
କେନ୍ଦୁଝର, ୧୮ ନଭେମ୍ବର (ହି.ସ.) - ସମ୍ଭାବ୍ୟ ବାତ୍ୟା ‘ଅକଭାନ’ର ମୁକାବିଲା ତଥା ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ନିମନ୍ତେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ବିଭାଗର ପ୍ରସ୍ତୁତି ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା କରାଯାଇଥିଲା।
ବୈଠକରେ ଜିଲ୍ଲାପାଳ ଶ୍ରୀ ସିଂହ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରି ଜିଲ୍ଲାରେ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ଆଗୁଆ ପ୍ରସ୍ତୁତି ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
କୃଷି ବିଭାଗର ବ୍ଲକସ୍ତରୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କୁ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସଚେତନ କରିବେ। ଅମଳ ଉପଯୋଗୀ ଫସଲକୁ ଯଥାଶୀଘ୍ର ଅମଳ କରି ସୁରକ୍ଷିତ ଓ ଶୁଷ୍କ ସ୍ଥାନରେ ରଖିବା ସହ ଅମଳ ହୋଇଥିବା ଧାନ ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟକୁ ବର୍ଷାରୁ ସୁରକ୍ଷା ଦେବା ପାଇଁ ଚାଷୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବାକୁ କୁହାଯାଇଛି।
ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ସଜାଗ ରଖିବା ସହ ସାପ କାମୁଡ଼ା, ଝାଡ଼ାବାନ୍ତି ନିରୋଧକ ଔଷଧ ଓ ଅନ୍ୟାନ୍ୟ ଜରୁରୀକାଳୀନ ଔଷଧ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଗର୍ଭବତୀ ମହିଳା, ପ୍ରସବ ତାରିଖ ନିକଟବର୍ତୀ ଥିବା ମହିଳା, ପ୍ରସୂତି ମା' ଓ ନବଜାତ ଶିଶୁଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ଗର୍ଭବତୀ ମହିଳାମାନଙ୍କୁ ପୂର୍ବରୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ପ୍ରସବ ସେବା ଓ ଆମ୍ବୁଲାନ୍ସ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି।
ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଓ ଆବଶ୍ୟକସ୍ଥଳେ ବିଦ୍ୟାଳୟ ଗୃହଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଆଲୋକ, ଶୌଚାଳୟ, ପରିମଳ ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ତଳିଆ ଅଂଚଳ, ଦୁର୍ବଳ ଘର ଓ ବିପଦସଙ୍କୁଳ ସ୍ଥାନରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ଆବଶ୍ୟକସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି।
ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ), ତହସିଲଦାର ଓ ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ସମନ୍ୱୟ ରକ୍ଷା କରି ବାତ୍ୟା ମୁକାବିଲା ନିମନ୍ତେ ଆଗୁଆ ପ୍ରସ୍ତୁତି ଓ ନିୟମିତ କ୍ଷେତ୍ରସ୍ତରୀୟ ତଦାରଖ କରିବେ। ବିଶେଷକରି ତଳିଆ ଓ ଜଳବନ୍ଦୀ ହେବାର ଆଶଙ୍କା ଥିବା ଅଞ୍ଚଳ, ଦୁର୍ବଳ ଘରେ ରହୁଥିବା ପରିବାର, ଗର୍ଭବତୀ ମହିଳା, ବୟସ୍କ, ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆବଶ୍ୟକସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିବେ। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ୍, ଶୌଚାଳୟ ଓ ଖାଦ୍ୟର ସୁବିଧା ସୁନିଶ୍ଚିତ କରିବା ସହ ଗ୍ରାମପଂଚାୟତସ୍ତରରେ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ମହଜୁଦ ରଖିବେ। ଏଥିସହ ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଓ ଜନସଚେତନତା ବାର୍ତା ଗ୍ରାମାଂଚଳରେ ପହଂଚାଇବା ସହ ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ତଥା ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ରଖିବାକୁ କୁହାଯାଇଛି। ସମସ୍ତ ନଳକୂପ କାର୍ଯ୍ୟକ୍ଷମ ରଖିବା ସହ ବ୍ଲିଚିଂ ପାଉଡର, ହାଲୋଜେନ ବଟିକା ଓ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି।
ବିଦ୍ୟୁତ ବିଭାଗକୁ ଆବଶ୍ୟକୀୟ ବିଦ୍ୟୁତ ଖୁଂଟ, ତାର ଓ ଅନ୍ୟାନ୍ୟ ଉପକରଣ ମହଜୁଦ ରଖିବା ସହ ଜରୁରୀକାଳୀନ ମରାମତି ପାଇଁ ସ୍ୱତନ୍ତ୍ର ଦଳ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଅଗ୍ନିଶମ ବିଭାଗ, ବିଡିଓ ଓ ପୌରାଂଚଳର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ମିଳିତ ଭାବେ ବିପଦସଙ୍କୁଳ ଗଛ ଚିହ୍ନଟ କରି ସେଗୁଡ଼ିକର ଡାଳ କାଟିବା ସହ ବାତ୍ୟା ପରବର୍ତୀ ସମୟରେ ରାସ୍ତାଘାଟ ଅବରୋଧମୁକ୍ତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ଏଥିସହ ପ୍ରାଣୀ ସମ୍ପଦ ବିଭାଗକୁ ଗୃହପାଳିତ ପଶୁଙ୍କ ସୁରକ୍ଷା, ଆବଶ୍ୟକ ଗୋଖାଦ୍ୟ ଓ ଔଷଧ ମହଜୁଦ ରଖିବାକୁ ଏବଂ ଯୋଗାଣ ବିଭାଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟର ପର୍ଯ୍ୟାପ୍ତ ମହଜୁଦ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ରହିଛି। ଜିଲ୍ଲା ଜରୁରୀକାଳୀନ କେନ୍ଦ୍ରକୁ ୨୪ ଘଂଟା କାର୍ଯ୍ୟକ୍ଷମ ରଖିବା ସହ ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ଅପାଦକାଳୀନ ଅଧିକାରୀ ଅଭିଳାଷ ପୁରୋହିତ ଏବଂ ଜିଲ୍ଲାର ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଉପଜିଲ୍ଲାପାଳ, ତହସିଲଦାର, ବିଡିଓ ଓ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA