ବିକଟାଳ ଶବ୍ଦ ସହ ବେପରୁଆ ବାଇକ୍ ଚାଳନା, ବଢ଼ୁଛି ଦୁର୍ଘଟଣା ଆଶଙ୍କା
Demand to action against careless driving
ବିକଟାଳ ଶବ୍ଦ ସହ ବେପରୁଆ ବାଇକ୍ ଚାଳନା, ବଢ଼ୁଛି ଦୁର୍ଘଟଣା ଆଶଙ୍କା


ଝାରସୁଗୁଡା , ୧୮ ନଭେମ୍ବର (ହି.ସ.)

Writing

ବର୍ତ୍ତମାନ ବଜାରରେ ବିଭିନ୍ନ କମ୍ପାନୀର ଆକର୍ଷଣୀୟ ମଡେଲର ବାଇକ୍ ଉପଲବ୍ଧ ହେଉଥିବାରୁ ଯୁବପିଢ଼ିଙ୍କ ମଧ୍ୟରେ ଏହାକୁ କିଣିବା ପାଇଁ ବେଶ୍ ଆଗ୍ରହ ଦେଖିବାକୁ ମିଳୁଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ବାଇକ୍ ସଂଖ୍ୟା ବୃଦ୍ଧି ପାଉଛି। ମାତ୍ର କେତେକ ଅମାନିଆ ଯୁବକଙ୍କ ବେପରୁଆ ଚାଳନା ଓ ବାଇକ୍ରୁ ବାହାରୁଥିବା ବିକଟାଳ ଶବ୍ଦ ଏବେ ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି।

ବିଶେଷକରି ଜନଗହଳିପୂର୍ଣ୍ଣ ରାସ୍ତାରେ କେତେକ ଯୁବକ ଦ୍ରୁତଗତିରେ ବାଇକ୍ ଚଳାଇବା ସହ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଛନ୍ତି। ନାମୀଦାମୀ ବାଇକ୍ର କମ୍ପାନୀ ନିର୍ମିତ ସାଇଲେନ୍ସର ହଟାଇ ମଡିଫାଏଡ୍ ସାଇଲେନ୍ସର ଲଗାଯାଉଥିବାରୁ ଏଥିରୁ ଅତ୍ୟଧିକ ଶବ୍ଦ ବାହାରୁଛି। ଏହାଦ୍ୱାରା ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ସମେତ ଆଖପାଖ ବାସିନ୍ଦା ଅତିଷ୍ଠ ହୋଇପଡ଼ୁଛନ୍ତି।ଅନ୍ୟପକ୍ଷରେ କେତେକ ଯୁବକ ରାସ୍ତାକୁ ନିଜର ପ୍ରତିଯୋଗିତା କ୍ଷେତ୍ର ଭାବେ ବ୍ୟବହାର କରି ବେପରୁଆ ଭାବେ ବାଇକ୍ ଚଳାଉଛନ୍ତି। ଫଳରେ ପଥଚାରୀଙ୍କ ଜୀବନ ବିପଦରେ ପଡ଼ୁଛି। ବିକଟାଳ ଶବ୍ଦରେ ଛୋଟ ପିଲାମାନେ ଭୟଭୀତ ହେଉଥିବା ବେଳେ ବୟସ୍କ ବ୍ୟକ୍ତିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଯାଉଥିବା ଅଭିଭାବକମାନେ ମଧ୍ୟ ଏଭଳି ଚାଳକଙ୍କ ଯୋଗୁଁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଗର୍ଭବତୀ ମହିଳା, ହୃଦ୍ରୋଗୀ ଓ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏଭଳି ଉଚ୍ଚ ଶବ୍ଦ ଚିନ୍ତାର କାରଣ ପାଲଟିଛି।ବିଶେଷକରି ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଭଳି ନୀରବ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ରୋକିବା ନିୟମ ରହିଥିଲେ ମଧ୍ୟ ଏହାର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଏପରିକି ଚାଳକଙ୍କ ପରିଚୟ ଲୁଚାଇବା ଉଦ୍ଦେଶ୍ୟରେ କେତେକ ବାଇକ୍ର ନମ୍ବର ପ୍ଲେଟ୍କୁ ଅସ୍ପଷ୍ଟ ରଖାଯାଉଥିବା ଅଭିଯୋଗ ହେଉଛି। କେତେକ ପୁରୁଣା ବାଇକ୍ର ଆବଶ୍ୟକୀୟ କାଗଜପତ୍ର ନଥିଲେ ମଧ୍ୟ ଗ୍ୟାରେଜ୍ରେ ମରାମତି ଓ ପରିବର୍ତ୍ତନ କରି ରାସ୍ତାରେ ଚଳାଯାଉଛି। ଏଥିସହ ନିଶାସକ୍ତ ଅବସ୍ଥାରେ ଦ୍ରୁତଗତିରେ ଗାଡ଼ି ଚାଳନା ମଧ୍ୟ ସଡ଼କ ଦୁର୍ଘଟଣାର ଆଶଙ୍କା ବଢ଼ାଉଛି।

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏଭଳି ଅମାନିଆ ବାଇକ୍ ଚାଳକଙ୍କ ବିରୋଧରେ ପୁଲିସ ପକ୍ଷରୁ ନିୟମିତ ଓ କଠୋର ଯାଞ୍ଚ କରାଯାଉନଥିବାରୁ ସେମାନଙ୍କ ମନୋବଳ ବଢ଼ୁଥିବା ଅଭିଯୋଗ ହେଉଛି। ତେଣୁ ସହରରେ ଶାନ୍ତିଶୃଙ୍ଖଳା ଓ ସଡ଼କ ସୁରକ୍ଷା ବଜାୟ ରଖିବା ପାଇଁ ପୁଲିସ ପ୍ରଶାସନ ତୁରନ୍ତ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ କରିବା ଆବଶ୍ୟକ। ବିକଟାଳ ଶବ୍ଦ କରୁଥିବା ମଡିଫାଏଡ୍ ସାଇଲେନ୍ସର ଲଗାଇଥିବା ବାଇକ୍ ଜବତ ସହ ନିୟମ ଉଲ୍ଲଂଘନକାରୀ ଚାଳକଙ୍କ ବିରୋଧରେ ଜରିମାନା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଏଥିସହ ନିୟମବିରୋଧୀ ସାଇଲେନ୍ସର ବିକ୍ରି ଓ ଲଗାଉଥିବା ଦୋକାନ ଉପରେ ମଧ୍ୟ ପ୍ରଶାସନ ନଜର ରଖିବା ଜରୁରୀ। ସାଧାରଣ ଲୋକଙ୍କ ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ପରିବେଶ ପାଇଁ ଏଭଳି ଅମାନିଆ ବାଇକ୍ ଚାଳକଙ୍କ ଉପରେ ତୁରନ୍ତ ଅଙ୍କୁଶ ଲଗାଇବାକୁ ଜନସାଧାରଣ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande