
ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)। ବିଦେଶ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ବୁଧବାର ଟୋକିଓଠାରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜାପାନ-ଭାରତ ଆସୋସିଏସନର ଅଧ୍ୟକ୍ଷ ଫୁମିଓ କିଶିଦାଙ୍କୁ ସାକ୍ଷାତ କରିଛନ୍ତି। ଅନ୍ୟପକ୍ଷରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଜାପାନୀ ପ୍ରତିପକ୍ଷ ଶିଞ୍ଜିରୋ କୋଇଜୁମିଙ୍କ ସହ ଯୋକୋସୁକାସ୍ଥିତ ଜାପାନର ସାମୁଦ୍ରିକ ଆତ୍ମରକ୍ଷା ବାହିନୀର ନୌସେନା ଘାଟି ଅଭିମୁଖେ ଯାତ୍ରା କରିଛନ୍ତି। ଉଭୟ ମନ୍ତ୍ରୀ ଜାପାନର ଦୁଇଦିନିଆ ସରକାରୀ ଗସ୍ତରେ ଅଛନ୍ତି। ଏହି ଅବସରରେ ସେମାନେ ଚତୁର୍ଥ ଭାରତ-ଜାପାନ ‘ଟୁ ପ୍ଲସ୍ ଟୁ’ ମନ୍ତ୍ରୀସ୍ତରୀୟ ଆଲୋଚନାରେ ଯୋଗଦେବେ।
ଜୟଶଙ୍କର ସାମାଜିକ ଗଣମାଧ୍ୟମ ଏକ୍ସରେ କିଶିଦାଙ୍କ ସହ ସାକ୍ଷାତର ଫଟୋ ସେୟାର କରି କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ରଣନୈତିକ ସମନ୍ୱୟ ଓ ଆର୍ଥିକ ସୁରକ୍ଷା ସହଯୋଗ ନେଇ ଆଲୋଚନା ହୋଇଛି। ଭାରତ-ଜାପାନର ସ୍ୱତନ୍ତ୍ର ରଣନୈତିକ ଓ ବୈଶ୍ୱିକ ଭାଗିଦାରୀକୁ ଆହୁରି ମଜଭୁତ କରିବା ଦିଗରେ କିଶିଦାଙ୍କ ନିରନ୍ତର ସମର୍ଥନକୁ ସେ ପ୍ରଶଂସା କରିଛନ୍ତି।
କିଶିଦା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ହେବା ସହ ଜାପାନ-ଭାରତ ଆସୋସିଏସନର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବାରେ ତାଙ୍କର ଏହି ଭୂମିକା ଗୁରୁତ୍ୱପୂର୍ଣ୍ଣ।
ଏହି ଅବସରରେ ରାଜନାଥ ସିଂହ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଶିଞ୍ଜିରୋ କୋଇଜୁମିଙ୍କ ସହ ବିମାନରେ ବସିଥିବା ଏକ ଫଟୋ ଏକ୍ସରେ ସେୟାର କରିଛନ୍ତି। ଉଭୟ ଯୋକୋସୁକାସ୍ଥିତ ଜାପାନର ସାମୁଦ୍ରିକ ଆତ୍ମରକ୍ଷା ବାହିନୀ (ଜେଏମ୍ଏସ୍ଡିଏଫ୍)ର ନୌସେନା ଘାଟି ଅଭିମୁଖେ ଯାତ୍ରା କରୁଥିବା ସେ କହିଛନ୍ତି। ଏଥିସହ ଜାପାନର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେ ଜଣେ ଉତ୍ତମ ଆତିଥେୟତା ପ୍ରଦାନକାରୀ ବୋଲି ଅଭିହିତ କରିଛନ୍ତି।
ବିଦେଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରାଜନାଥ ସିଂହ ଓ ଜୟଶଙ୍କର ନଭେମ୍ବର ୧୮ରୁ ୧୯ ତାରିଖ ପର୍ଯ୍ୟନ୍ତ ଜାପାନର ସରକାରୀ ଗସ୍ତରେ ଅଛନ୍ତି। ଏହି ସମୟରେ ଉଭୟ ଦେଶ ମଧ୍ୟରେ ଚତୁର୍ଥ ଭାରତ-ଜାପାନ ‘ଟୁ ପ୍ଲସ୍ ଟୁ’ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଏଥିରେ ଭାରତ ଓ ଜାପାନର ପ୍ରତିରକ୍ଷା ଏବଂ ବିଦେଶ ମନ୍ତ୍ରୀମାନେ ଯୋଗଦେବେ।
ଗସ୍ତ ସମୟରେ ରାଜନାଥ ସିଂହ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଶିଞ୍ଜିରୋ କୋଇଜୁମିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ କରିବେ। ସେହିପରି ଜୟଶଙ୍କର ଜାପାନର ବିଦେଶ ମନ୍ତ୍ରୀ ତୋଶିମିତ୍ସୁ ମୋତେଗିଙ୍କ ସହ ଭାରତ-ଜାପାନ ବିଦେଶ ମନ୍ତ୍ରୀସ୍ତରୀୟ ରଣନୈତିକ ଆଲୋଚନା କରିବେ। ଏହା ସହିତ ଜୟଶଙ୍କର ତୃତୀୟ ରାଇସିନା ଟୋକିଓ ସଂଳାପରେ ମଧ୍ୟ ଭାଗ ନେବେ।
ଏହି ଗସ୍ତ ସମୟରେ ଉଭୟ ପକ୍ଷ ଅଗଷ୍ଟ ୨୦୨୫ରେ ଅନୁଷ୍ଠିତ ୧୫ତମ ଏବଂ ଜୁଲାଇ ୨୦୨୬ରେ ଅନୁଷ୍ଠିତ ୧୬ତମ ବାର୍ଷିକ ଶିଖର ସମ୍ମିଳନୀରେ ହୋଇଥିବା ସହମତିଗୁଡ଼ିକର ସମୀକ୍ଷା କରିବେ। ଏଥିସହ ପାରସ୍ପରିକ ସ୍ୱାର୍ଥ ସମ୍ପୃକ୍ତ କ୍ଷେତ୍ରଗୁଡ଼ିକରେ ସ୍ୱତନ୍ତ୍ର ରଣନୈତିକ ଓ ବୈଶ୍ୱିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବାର ଉପାୟ ଉପରେ ବିଚାରବିମର୍ଶ କରାଯିବ।
ଭାରତ ଓ ଜାପାନ ମଧ୍ୟରେ ଥିବା ଭାଗିଦାରୀ ଗଣତନ୍ତ୍ର, ସ୍ୱାଧୀନତା ଓ ଆଇନର ଶାସନ ଭଳି ସମାନ ମୂଲ୍ୟବୋଧ ଉପରେ ଆଧାରିତ। ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଓ ସୁଦୃଢ଼ ମୁକ୍ତ ତଥା ଅବାଧ ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ଗଠନ ପାଇଁ ଉଭୟ ଦେଶ ପ୍ରତିବଦ୍ଧ। ଭାରତ-ଜାପାନ ‘ଟୁ ପ୍ଲସ୍ ଟୁ’ ଆଲୋଚନାର ପୂର୍ବ ବୈଠକ ୨୦ ଅଗଷ୍ଟ ୨୦୨୪ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା