
ମାଲକାନଗିରି , ୧୮ ନଭେମ୍ବର (ହି.ସ.) ଆସନ୍ନ ବାତ୍ୟା ଅକଭାନ୍ କୁ ଆଖି ଆଗରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାର ଗେଟ୍। ଆଗକୁ ସମ୍ଭାବ୍ୟ ବାତ୍ୟା ଅକଭାନ ପ୍ରଭାବରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣା କ୍ଷମତା ରହିଛି ୧୫୬୧ ଫୁଟ। ବର୍ତମାନ ଜଳସ୍ତର ରହିଛି ୧୫୦୭.୪୧। ଆଗକୁ ବାତ୍ୟା ଅକଭାନ ପ୍ରଭାବରେ ଅଧିକ ବର୍ଷା ଆଶଙ୍କାରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୂର୍ବରୁ ଜଳଭଣ୍ଡାରର ଜଳସ୍ତରକୁ ସ୍ଥିର ରଖିବା ପାଇଁ ଗତ କାଲି ରାତ୍ର ଦଶଟାରେ ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ଦୁଇଟି ରେଡ଼ିଇଲ ଗେଟ ଓ ଦୁଇଟି ସଲୁଇସ ଗେଟ ଯୋଗେ ପ୍ରତି ସେକେଣ୍ଡରେ ୧୦୫୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଥିବା ବେଳେ ଆଜି ସକାଳରୁ ଆଉ ଦୁଇଟି ରେଡ଼ିଆଲ ଗେଟ ଖୋଲା ଯାଇଛି।ଚିତ୍ରକୋଣ୍ଡା ମାଟିବନ୍ଧ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ କୈଳାସ ଚନ୍ଦ୍ର ସେଠୀଙ୍କ ସୂଚନା ଅନୁଯାୟୀ ଜଳଭଣ୍ଡାର ଗେଟ ଖୋଲିବା ନେଇ ଗତକାଲି ବାଲିମେଳା ବନ୍ଧ ବିଭାଗ ପକ୍ଷରୁ ଆଜି ରାତି ଦଶଟା ସମୟରେ ଗେଟ ସାଇରନ ଯନ୍ତ୍ର ଦ୍ୱାରା ସମସ୍ତ ତଳିଆ ଅଂଚଳରେ ଗ୍ରାମବାସୀଙ୍କୁ ସତର୍କ କରାଯିବା ପରେ ଗେଟ ଖୋଲା ଯାଇଥିଲା। ବର୍ତମାନ ଦୁଇଟି ସଲୁଇସ ଗେଟ ବନ୍ଦ କରାଯାଇ ଚାରୋଟି ରେଡ଼ିଏଲ ଗେଟ ଯୋଗେ ସମୁଦାୟ ୨୪୫୦୦ କ୍ୟୁସେକ ଜଳ ଜଳଭଣ୍ଡାରରୁ ନିଷ୍କାସନ କରାଯାଉଛି। ଆଗକୁ ବର୍ଷାର ପ୍ରଭାବ ଓ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଥିବା ଜଳପ୍ରଭାବକୁ ଦୃଷ୍ଟିରେ ରଖି ଅଧିକ ଗେଟ ଖୋଲାଯିବ ନା ନାହିଁ ନିର୍ଣ୍ଣୟ ନିଆଯିବ ବୋଲି ଅଧୀକ୍ଷଣ ଯନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଜଳଭଣ୍ଡାର ଗେଟ ଖୋଲାଯିବା ସମୟରେ ବାଲିମେଳା ବନ୍ଧ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ କୈଳାସ ଚନ୍ଦ୍ର ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାର ରଞ୍ଜନ ଖୁଣ୍ଟିଆ ଓ କନିଷ୍ଠ ଯନ୍ତ୍ରୀ ଜ୍ୟୋତି ଟପନୋ, ବିଭୂତି ବେହେରା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ