
କେନ୍ଦୁଝର, ୧୮ ନଭେମ୍ବର(ହି.ସ.) – ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ସୃଜନଶୀଳ ଚିନ୍ତାଧାରା ଓ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଚାମ୍ପିଅନସିପ୍ ରାଉଣ୍ଡ ଅନୁଷ୍ଠିତ ହୋଇଯାଇଛି।
ଏହି ଜିଲ୍ଲାସ୍ତରୀୟ ଚାମ୍ପିଅନସିପ୍ ରାଉଣ୍ଡରେ ଯୁବ ପ୍ରତିଯୋଗୀମାନେ ପାୱାରପଏଂଟ ଉପସ୍ଥାପନା ମାଧ୍ୟମରେ ‘ବିକଶିତ ଭାରତ’ ଗଠନ ସମ୍ପର୍କିତ ନିଜସ୍ୱ ଚିନ୍ତାଧାରା, ଅଭିନବ ପରିକଳ୍ପନା ଓ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ଏହା ମାଧ୍ୟମରେ ଯୁବପିଢ଼ିଙ୍କ ନେତୃତ୍ୱ ଦକ୍ଷତା, ସୃଜନଶୀଳତା ଓ ରାଷ୍ଟ୍ର ନିର୍ମାଣ ପ୍ରତି ସେମାନଙ୍କ ଅବଦାନକୁ ପ୍ରୋତ୍ସାହିତ କରାଯାଇଥିଲା।
ବିକଶିତ ଭାରତ ଗଠନରେ ଯୁବପିଢ଼ିଙ୍କ ଚିନ୍ତାଧାରା, ଦକ୍ଷତା ଓ ନେତୃତ୍ୱର ଗୁରୁତ୍ୱ ରହିଛି। ଏଭଳି ପ୍ରତିଯୋଗିତା ଯୁବ ପ୍ରତିଭାମାନଙ୍କୁ ନିଜର ମତାମତ ଓ ଅଭିନବ ଚିନ୍ତାଧାରା ଉପସ୍ଥାପନ କରିବା ସହ ରାଷ୍ଟ୍ର ନିର୍ମାଣରେ ନିଜକୁ ସାମିଲ କରିବା ପାଇଁ ଏକ ଉପଯୁକ୍ତ ମଂଚ ପ୍ରଦାନ କରିଛି।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ମନ୍ଦରଧର ମହାଳିକ, ଏଷ୍ଟାବ୍ଲିସମେଂଟ ଅଫିସର ତଥା ଡେପୁଟି କଲେକ୍ଟର ଶ୍ରୀ ସଂଗ୍ରାମ ପରିଡ଼ା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସରୋଜ କୁମାର ମଲ୍ଲିକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାର୍ଥକ ଅଭିନନ୍ଦନ ରାୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଯୁବ ପ୍ରତିଯୋଗୀମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA