
ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)। ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷା ବାହିନୀ ଲସ୍କର-ଏ-ତୋଇବାର କମାଣ୍ଡର ମହମ୍ମଦ ଲତିଫ ଭଟ୍ଟକୁ ନିପାତ କରିଛନ୍ତି। କଶ୍ମୀର ଉପତ୍ୟକାରେ ସେ ଲସ୍କରର ଶେଷ ଜଣାଶୁଣା ସକ୍ରିୟ ସ୍ଥାନୀୟ ଆତଙ୍କବାଦୀ ଥିଲା ବୋଲି ବୁଧବାର କହିଛନ୍ତି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ।
ଅମିତ ଶାହ ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ରେ କହିଛନ୍ତି ଯେ, ଜମ୍ମୁ-କଶ୍ମୀର ପୁଲିସ, ଭାରତୀୟ ସେନା, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍) ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକର ସମନ୍ୱିତ ଉଦ୍ୟମରେ ବୁଧବାର ଭୋର୍ରୁ କୁଲଗାମରେ ଅଭିଯାନ ଚଳାଇ ଲତିଫ ଭଟ୍ଟକୁ ନିପାତ କରାଯାଇଛି। ତା’ର ଜଣେ ଆତଙ୍କବାଦୀ ସହଯୋଗୀ ଉମର ନିସାର ମଧ୍ୟ ଏହାର ଗୋଟିଏ ଦିନ ପୂର୍ବରୁ କୁଲଗାମରେ ନିହତ ହୋଇଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଉଚ୍ଚସ୍ତରୀୟ ସମନ୍ୱୟର ଏହି ଅଭିଯାନ ଏକ ଉଦାହରଣ ବୋଲି ସେ କହିଛନ୍ତି।
ଏହି ଅଭିଯାନରେ ସାମିଲ ଜମ୍ମୁ-କଶ୍ମୀର ପୁଲିସ, ସେନା, ସିଆରପିଏଫ୍ ଏବଂ ଗୁଇନ୍ଦା ସଂସ୍ଥାର ଯବାନମାନଙ୍କ ସାହସିକତାକୁ ଗୃହମନ୍ତ୍ରୀ ପ୍ରଶଂସା କରିଛନ୍ତି। ଦେଶ ସେମାନଙ୍କ ବୀରତ୍ୱକୁ ସଲାମ କରୁଛି ବୋଲି ସେ କହିଛନ୍ତି।
ଏହି ମଧ୍ୟରେ, କଶ୍ମୀର ଜୋନ୍ ପୁଲିସ ବୁଧବାର ସକାଳେ ‘ଏକ୍ସ’ରେ ସୂଚନା ଦେଇଛି ଯେ, ଏନ୍କାଉଣ୍ଟର ସ୍ଥଳରୁ ଜଣେ ନିହତ ଆତଙ୍କବାଦୀଙ୍କ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୃତ ଆତଙ୍କବାଦୀର ପରିଚୟ କୁଲଗାମର ଖ୍ରେୱାନ ନିବାସୀ ମହମ୍ମଦ ଲତିଫ ଭଟ୍ଟ ବୋଲି ଜଣାପଡ଼ିଛି।
ଅଭିଯାନ ପରେ ସିଆରପିଏଫ୍ ମହାନିର୍ଦ୍ଦେଶକ ଜିପି ସିଂହ ମଧ୍ୟ ଯବାନମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ‘ଏକ୍ସ’ରେ ଲେଖିଛନ୍ତି, “ବନ୍ଧୁମାନେ, ଅଭିନନ୍ଦନ। କିଛି ବ୍ୟଞ୍ଜନ ଥଣ୍ଡା ପରଷାଗଲେ ହିଁ ଅଧିକ ଭଲ ଲାଗେ, ଥଣ୍ଡା ପାଗରେ ମଧ୍ୟ।”
ଉପଲବ୍ଧ ସୂଚନା ଅନୁଯାୟୀ, ୨୨ ବର୍ଷୀୟ ଲତିଫ ଭଟ୍ଟ ପୂର୍ବରୁ ବଢ଼େଇ କାମ କରୁଥିଲା। ତା’ ମୁଣ୍ଡ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ନଭେମ୍ବର ୧୧ ତାରିଖରେ କୁଲଗାମରେ ସିଆରପିଏଫ୍ର ଏକ ଯାଞ୍ଚ ଚେକ୍ପୋଷ୍ଟ ଉପରେ ହୋଇଥିବା ଆକ୍ରମଣରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ରହିଥିଲା। ଏହି ଆକ୍ରମଣରେ ତିନି ଜଣ ଯବାନ ଆହତ ହୋଇଥିଲେ।
କୁହାଯାଉଛି ଯେ, ଅଭିଯାନ ସମୟରେ ସୁରକ୍ଷା ବାହିନୀ ପକ୍ଷରୁ ଲତିଫ ଭଟ୍ଟକୁ ଆତ୍ମସମର୍ପଣ କରିବା ପାଇଁ ଏକାଧିକ ସୁଯୋଗ ଦିଆଯାଇଥିଲା। ଭିଡିଓ କଲ୍ ମାଧ୍ୟମରେ ମଧ୍ୟ ତାକୁ ବୁଝାଇବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ସେ ଆତ୍ମସମର୍ପଣ ନକରିବାରୁ ସୁରକ୍ଷା ବାହିନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସେ ଏକ ମସଜିଦ୍ରେ ଲୁଚି ରହିଥିଲା। ତାକୁ ସେଠାରୁ ବାହାର କରିବା ପାଇଁ ଲୁହବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା