ଡ୍ରେନ୍ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଚୌକି ପଡ଼ାବାସୀ, ପ୍ରଶାସନର ନିରବତାକୁ ନେଇ ଅସନ୍ତୋଷ
Chauki pada habitants were facing problem
ଡ୍ରେନ୍ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଚୌକି ପଡ଼ାବାସୀ, ପ୍ରଶାସନର ନିରବତାକୁ ନେଇ ଅସନ୍ତୋଷ


ଝାରସୁଗୁଡ଼ା, ୧୮: ନଭେମ୍ବର (ହି.ସ.) - ଝାରସୁଗୁଡ଼ା ପୌର ପରିଷଦର ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ଚୌକିଦାର ପଡ଼ାରେ ଡ୍ରେନ୍ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ଦୀର୍ଘ ୧୫ ଦିନ ଧରି ଡ୍ରେନ୍ ସଫା କାର୍ଯ୍ୟ ଶେଷ ହୋଇନଥିବାରୁ ଦୂଷିତ ପାଣି ରାସ୍ତା ଉପରକୁ ବୋହି ଆସୁଛି। ଫଳରେ ଅଞ୍ଚଳବାସୀଙ୍କ ସମେତ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ରାସ୍ତା ଉପରେ ଦୂଷିତ ପାଣି ଜମି ରହିବା ଯୋଗୁଁ ପରିବେଶ ଦୁର୍ଗନ୍ଧମୟ ହୋଇପଡ଼ିଛି। ଏଥିସହ ମଶା ଓ ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବାରୁ ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଡ୍ରେନ୍ ସଫା କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ନିୟମିତ ସଫେଇ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ସୀତା ଓରାମ, ଅମୀର ମହାନନ୍ଦ, ପରମେଶ୍ୱର ଗର୍ଡିଆ, କୁନ୍ତଳା ତନ୍ତୀ, ଡିଲେଶ୍ୱରୀ ଗରଡିଆ, ରମେଶ ତନ୍ତି ଓ ରବି ଓରାମ ପ୍ରମୁଖ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ସମ୍ପର୍କରେ ପୂର୍ବରୁ ଏକାଧିକ ଥର ପୌର ପରିଷଦ କାର୍ଯ୍ୟାଳୟରେ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏଯାଏଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ।

ଅନ୍ୟପକ୍ଷରେ ଏ ସମ୍ପର୍କରେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେଙ୍କୁ ପଚାରିବାରୁ, ଏନେଇ ତାଙ୍କ କାର୍ଯ୍ୟାଳୟରେ ଏଯାଏଁ କୌଣସି ଲିଖିତ ଅଭିଯୋଗ ପହଞ୍ଚିନଥିବା ସେ କହିଛନ୍ତି। ଏଥିସହ ଆବର୍ଜନା ସଫେଇ ଗାଡ଼ି ପହଞ୍ଚିବା ପୂର୍ବରୁ କେତେକ ସ୍ଥାନୀୟ ଲୋକ ଡ୍ରେନ୍ରେ ଆବର୍ଜନା ପକାଉଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ସେ ସ୍ପଷ୍ଟ କରିଛନ୍ତି। ତେବେ ଖୁବ୍ଶୀଘ୍ର ଡ୍ରେନ୍ ସମସ୍ୟାର ସମାଧାନ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande