
ଝାରସୁଗୁଡ଼ା, ୧୮ ନଭେମ୍ବର (ହି.ସ.)
: ନିର୍ବାଚନ ସାକ୍ଷରତାର ପ୍ରସାର ତଥା ଯୁବ ଓ ଭବିଷ୍ୟତର ଭୋଟରମାନଙ୍କୁ ନିର୍ବାଚନରେ ନୈତିକ ଅଂଶଗ୍ରହଣ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଡିଏମଏଫ୍ ଅଡିଟୋରିୟମଠାରେ ନିର୍ବାଚନ ସାକ୍ଷରତା କ୍ଲବ୍ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଚୂଡ଼ାନ୍ତ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମନୋନୀତ ହୋଇଥିବା ଚୂଡ଼ାନ୍ତ ପ୍ରତିଯୋଗୀମାନେ ଏଥିରେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରି ନିର୍ବାଚନ ସଚେତନତା ସମ୍ପର୍କରେ ନିଜର ଜ୍ଞାନ ଓ ପ୍ରତିବଦ୍ଧତାର ପରିଚୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଭାବବିନିମୟ କରିଥିଲେ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହେବାକୁ ସେମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଡେପୁଟି କଲେକ୍ଟର (ନିର୍ବାଚନ) ଲୋପାମୁଦ୍ରା କାଲୋ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂହ ଏବଂ ସହକାରୀ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ମାଝୀ ଉପସ୍ଥିତ ଥିଲେ । ଶିକ୍ଷାବିତ୍ ଅତିଥିମାନଙ୍କ ମଧ୍ୟରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ଡଃ ସ୍ୱର୍ଣ୍ଣମୟୀ ପୁରୋହିତ, ଓଡ଼ିଆ ଅଧ୍ୟାପିକା ଡଃ ଦୀପଶିଖା ସୋହେଲା ଏବଂ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟର ହିନ୍ଦୀ ଅଧ୍ୟାପିକା ଡଃ ସଂଘମିତ୍ରା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା, ଯେଉଁଥିରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ