
ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)। କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ରାହୁଲଙ୍କ ବୟାନକୁ ଅର୍ଥହୀନ ଓ ମିଥ୍ୟା ବୋଲି ଅଭିହିତ କରିବା ସହ ଏହା ଦେଶକୁ ଲଜ୍ଜିତ କରିଛି ବୋଲି ବିଜେପି କହିଛି।
ବୁଧବାର ବିଜେପି ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଗୌରବ ଭାଟିଆ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଅପରିପକ୍ୱତା କାହାକୁ ଅଛପା ନାହିଁ। କିନ୍ତୁ ବିରୋଧୀ ଦଳ ନେତାଙ୍କ ଭଳି ଏକ ସାମ୍ବିଧାନିକ ପଦବୀରେ ରହି ବିଦେଶ ମାଟିରେ ଭାରତ ବିରୋଧରେ ବିଷାକ୍ତ ବୟାନ ଦେବା ଏକ ଗମ୍ଭୀର ବିଷୟ। ଏଭଳି ବୟାନରୁ ରାହୁଲଙ୍କ ଭାରତ ବିରୋଧୀ ଚିନ୍ତାଧାରା ସ୍ପଷ୍ଟ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ବିଜେପି ମୁଖପାତ୍ର ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତର ସମୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ବି ସଂସଦର ଅଧିବେଶନ ଆସିବାକୁ ଥାଏ, ସେତେବେଳେ ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ଚାଲିଯାଆନ୍ତି। ସେ ନିଜ ବିଦେଶୀ ଆକାଙ୍କଠାରୁ ମାର୍ଗଦର୍ଶନ ନେବାକୁ ଯାଆନ୍ତି କି ବୋଲି ଭାଟିଆ ପ୍ରଶ୍ନ କରିଛନ୍ତି। ରାହୁଲଙ୍କ ପ୍ରତ୍ୟେକ ବିଦେଶ ଗସ୍ତ ପଛରେ ଭାରତର ସୁଦୃଢ଼ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅସ୍ଥିର କରିବାର ଉଦ୍ଦେଶ୍ୟ ଥିବା ସେ ଅଭିଯୋଗ କରିଛନ୍ତି।
ଏଭଳି ବୟାନ ଦେଇ ରାହୁଲ ଗାନ୍ଧୀ ବିଦେଶୀ ନିବେଶକ ଓ କମ୍ପାନୀଗୁଡ଼ିକ ମନରେ ଭାରତକୁ ନେଇ ସନ୍ଦେହ ସୃଷ୍ଟି କରିବାକୁ ଚାହୁଁଥିବା ଭାଟିଆ ଅଭିଯୋଗ କରିଛନ୍ତି। ନିବେଶ ପ୍ରସଙ୍ଗରେ ରାହୁଲଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଉପଲବ୍ଧ ତଥ୍ୟ ଅନୁଯାୟୀ ନିବେଶ ଅଭିବୃଦ୍ଧି ହାର ୧୧.୯ ପ୍ରତିଶତ ରେକର୍ଡ କରାଯାଇଛି। ଏହା ସତ୍ତ୍ୱେ ଭାରତରେ ଘରୋଇ ନିବେଶ ହେଉନାହିଁ ବୋଲି କହି ରାହୁଲ ଦେଶର ଆର୍ଥିକ ସମ୍ଭାବନା ଉପରେ ପ୍ରଶ୍ନ ଉଠାଉଛନ୍ତି।
ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୨ ବର୍ଷ ମଧ୍ୟରେ ଭାରତ ଗଣତନ୍ତ୍ରର ସୁଦୃଢ଼ୀକରଣ, ଅର୍ଥନୀତିର ପ୍ରଗତି, ଯୁବଶକ୍ତି ଓ ବୈଶ୍ୱିକ ପରିଚୟ କ୍ଷେତ୍ରରେ ନୂଆ ଉଚ୍ଚତା ହାସଲ କରୁଛି। ବିଶ୍ୱ ଭାରତକୁ ଏକ ସୁଦୃଢ଼ ଗଣତନ୍ତ୍ର ଓ ଦ୍ରୁତଗତିରେ ଆଗକୁ ବଢ଼ୁଥିବା ଅର୍ଥନୀତି ଭାବେ ଦେଖୁଛି। କିନ୍ତୁ ରାହୁଲ ଗାନ୍ଧୀ ବିଦେଶ ମାଟିରେ ଦେଶର ଏହି ସଫଳତାକୁ ନକାରାତ୍ମକ ଭାବେ ଉପସ୍ଥାପନ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି।
ଗୌରବ ଭାଟିଆ ଏସ୍ଆଇଆର୍ (ସ୍ୱତନ୍ତ୍ର ଗଭୀର ଭୋଟର ତାଲିକା ସଂଶୋଧନ) ପ୍ରସଙ୍ଗରେ ମଧ୍ୟ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ଘେରିଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ନିଜ ପକେଟରେ ସମ୍ବିଧାନର ଏକ ପ୍ରତି ରଖୁଛନ୍ତି, କିନ୍ତୁ ସମ୍ବିଧାନର ପ୍ରକୃତ ବ୍ୟବସ୍ଥା ସମ୍ପର୍କରେ ତାଙ୍କର ଜ୍ଞାନ ନାହିଁ। ନିର୍ବାଚନ ଆୟୋଗର ସାମ୍ବିଧାନିକ କ୍ଷମତା ସମ୍ପର୍କିତ ଧାରା ୩୨୪ ଏବଂ ଜନପ୍ରତିନିଧିତ୍ୱ ଆଇନ ଅଧ୍ୟୟନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଭାଟିଆ କହିଛନ୍ତି ଯେ, ଏସ୍ଆଇଆର୍କୁ ନେଇ ଭ୍ରମ ସୃଷ୍ଟି କରିବା ପରିବର୍ତ୍ତେ କଂଗ୍ରେସ ପ୍ରଥମେ ନିଜ ନେତାମାନଙ୍କ ବୟାନରେ ସମାନତା ଆଣିବା ଉଚିତ। ଏସ୍ଆଇଆର୍ ଉପରେ କେରଳର ମୁଖ୍ୟମନ୍ତ୍ରୀ ସତୀଶନଙ୍କ ମତାମତର ଉଦାହରଣ ଦେଇ ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ କଂଗ୍ରେସ ଭିତରେ ହିଁ ମତଭେଦ ଦେଖାଦେଉଛି। ବିଜେପି ଉପରେ ଅଭିଯୋଗ କରିବା ପୂର୍ବରୁ ରାହୁଲ ଗାନ୍ଧୀ ନିଜ ଦଳର ନେତାମାନଙ୍କ ସହ ଆଲୋଚନା କରିବା ଉଚିତ ବୋଲି ସେ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା