

ଢାକା (ବାଂଲାଦେଶ), ୧୮ ନଭେମ୍ବର (ହି.ସ.)। ବାଂଲାଦେଶ ଆୱାମୀ ଲିଗ୍ (ବିଏଏଲ୍) ନେତ୍ରୀ ତଥା କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଡିସେମ୍ବରରେ ସ୍ୱଦେଶ ଫେରିବା ନେଇ ଘୋଷଣା କରିବା ପରେ ଦେଶରେ ରାଜନୈତିକ ହଟଚମଟ ତୀବ୍ର ହୋଇଛି। ଏହା ମଧ୍ୟରେ ଦେଶରେ ଦ୍ରୁତଗତିରେ ଅରାଜକତା ବ୍ୟାପିବାରେ ଲାଗିଛି। ବିଭିନ୍ନ ଅଞ୍ଚଳରେ ହିଂସା ଥମିବାର ନାଁ ନେଉନାହିଁ। ଉତ୍ତ୍ୟକ୍ତ ଜନତା ଥାନାରେ ମଧ୍ୟ ନିଆଁ ଲଗାଇବାକୁ ପଛାଉ ନାହାନ୍ତି। ନେତାମାନଙ୍କ ଘର ଜାଳି ଦିଆଯାଉଛି। ସରକାରୀ ଗାଡ଼ିଗୁଡ଼ିକ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଉଛି। ଏପରିକି ଅଟକ ରଖାଯାଇଥିବା ଲୋକଙ୍କୁ ପୁଲିସ ହାଜତରୁ ଜୋରଜବରଦସ୍ତ ମୁକ୍ତ କରାଯାଉଛି।
'ଦ ଡେଲି ଷ୍ଟାର' ଏବଂ 'ଢାକା ଟ୍ରିବ୍ୟୁନ୍'ର ରିପୋର୍ଟ ଅନୁଯାୟୀ, ଦେଶର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଗୋପାଳଗଞ୍ଜରେ ସ୍ଥିତି ସବୁଠାରୁ ଅଧିକ ଖରାପ ହୋଇଛି। ଆୱାମୀ ଲିଗ୍ କର୍ମୀମାନେ ଜଣେ ସାଂସଦଙ୍କ ଘର, ଥାନା ଏବଂ ପୁଲିସ ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି। ଏହାସହ ହାଜତରେ ଥିବା ଲୋକଙ୍କୁ ମଧ୍ୟ ମୁକ୍ତ କରି ନେଇଛନ୍ତି। ହିଂସାକାଣ୍ଡରେ କୃଷକ ଦଳର ଜଣେ ନେତାଙ୍କ ମୃତ୍ୟୁ ହୋଇଛି। ତୁଙ୍ଗିପଡ଼ାରେ ରାତିରେ ଅଶାନ୍ତି ମଧ୍ୟରେ ଦୁର୍ବୃତ୍ତମାନେ ଗୋପାଳଗଞ୍ଜ-ତୁଙ୍ଗିପଡ଼ା ରାସ୍ତାର ନିଲଫା ବଜାର ନିକଟରେ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ରାତି ପ୍ରାୟ ୯ଟା ସମୟରେ ଚାରିଟି ଗାଡ଼ିକୁ ଜାଳି ଦିଆଯାଇଥିଲା। ଏଥିରେ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି)ର ଦୁଇଟି ଗାଡ଼ି ମଧ୍ୟ ସାମିଲ ଥିଲା।
ରିପୋର୍ଟ ଅନୁଯାୟୀ, ଗୋପାଳଗଞ୍ଜର ତୁଙ୍ଗିପଡ଼ା ଉପଜିଲ୍ଲାରେ କ୍ଷମତାସୀନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ସାଂସଦ ଏସ୍.ଏମ୍. ଜିଲାନୀଙ୍କ ଘର ଏବଂ ସ୍ଥାନୀୟ ଥାନାରେ ନିଆଁ ଲଗାଇ ଦିଆଯାଇଛି। ଫରିଦପୁରର ଭାଙ୍ଗା ଉପଜିଲ୍ଲାରେ ଆୱାମୀ ଲିଗ୍ ସମର୍ଥନରେ ରାତିରେ ବାହାରିଥିବା ଏକ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସାରେ ବିଏନ୍ପିର କୃଷକ ଦଳର ଜଣେ ନେତାଙ୍କୁ ହତ୍ୟା କରାଯାଇଛି। ତୁଙ୍ଗିପଡ଼ା ଉପଜିଲ୍ଲାର ପ୍ରଶାସନିକ ଅଧିକାରୀ (ନିର୍ବାହୀ ଅଧିକାରୀ) ମହମ୍ମଦ ଦିଦାରୁଲ ଆଲମ୍ ପଟଗାତି ବଜାର ଅଞ୍ଚଳରେ ଜିଲାନୀଙ୍କ ଘରେ ନିଆଁ ଲଗାଯାଇଥିବା ଘଟଣାକୁ ସ୍ପଷ୍ଟ କରିଛନ୍ତି। ରାତି ୮ଟା ୩୦ରୁ ୯ଟା ମଧ୍ୟରେ ଏହି ଘଟଣା ଘଟିଥିଲା। ଏହାସହ ଘଟଣା ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ଲୋକମାନେ 'ଜୟ ବାଂଲା', 'ଜୟ ବଙ୍ଗବନ୍ଧୁ' ଏବଂ 'ଜୟ ହସିନା' ନାରା ଦେଉଥିବା ଦେଖିବାକୁ ମିଳିଛି।
ଆୱାମୀ ଲିଗ୍ ଏବଂ ଏହା ସହ ଜଡ଼ିତ ନିଷିଦ୍ଧ ସଂଗଠନଗୁଡ଼ିକର କଥିତ ସମର୍ଥକମାନେ ତୁଙ୍ଗିପଡ଼ା ଥାନା ଉପରେ ଆକ୍ରମଣ କରିବା ପରେ ଏହି ଘଟଣା ଘଟିଥିଲା। ଦଳର ଅନେକ ନେତା ଓ କର୍ମୀଙ୍କୁ ଗିରଫ କରାଯିବା ପରେ ଏହି ଆକ୍ରମଣ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମସଜିଦର ଲାଉଡ୍ସ୍ପିକରରେ ଘୋଷଣା ହେବା ପରେ ଦଳର ସମର୍ଥକମାନେ ଥାନା ବାହାରେ ଏକାଠି ହୋଇଥିଲେ ଏବଂ ଥାନା ପରିସରକୁ ଘେରାଉ କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ପ୍ରଦର୍ଶନକାରୀମାନେ ଆୱାମୀ ଲିଗ୍ ସମର୍ଥନରେ ନାରାବାଜି କରୁଥିବା ଦେଖାଯାଇଛି। ପୁଲିସ ଶବ୍ଦ ବୋମା, ଲୁହବୁହା ଗ୍ୟାସ୍ ଏବଂ ରବର ଗୁଳି ବ୍ୟବହାର କରି ଭିଡ଼କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା। ଫଳରେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା ଏବଂ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପରିସ୍ଥିତି ଏପରି ହୋଇଥିଲା ଯେ ପୁଲିସ କର୍ମଚାରୀମାନେ ଥାନା ଛାଡ଼ି ପଛକୁ ହଟିଯାଇଥିଲେ। ଏହାପରେ ପ୍ରଦର୍ଶନକାରୀମାନେ ଥାନାରେ ନିଆଁ ଲଗାଇ ଦେବା ସହ ପୁଲିସ ହାଜତରେ ବନ୍ଦ ଥିବା ନିଷିଦ୍ଧ ଛାତ୍ରଲିଗ୍ର ସମର୍ଥକମାନଙ୍କୁ ମୁକ୍ତ କରି ନିଜ ସହ ନେଇଯାଇଥିଲେ। ଆଖପାଖ ଅଞ୍ଚଳର ଲୋକଙ୍କ କହିବା ଅନୁଯାୟୀ, ପ୍ରଦର୍ଶନକାରୀମାନେ ନିଲଫା ବଜାର ନିକଟରେ ଗୋପାଳଗଞ୍ଜ-ତୁଙ୍ଗିପଡ଼ା ରାସ୍ତା ଅବରୋଧ କରିଥିଲେ। ଫଳରେ ଅଗ୍ନିଶମ ବାହିନୀର ଗାଡ଼ି ଥାନା ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା। ତୁଙ୍ଗିପଡ଼ା ଅଗ୍ନିଶମ ସେବା କେନ୍ଦ୍ରର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ଯୋଗୁଁ ସେମାନେ ତୁରନ୍ତ ଥାନାରେ ପହଞ୍ଚି ପାରିନଥିଲେ। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନେକ ଭିଡିଓରେ ଲୋକମାନେ 'ଜୟ ବାଂଲା', 'ଜୟ ବଙ୍ଗବନ୍ଧୁ' ଏବଂ 'ଜୟ ହସିନା' ନାରା ଦେଉଥିବା ଦେଖାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା