
ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ଝାରସୁଗୁଡ଼ା, ୧୮ ନଭେମ୍ବର (ହି.ସ.)ସହର ତଥା ଜିଲ୍ଲାର ବିଭିନ୍ନ ରାସ୍ତାରେ ବୁଲା ଗୋରୁଗାଈଙ୍କ ଉପଦ୍ରବ ଯୋଗୁଁ ବଢ଼ୁଥିବା ସଡ଼କ ଦୁର୍ଘଟଣା ଏବେ ଚିନ୍ତାର କାରଣ ପାଲଟିଛି। ଏହାର ସଦ୍ୟତମ ଉଦାହରଣ ଯୁବ ଇଞ୍ଜିନିୟର ପ୍ରଶାନ୍ତ ଜେନାଙ୍କ ଅକାଳ ମୃତ୍ୟୁ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ବୁଲା ଗୋରୁ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ସହରର ବିଭିନ୍ନ ବର୍ଗର ସଚେତନ ନାଗରିକ ଏକଜୁଟ ହୋଇଛନ୍ତି। ଆଜି ନାଗରିକ ଏକତା ଓ ଅଧିକାର ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସ୍ମାରକପତ୍ରରେ ଉଲ୍ଲେଖ ଅନୁଯାୟୀ, ଗତ ନଭେମ୍ବର ୬ ତାରିଖରେ ଝାରସୁଗୁଡ଼ା ବିଟିଏମ୍ ଅଞ୍ଚଳର ବାସିନ୍ଦା ପ୍ରଶାନ୍ତ ଜେନା ଏସ୍ଏଚ୍-୧୦ରେ ବାଇକ୍ରେ ଯାଉଥିବା ସମୟରେ ହଠାତ୍ ଏକ ବୁଲା ଗାଈ ରାସ୍ତାକୁ ଚାଲି ଆସିବାରୁ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ସେ ଦୀର୍ଘ ୬ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ନଭେମ୍ବର ୧୨ ତାରିଖରେ ଆଖି ବୁଜିଥିଲେ।
ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଏସ୍ଏଚ୍-୧୦ରେ ପୂର୍ବରୁ ବୁଲା ଗୋରୁଙ୍କ ଯୋଗୁଁ ଘଟିଥିବା ବସ୍ ଦୁର୍ଘଟଣାରେ ୧୦ ଜଣଙ୍କ ଜୀବନ ଯାଇଥିଲା। ଏହା ବ୍ୟତୀତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଅନେକ ଦୁର୍ଘଟଣା ଘଟୁଥିବା ବେଳେ କିଛି ଘଟଣା ଆର୍ଟିଓ ରେକର୍ଡରେ ମଧ୍ୟ ରହିଛି। ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ।
ଏହି ସମସ୍ୟାର ନିରାକରଣ ପାଇଁ ମଞ୍ଚ ପକ୍ଷରୁ କେତେକ ପ୍ରମୁଖ ଦାବି ଉଠାଯାଇଛି। ରାସ୍ତାରେ ଗୋରୁଗାଈଙ୍କୁ ଛାଡ଼ୁଥିବା ମାଲିକଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଦଣ୍ଡିତ କରିବା, ବୁଲା ପ୍ରାଣୀଙ୍କ ଉଦ୍ଧାର ଓ ଥଇଥାନ ପାଇଁ ସ୍ଥାୟୀ ପ୍ରାଣୀ ଆଶ୍ରୟସ୍ଥଳୀ ସ୍ଥାପନ, ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ କଡ଼ା ନଜର ରଖିବା ଏବଂ ଜିଲ୍ଲାର ସମସ୍ତ ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରି ସତର୍କ ସୂଚନା ଫଳକ ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରାଯାଇଛି।
ସ୍ମାରକପତ୍ର ପ୍ରଦାନ ସମୟରେ ଝାରସୁଗୁଡ଼ା ପ୍ରେସ୍ କ୍ଲବ୍ ସଭାପତି ପ୍ରଶାନ୍ତ ମହାନ୍ତି, ଜିଲ୍ଲା ଓକିଲ ସଂଘ ସଭାପତି ରଘୁମଣି ପଟେଲ, ଶିକ୍ଷାବିତ୍ ପ୍ରଫେସର ଟହଲୁ ସାହୁ, ବଜରଙ୍ଗ ଦଳର ରବି ଗିଡ଼ୱାନୀ, ବ୍ରାହ୍ମଣ ସମାଜ ସଭାପତି ରବୀନ୍ଦ୍ର ଦୀକ୍ଷିତ, ମା' ସରସ୍ୱତୀ ମହିଳା ସଂଗଠନର ଗୀତା ରାଣା, ବ୍ୟବସାୟୀ ସଂଘର ଅଭିଷେକ ଲାଠ, ଭାରତ ବିକାଶ ପରିଷଦ ସଭାପତି ଡା. ସରୋଜ କୁମାର, ଏମ୍ବିଜିଏସ୍ ଅନ୍ନ ସେବା ସଂସ୍ଥାନ ସଭାପତି ଲକ୍ଷ୍ମୀକାନ୍ତ ଚକ୍ରବର୍ତ୍ତୀ, ରୋଟାରି କ୍ଲବ୍ ଗ୍ରିନ୍ର ମଧୁମିତା ସୁଭନିଲ, ଲାୟନ୍ସ କ୍ଲବ୍ର ବାଳଗୋବିନ୍ଦ ମିଶ୍ରଙ୍କ ସମେତ ନେତ୍ର ଟାଣ୍ଟି, ସୁନୀଲ ମହାପାତ୍ର, ବୀରେନ ପରୁଆ, ସତ୍ୟପ୍ରକାଶ ମିଞ୍ଜ, ବିଶ୍ୱଜିତ ସିଂହ, ବିଜୟ ସାହୁ, କୈବଲ୍ୟ ମହାପାତ୍ର ଓ ସନ୍ତୋଷ ପାଣି ପ୍ରମୁଖ ଉପସ୍ଥିତ ଥିଲେ।
ଜନସାଧାରଣଙ୍କ ଜୀବନ ସୁରକ୍ଷା ସହ ବୁଲା ଗୋରୁଙ୍କ ଉପଯୁକ୍ତ ଥଇଥାନ ପାଇଁ ପ୍ରଶାସନ ତୁରନ୍ତ ଠୋସ୍ ପଦକ୍ଷେପ ଗ୍ରହଣ କରୁ ବୋଲି ମଞ୍ଚ ପକ୍ଷରୁ ଦାବି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ