ଚିକିତ୍ସା ଅବହେଳା,ନାବାଳିକାଙ୍କ ମୃତ୍ୟୁ
ନୂଆପଡ଼ା,୧୮ ନଭେମ୍ବର (ହି.ସ.)- ଚିକିତ୍ସାରେ ଅବହେଳା ଅଭିଯୋଗକୁ ନେଇ ନୂଆପଡା ଜିଲ୍ଲା ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତେଜନା ଦେଖାଦେଇଛି। ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ମୃତଦେହକୁ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ରଖି ପ୍ରାୟ ୪ ଘ
Chikischa re abahela nabalika mruta


ନୂଆପଡ଼ା,୧୮ ନଭେମ୍ବର (ହି.ସ.)- ଚିକିତ୍ସାରେ ଅବହେଳା ଅଭିଯୋଗକୁ ନେଇ ନୂଆପଡା ଜିଲ୍ଲା ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତେଜନା ଦେଖାଦେଇଛି। ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ମୃତଦେହକୁ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ରଖି ପ୍ରାୟ ୪ ଘଂଟା ଧରି ଧାରଣା ଦେଇଥିଲେ। କ୍ଷତିପୂରଣ ପ୍ରଦାନ ସହ ଦୀର୍ଘବର୍ଷ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟରତ ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କ ବଦଳି ଦାବିରେ ଏହି ଆନ୍ଦୋଳନ ହୋଇଥିଲା। ସୂଚନା ଅନୁସାରେ, ବୋଡ଼େନ ବ୍ଲକ ଅନ୍ତର୍ଗତ ଭାଇସାଦାନୀ ପଂଚାୟତର ଦୁର୍ଗମ ପାଟଦରା (ଇଦଖାଲପଡ଼ା) ଗ୍ରାମର ରମେଶ ବାଗଙ୍କ ୧୩ ବର୍ଷୀୟା ଝିଅ ପଦ୍ମୟ କାନ୍ତି ବାଗଙ୍କୁ ଚିକିତ୍ସା ପାଇଁ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ତେବେ ଦାୟିତ୍ୱରେ ଥିବା ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କ ଚିକିତ୍ସାଗତ ଅବହେଳା ଯୋଗୁଁ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଉତ୍ୟକ୍ତ ପରିବାରବର୍ଗଙ୍କ ସହ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଥିଲେ। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ, ଘଟଣାର ତଦନ୍ତ ଏବଂ ଦୀର୍ଘବର୍ଷ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟରତ ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବି କରାଯାଇଥିଲା। ଏହି ଧାରଣାରେ ଖଡ଼ିଆଳର କଂଗ୍ରେସ ନେତା କମଳ ଚରଣ ତାଣ୍ଡି, ପୂର୍ବତନ ସମିତି ସଭ୍ୟ ସୌଦାଗର ସାହୁ, ବୋଡ଼େନ ବ୍ଲକ କଂଗ୍ରେସ ସଭାପତି ଭାଗିରଥି ଦଣ୍ଡସେନା, ସାହାଯ୍ୟ ସେନାର ସଭାପତି ବେଣୁଧର ଜଗତ, ପ୍ରମୋଦ ନାଗଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ। ଖବର ପାଇ ଖଡ଼ିଆଳ ଏସ୍ଡିପିଓ ଉପେନ୍ଦ୍ର ପ୍ରଧାନ, ବୋଡ଼େନ ତହସିଲଦାର ସରିତା ଗୁପ୍ତା, ଅତିରିକ୍ତ ତହସିଲଦାର ଅନୁସୂୟା ବାଗଦେବୀ, ବୋଡ଼େନ ଥାନାଧିକାରୀ ପ୍ରତିମା ଡୁଙ୍ଗଡୁଙ୍ଗ ଏବଂ ସିନାପାଲି ଥାନା ଅଧିକାରୀ ଧର୍ମେନ୍ଦ୍ର ଭୁଏ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନର ହସ୍ତକ୍ଷେପ ଓ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏଥିସହ ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ତେବେ ଜଣେ ନାବାଳିକାଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ ଏବଂ ଚିକିତ୍ସାରେ ବାସ୍ତବରେ ଅବହେଳା ହୋଇଥିଲା କି ନାହିଁ, ତାହାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande