ଝାରସୁଗୁଡ଼ା ଶିଳ୍ପାଂଚଳରେ ଥିବା ବିଭିନ୍ନ ଏମଏସଏମଇ ୟୁନିଟ୍ ପରିଦର୍ଶନ କଲେ ଜିଲ୍ଲାପାଳ
Collector visit msme units
ଝାରସୁଗୁଡ଼ା ଶିଳ୍ପାଞ୍ଚଳରେ ଥିବା ବିଭିନ୍ନ ଏମଏସଏମଇ ୟୁନିଟ୍ ପରିଦର୍ଶନ କଲେ ଜିଲ୍ଲାପାଳ


ଝାରସୁଗୁଡ଼ା, ୧୮ ନଭେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଆଜି ଝାରସୁଗୁଡ଼ା ଶିଳ୍ପାଂଚଳ ଗସ୍ତ କରି ସେଠାରେ କାର୍ଯ୍ୟରତ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗ ୟୁନିଟ୍ ପରିଦର୍ଶନ କରିଛନ୍ତି । ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଅରିନ୍ଦମ ପ୍ରଧାନଙ୍କ ସହ ଜିଲ୍ଲାପାଳ ଏହି ଶିଳ୍ପାଂଚଳରେ ଥିବା ଉତ୍କଳ ଇନୋଭେଟିଭ୍ସ', ଜିଏମ୍ ଇଞ୍ଜିନିୟର୍ସ' ଏବଂ ପ୍ରୋଏଡ୍' ଆଦି ଶିଳ୍ପ ସଂସ୍ଥା ବୁଲି ଦେଖିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଉକ୍ତ ୟୁନିଟ ଗୁଡ଼ିକରେ ପ୍ରସ୍ତୁତ ହେଉଥିବା ଉନ୍ନତ ଇଞ୍ଜିନିୟରିଂ ଫାବ୍ରିକେସନ୍ ସାମଗ୍ରୀ, ଖଣି ଯନ୍ତ୍ରପାତି ଏବଂ କୋଇଲା କ୍ରସିଂ ଉପକରଣର ଗୁଣବତା, ଉତ୍ପାଦନ ପ୍ରକ୍ରିୟା ଏବଂ କଂଚାମାଲର ଉତ୍ସ ସମ୍ପର୍କରେ ବିସ୍ତୃତ ଭାବେ ପଚାରି ବୁଝିଥିଲେ । ଏହା ସହିତ, ଝାରସୁଗୁଡ଼ା ଜିଲ୍ଲାରେ ଥିବା ବୃହତ ଶିଳ୍ପ ସଂସ୍ଥାଗୁଡ଼ିକୁ ଯନ୍ତ୍ରାଂଶ ଓ ସାମଗ୍ରୀ ଯୋଗାଣ ସମୟରେ ଏହି ସ୍ଥାନୀୟ ଏମଏସଏମଇ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଆହ୍ୱାନ ବିଷୟରେ ଜିଲ୍ଲାପାଳ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଥିଲେ। ଏହା ବ୍ୟତୀତ, ଜିଲ୍ଲାପାଳ ଶିଳ୍ପାଂଚଳରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ ଅଚାନକ ପରିଦର୍ଶନ କରିଥିଲେ । ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ସମୟରେ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତାର ମାନଦଣ୍ଡକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ସଂସ୍ଥାକୁ କହିଥିଲେ । ଖାଦ୍ୟ ସୁରକ୍ଷା ନିୟମାବଳୀକୁ ସୁନିଶ୍ଚିତ କରିବା ପାଇଁ ୟୁନିଟର କୋଠାର ଆବଶ୍ୟକୀୟ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ତୁରନ୍ତ ହାତକୁ ନେବାକୁ ଜିଲ୍ଲାପାଳ ସଂପୃକ୍ତ ୟୁନିଟ୍ ମାଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande