
ଚତ୍ରା, ୧୮ ନଭେମ୍ବର (ହି.ସ.)। ଝାଡ଼ଖଣ୍ଡର ଚତ୍ରା ଜିଲ୍ଲା ଅନ୍ତର୍ଗତ ଟଣ୍ଡୱାସ୍ଥିତ ଏନ୍ଟିପିସି ପ୍ରକଳ୍ପରେ ବୁଧବାର ଏକ ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ କନ୍ଭେୟର ବେଲ୍ଟର ଢାଞ୍ଚା ହଠାତ୍ ଭାଙ୍ଗି ଖସିପଡ଼ିବାରୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଆଉ କିଛି ଲୋକ ମଧ୍ୟ ଆହତ ହୋଇଥିବା ଆଶଙ୍କା କରାଯାଉଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଏନ୍ଟିପିସି ପ୍ରକଳ୍ପର ସିଏଚ୍ପି ଜେଏଚ୍-୧ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ନିର୍ମାଣାଧୀନ କନ୍ଭେୟର ବେଲ୍ଟର ଢାଞ୍ଚା ଉପରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ହଠାତ୍ ପୂରା ଢାଞ୍ଚାଟି ଭାଙ୍ଗି ତଳେ ପଡ଼ିଯିବାରୁ ଅନେକ ଶ୍ରମିକ ଏହା ତଳେ ଚାପି ହୋଇଯାଇଥିଲେ। ପ୍ରାଥମିକ ଭାବେ ନିର୍ମାଣାଧୀନ ଢାଞ୍ଚାର ଡିଜାଇନ୍ରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି। ତେବେ ତଦନ୍ତ ପରେ ହିଁ ଏହାର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଚତ୍ରା ଆରକ୍ଷୀ ଅଧୀକ୍ଷକ ଅନିମେଷ ମୈଥାନୀ ୩ ଜଣ ଶ୍ରମିକଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଟଣ୍ଡୱା ଥାନା ଅଧିକାରୀ ବିପିନ କୁମାରଙ୍କୁ ପୁଲିସ ବଳ ସହ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ପୁଲିସ ଓ ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରଶାସନ ପକ୍ଷରୁ ସମଗ୍ର ଘଟଣା ଉପରେ ନଜର ରଖାଯାଇଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆତଙ୍କ ଓ ଅଫରାତଫରି ସୃଷ୍ଟି ହୋଇଥିଲା। ଜଣେ ଶ୍ରମିକଙ୍କ ମୃତଦେହ କନ୍ଭେୟର ବେଲ୍ଟର ଢାଞ୍ଚାରେ ଝୁଲି ରହିଥିବା ଦେଖାଯାଇଥିବାବେଳେ ଅନ୍ୟ ଶ୍ରମିକମାନେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲେ। ଆହତମାନଙ୍କୁ ତୁରନ୍ତ ଏନ୍ଟିପିସି ପରିସରରେ ଥିବା ସଞ୍ଜୀବନୀ ହସ୍ପିଟାଲକୁ ନିଆଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।
ସୂଚନା ଅନୁଯାୟୀ, କନ୍ଭେୟର ବେଲ୍ଟ ନିର୍ମାଣର ମୁଖ୍ୟ ଠିକା ଥାଇସନ୍ କମ୍ପାନୀକୁ ମିଳିଥିଲା। ପରବର୍ତ୍ତୀ ସମୟରେ ସବ୍କଣ୍ଟ୍ରାକ୍ଟର ସିମ୍ପ୍ଲେକ୍ସ କମ୍ପାନୀ ମାଧ୍ୟମରେ ନିର୍ମାଣ କାର୍ଯ୍ୟ କରାଯାଉଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା