
ନୂଆପଡ଼ା,୧୮ ନଭେମ୍ବର (ହି.ସ.)- ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଉପଖଣ୍ଡ ଡାକଘରରେ ଗ୍ରାହକଙ୍କ ପାଇଁ ଆବଶ୍ୟକୀୟ ମୌଳିକ ସୁବିଧା ଓ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇଦେବା ସହ ଡାକଘରକୁ ଏକ ନୂତନ ସ୍ଥାନକୁ ସ୍ଥାନାନ୍ତର କରିବା ଦାବି ଜୋର ଧରିଛି। ଏନେଇ ଆଜି ଅଧୀକ୍ଷଣ ଡାକ ଅଧିକାରୀ ବିଶ୍ୱଜିତ କରଙ୍କୁ କୃଷକ ଶକ୍ତି ସଂଗଠନ ପକ୍ଷରୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଅଧୀକ୍ଷଣ ଡାକ ଅଧିକାରୀ ଖଡ଼ିଆଳ ଉପଖଣ୍ଡ ଡାକଘର ଗସ୍ତ କରି ବିଭାଗୀୟ ନିରୀକ୍ଷଣ କରୁଥିବା ସମୟରେ ସଂଗଠନର ପ୍ରତିନିଧିମାନେ ତାଙ୍କୁ ଭେଟି ଡାକଘରର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଡାକଘରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା, ନିଜସ୍ୱ ଜମି ଚିହ୍ନଟ ଓ ଅଧିଗ୍ରହଣ କରି ସ୍ଥାୟୀ ସରକାରୀ କୋଠା ନିର୍ମାଣ କରିବା ସହ ଗ୍ରାହକଙ୍କ ପାଇଁ ଆବଶ୍ୟକ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ଦାବି କରାଯାଇଥିଲା। ଏଥିସହ ପୂର୍ବରୁ ଖଡ଼ିଆଳ ଡାକଘରରେ ରେଳ ଟିକେଟ ପ୍ରଦାନ ସେବା ଉପଲବ୍ଧ ହେଉଥିବା ବେଳେ ଏହାକୁ ବନ୍ଦ କରାଯାଇଥିବାରୁ ପୁନର୍ବାର ଏହି ସେବା ଆରମ୍ଭ କରିବାକୁ ଦାବି ହୋଇଥିଲା। ଡାକଘର ପାଇଁ ସରକାରୀ ଗୃହ ଉପଲବ୍ଧ ଥିଲେ ତୁରନ୍ତ ତାହା ଯୋଗାଇଦେବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଏଥିସହ ସହରରେ ଥିବା ପୁରୁଣା ସ୍ୱାସ୍ଥ୍ୟକେନ୍ଦ୍ରର ସରକାରୀ କୋଠାକୁ ଡାକଘର ଭାବେ ବ୍ୟବହାର କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ଅଧୀକ୍ଷଣ ଡାକ ଅଧିକାରୀ ଶ୍ରୀ କର ପ୍ରତିନିଧି ଦଳଙ୍କ ସମସ୍ତ ଦାବି ଓ ସମସ୍ୟାକୁ ଧୈର୍ଯ୍ୟର ସହ ଶୁଣିବା ସହ ଆବଶ୍ୟକ ସହଯୋଗ ପ୍ରଦାନ ଏବଂ ଜନସାଧାରଣଙ୍କ ସହ ଉତମ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସମସ୍ୟାର ସମାଧାନ ପାଇଁ କୃଷକ ଶକ୍ତି ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ମଧ୍ୟ ଅନୁରୋଧ କରାଯିବ ବୋଲି ସଂଗଠନର ଆବାହକ ସଞ୍ଜୟ ତିୱାରୀ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ