ନୋଟ୍ ବନାଇବା, ପ୍ରୋଜେକ୍ଟ କରିବା ଏବଂ ଚାକିରି ପାଇଁ ପ୍ରସ୍ତୁତ ହେବା ସେ ବିଷୟରେ ସହଜ ଭାଷାରେ ବୁଝାଇଥିଲେ। ତାଙ୍କ ସହ ସହ-ସଂଯୋଜକ ଶ୍ରୀ ଚୂଡ଼ାମଣି ମେହେର ମଧ୍ୟ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ପରବର୍ତୀ କାଳରେ ଏହି ବିଷୟ ବିଶେଷଜ୍ଞ ଦ୍ୱୟ ଛାତ୍ରଛାତ୍ରୀମାନଙ୍କ ମନର ସମସ୍ତ ପ୍ରଶ୍ନକୁ ସୁନ୍ଦର ଭାବରେ ସମାଧାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅର୍ଥନୀତି ବିଭାଗର ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା ସାହୁ ସଂଯୋଜନା କରିଥିଲେ। ଶେଷରେ ସମାଜ ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ଚନ୍ଦନ ପୁହାଣ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ